ଷ୍ଟକ୍‌ ବଜାରରେ ନିବେଶ କରିବ ଇଏସ୍‌ଆଇ: ମିଳିବ ଅଧିକ ରିଟର୍ଣ୍ଣ, ଉପକୃତ ହେବେ ହିତାଧିକାରୀ

Advertisment
ଷ୍ଟକ୍‌ ବଜାରରେ ନିବେଶ କରିବ ଇଏସ୍‌ଆଇ: ମିଳିବ ଅଧିକ ରିଟର୍ଣ୍ଣ, ଉପକୃତ ହେବେ ହିତାଧିକାରୀ

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଭଣ୍ଡାରରେ ଥିବା ୯୧ ହଜାର କୋଟି ଟଙ୍କାର କିଛି ଅଂଶ ‌ଷ୍ଟକ ବଜାର ଓ କର୍ପୋରେଟ୍ ବଣ୍ଡ୍ ବଜାରରେ ନିବେଶ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଏବେ କମ୍ ସୁଧ ମିଳୁଥିବା ଫିକ୍ସଡ୍‌ ଡିପୋଜିଟ୍ ଭାବେ ଏହି ଟଙ୍କା ରହିଛି। ଅଧିକ ରିଟର୍ଣ୍ଣ ମିଳିବା ଆଶା ଥିବା ସ୍ଥାନରେ ସେହି ପାଣ୍ଠି ନିବେଶ କରିବାକୁ ସରକାର ଚାହୁଛନ୍ତି। ନିବେଶରୁ ଅଧିକ ରିଟର୍ଣ୍ଣ ମିଳିଲେ ସେହି ଟଙ୍କାରେ ନିଗମ ଏହାର ସଦସ୍ୟମାନଙ୍କୁ ଆହୁରି ଉନ୍ନତ ସୁବିଧା ଯୋଗାଇପାରିବ। ବର୍ତ୍ତମାନ ସମୟରେ ନିଗମ ଏହାର ପାଣ୍ଠିକୁ ସରକାରୀ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଭାବେ ଓ ସରକାରୀ ଉଦ୍ୟୋଗର ବଣ୍ଡ୍‌ରେ ନିବେଶ କରୁଛି। ଇଏସ୍‌ଆଇ ଅଧୀନରେ ୪୧ ନିୟୁତ ବୀମାଭୁକ୍ତ ବ୍ୟକ୍ତି ଅଛନ୍ତି। ସେମାନଙ୍କ ପରିବାରବର୍ଗଙ୍କୁ ସାମିଲ କରାଗଲେ ଇଏସ୍‌ଆଇର ମୋଟ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧୩.୨୪ କୋଟି।

ଇଏସ୍‌ଆଇସିର ପାଣ୍ଠିକୁ ମ୍ୟୁଚୁଆଲ୍ ଫଣ୍ଡ୍‌, କର୍ପୋରେଟ୍ ବଣ୍ଡ୍‌, ଘରୋଇ‌ ‌କ୍ଷେତ୍ରର ବ୍ୟାଙ୍କ ଜାରି କରୁଥିବା କମର୍ସିଆଲ୍‌ ପେପର ଓ ଇକ୍ବିଟି ଆଦିରେ ନିବେଶ କରିବା ବିଷୟରେ ବିଚାରବିମର୍ଶ ଜାରି ରହିଛି। ମାସିକ ୨୧ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଚାରୀମାନଙ୍କ ବେତନର ଏକ ନିର୍ଦିଷ୍ଟ ଭାଗ ଇଏସ୍‌ଆଇସିରେ ଜମା କରାଯାଏ। ଶିଳ୍ପ ‌କାରଖାନାଗୁଡ଼ିକରେ କାର୍ଯ୍ୟ କରୁଥିବା‌ ଅନେକ ଶ୍ରମିକ ଏହା ଅଧୀନରେ ରହିଛନ୍ତି। ଇଏସ୍‌ଆଇସି ଏହାର ସଦସ୍ୟ ଓ ସେମାନଙ୍କ ପରିବାରକୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଭଣ୍ଡାରରେ ଥିବା ପାଣ୍ଠିର କିଛି ଅଂଶକୁ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍ ଜରିଆରେ ଷ୍ଟକ ବଜାରରେ ନିବେଶ କରୁଛି। ଅର୍ଥ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ ଏହି କାର୍ଯ୍ୟ ହେଉଛି। ଇଏସ୍‌ଆଇ ମଧ୍ୟ ସେହି ଢାଞ୍ଚାରେ ଷ୍ଟକ ବଜାରରେ ନିବେଶ କରିପାରେ। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଇଏସ୍‌ଆଇସି ପାଖରେ ୯୧,୪୪୪.୦୭ କୋଟି ଟଙ୍କା ଥିଲା। ସେଥିରୁ ୧୫,୭୩୦ କୋଟି ଟଙ୍କା ‌ସ୍ବତନ୍ତ୍ର ଜମା ଖାତାରେ ଓ ୭୫,୭୧୩.୯୦ କୋଟି ଟଙ୍କା ସରକାରୀ ବ୍ୟାଙ୍କରେ ଫିକ୍ସଡ୍‌ ଡିପୋଜିଟ୍ ଭାବେ ରଖାଯାଇଛି। ଇପିଏଫ୍‌ଓ ଭଳି ଇଏସ୍‌ଆଇ ମଧ୍ୟ ପ୍ରତିବର୍ଷ ଆସୁଥିବା ପାଣ୍ଠିର ୧୫% ରାଶି ଅନ୍ୟତ୍ର ନିବେଶ କରିପା‌ରିବ। ଇପିଏଫ୍‌ଓ ଏହାର ପାଣ୍ଠିକୁ ସେନ୍‌ସେକ୍ସ ଓ ନିଫ୍‌ଟି ଇଟିଏଫ୍‌, କେନ୍ଦ୍ରୀୟ ପିଏସ୍‌ୟୁ ଇଟିଏଫ୍‌ ଓ ଭାରତ ୨୨ ଇଟିଏଫ୍‌ରେ ନିବେଶ କରୁଛି। ସେବିର ମଞ୍ଜୁରି ହାସଲ କରିଥିବା ଡେବଟ୍‌ ଇଟିଏଫ୍‌ରେ ମଧ୍ୟ ଏହା ନିବେଶ କରିବାର ଅନୁମତି ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe