ମହାମାରୀ ପ୍ରଭାବ: ମୋବାଇଲ୍‌ ଉତ୍ପାଦନ ୫୦% ହ୍ରାସ

Advertisment
ମହାମାରୀ ପ୍ରଭାବ: ମୋବାଇଲ୍‌ ଉତ୍ପାଦନ ୫୦% ହ୍ରାସ

Business Line

ନୂଆଦିଲ୍ଲୀ: ବିିଭିନ୍ନ ରାଜ୍ୟରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍, ସେମିକଣ୍ଡକ୍ଟରର ଅଭାବ ଓ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ମୋବାଇଲ୍ ଫୋନ୍ ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଚଳିତ ବର୍ଷର ଏପ୍ରିଲ୍‌ରୁ ମେ' ମାସ ଭିତରେ ମୋବାଇଲ୍‌ର ଉଭୟ ଉତ୍ପାଦନ ଓ ବିକ୍ରି ହ୍ରାସ ପାଇଛି। ଦୁଇ ଦେଶୀ ମୋବାଇଲ୍ କଂପାନି ଲାଭା ଇଣ୍ଟରନ୍ୟାସନାଲ୍ ଓ ମାଇକ୍ରୋମ୍ୟାକ୍ସର ଉତ୍ପାଦନ ପ୍ରାୟ ୫୦% ହ୍ରାସ ପାଇଥିବା ଜଣାପଡ଼ିଛି। ଲାଭାର ସହ ପ୍ରତିଷ୍ଠାତା ଏସ୍‌ ଏନ୍ ରାଏ ଓ ମାଇକ୍ରୋମ୍ୟାକ୍ସର ସହ ପ୍ରତିଷ୍ଠାତା ରାଜେଶ ଅଗ୍ରୱାଲ୍ ଏହି ସୂଚନା ଦେଇଛନ୍ତି। ଶ୍ରୀ ରାଏ କହିଛନ୍ତି ଯେ ସ୍ଥିତି ବେଶ ଆହ୍ବାନପୂର୍ଣ୍ଣ ରହିଛି। ଯେଉଁମାନଙ୍କ ପାଖରେ ଷ୍ଟକ ଅଛି ସେମାନେ ଏପ୍ରିଲ୍‌ରେ ଉତ୍ପାଦନ ଜାରି ରଖିଛନ୍ତି। କିନ୍ତୁ ସବୁ କଂପାନି ପାଖରେ ସେହି ସୁଯୋଗ ନାହିଁ। ‌ରୋଗ ବ୍ୟାପୁଥିବାରୁ ଓ ଲକ୍‌ଡାଉନ୍ ଲାଗିଥିବାରୁ ସମସ୍ତଙ୍କ ପାଇଁ ସ୍ଥିତି ଖରାପ ରହିଛି ବୋଲି ସେ କହିଛନ୍ତି।

ଗତକାଲି ରିପୋର୍ଟ ଆସିଥିଲା ଯେ ଆପଲ୍ କଂପାନି ଲାଗି ଭାରତରେ ଆଇଫୋନ୍ ତିଆରି କରୁଥିବା ସଂସ୍ଥା ଫକ୍ସକନ୍ ଏହାର ଚେନ୍ନାଇ କାରଖାନାରେ ଉତ୍ପାଦନ ୫୦% ହ୍ରାସ କରିଛି। କାରଖାନାରେ କରୋନା ସଂକ୍ରମଣ ବ୍ୟାପିବାରୁ ଉତ୍ପାଦନ ହ୍ରାସ କରିବାକୁ ପଡ଼ିଛି। ଏହି ସଂସ୍ଥା ଶାଓମି ପାଇଁ ମଧ୍ୟ ଫୋନ୍ ତିଆରି କରୁଛି। ଗବେଷଣା ସଂସ୍ଥା ଆଇଡିସିର ରିପୋର୍ଟ ଅନୁସାରେ ଫେବ୍ରୁଆରି ପରଠାରୁ ଦେଶକୁ ସ୍ମାର୍ଟଫୋନ୍ ଆସିବା ହ୍ରାସ ପାଇଛି। ୨୦୨୦ର ଅକ୍ଟୋବର-ଡିସେମ୍ବର ତ୍ରୟମାସ ତୁଳନାରେ ୨୦୨୧ ଜାନୁଆରି-ମାର୍ଚ୍ଚରେ ସ୍ମାର୍ଟଫୋନ୍ ଆଗମନ ୧୪% କମିଛି। ଅବଶ୍ୟ, ଗତବର୍ଷ ସହିତ ଯଦି ଏହି ସମୟକୁ ତୁଳନା କରାଯିବ ତେବେ ସେଥିରେ ୧୮% ବୃଦ୍ଧି ହୋଇଥିବା କୁହାଯାଇପାରିବ।

ମାଇକ୍ରୋମ୍ୟାକ୍ସର ସହ ପ୍ରତିଷ୍ଠାତା ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ ଏପ୍ରିଲ୍-ଜୁନ୍ ତ୍ରୟମାସରେ ସ୍ଥିତି ଖରାପ ରହିଛି। କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଜାହାଜରେ ସ୍ମାର୍ଟଫୋନ୍ ଆସିବା ପ୍ରଭାବିତ ହୋଇଛି। ଲକ୍‌ଡାଉନ୍ ହଟିବା ପରେ ସ୍ଥିତିରେ ସୁଧାର ହେବ। ଆଇଡିସିର ଗବେଷଣା ନିର୍ଦେଶକ ରବକିନ୍ଦର ସିଂହ କହିଛନ୍ତି ଯେ ୨୦୨୧ରେ ସୁଧାର ଏତେଟା ସହଜ ହେବନି। ଦ୍ବିତୀୟ ଲହରର ସମୟ ବଢ଼ିିଥିବା ବେଳେ ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ଚଳିତ ବର୍ଷ ସ୍ମାର୍ଟଫୋନ୍ ବଜାରରେ ଏକ ଅଙ୍କ ବିଶିଷ୍ଟ ବୃଦ୍ଧି ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe