ବରଗଡ଼ରେ ଇଥାନଲ୍‌ ପ୍ଲାଣ୍ଟ୍

୧୦ରେ ଭିତ୍ତିପ୍ରସ୍ତର ‌ସ୍ଥାପନ, ୧୦୦୦ କୋଟି ନିବେଶ, ଦୁଇ ବର୍ଷରେ କାର୍ଯ୍ୟକ୍ଷମ

ବରଗଡ଼ରେ ଇଥାନଲ୍‌ ପ୍ଲାଣ୍ଟ୍

ଭୁବନେଶ୍ବର: ନଡ଼ାରେ ରହିଛି ଏଭଳି ଶକ୍ତି ଯାହା ଦେଶର ପେଟ୍ରୋଲ୍ ସମସ୍ୟା ସମାଧାନ କରିପାରିବ। ଏହା ଦେଶର ତେଲ ଆମଦାନି ଖର୍ଚ ଓ ପ୍ରଦୂଷଣ ମାତ୍ରାକୁ କମ୍ ମଧ୍ୟ କରିପାରିବ। ରାଷ୍ଟ୍ରାୟତ୍ତ ତେଲ କଂପାନି ଭାରତ ପେଟ୍ରୋଲିୟମ୍ ପକ୍ଷରୁ ନଡ଼ାକୁ ବ୍ୟବହାର କରି ଇଥାନଲ୍ ଉତ୍ପାଦନ କରିବା କାମ ଆରମ୍ଭ କରାଯିବ। ବରଗଡ଼ ଜିଲ୍ଲାର ଭଟଲି ତହସିଲର ବଉଳାସିଂହା ଗ୍ରାମରେ କଂପାନି ଦେଶର ପ୍ରଥମ ନଡ଼ାଭିତ୍ତିକ ଇଥାନଲ୍ କାରଖାନା ସ୍ଥାପନ କରିବ। ସେହି ଇଥାନଲ୍‌କୁ ପେଟ୍ରୋଲ୍‌ରେ ମିଶାଇ ବିକ୍ରି କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆସନ୍ତା ୧୦ ତାରିଖରେ ବରଗଡ଼ଠାରେ ଏହି ପ୍ରସ୍ତାବିତ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ। କାରଖାନାରେ ବର୍ଷକୁ ୩ କୋଟି ଲିଟର ଇଥାନଲ୍ ଉତ୍ପାଦନ ହୋଇପାରିବ। ୫୮ ଏକର ଜମିରେ ୧୦୦୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ ବୋଲି କଂପାନିର ସିଜିଏମ୍-ବାୟୋଫୁଏଲ୍‌ ସଞ୍ଜୀବ ପଲ୍‌ କହିଛନ୍ତି।

ସେ କହ‌ିଲେ, ଦେଶର ୧୨ଟି ରାଜ୍ୟରେ ଇଥାନଲ୍‌ କାରଖାନା ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ କାରଖାନାକୁ ଆମ କଂପାନି ତରଫରୁ ବରଗଡ଼ରେ ସ୍ଥାପନ କରାଯିବ। ଏଠାରେ ଦ୍ବିତୀୟ ପିଢ଼ିର ଇଥାନଲ୍ ଉତ୍ପାଦନ ହେବ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରୁ ନଡ଼ା ସଂଗ୍ରହ କରାଯିବ। କାରଖାନାର ଆବଶ୍ୟକତା ପୂରଣ କରିବା ପାଇଁ ବର୍ଷକୁ ୨ ଲକ୍ଷ ଟନ୍ ନଡ଼ା ସଂଗ୍ରହ କରାଯିବ। ଭଟଲି, ଆମ୍ବାଭୋନା, ସୋହେଲା, ବୁର୍ଲା ଓ ଲଖନପୁର ଆଦି ସ୍ଥାନରୁ କଂପାନି ନଡ଼ା ସଂଗ୍ରହ କରିବ ବୋଲି ସେ କହିଛନ୍ତି। କଂପାନି ପକ୍ଷରୁ ନଡ଼ା ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । କିନ୍ତୁ ନଡ଼ା ପାଇଁ ଚାଷୀଙ୍କୁ କେତେ ଟଙ୍କା ପ୍ରଦାନ କରାଯିବ ତାହା ଧାର୍ଯ୍ୟ କରାଯାଇନାହିଁ ବୋଲି ବୋଲି ଶ୍ରୀ ପଲ୍ କହିଛନ୍ତି । ପ୍ରସ୍ତାବିତ କାରଖାନାର ପାଚେରୀ ନିର୍ମାଣ କାମ ଆରମ୍ଭ ‌େହାଇଯାଇଛି। ପ୍ରକଳ୍ପ ପାଇଁ ପରିବେଶ ଓ ଜଙ୍ଗଲ ମଞ୍ଜୁରି ମିଳିସାରିଛି। ୨୦୨୦ ଡିସେମ୍ବର ସୁଦ୍ଧା ଏହି କାରଖାନା କାର୍ଯ୍ୟକ୍ଷମ ହେବ ବୋଲି କଂପାନି ଆଶା ରଖିଛି। ଏହି ପ୍ରକଳ୍ପ ଯୋଗୁ ୧୨୦୦ ପ୍ରତ୍ୟକ୍ଷ ଓ ପରୋକ୍ଷା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରକଳ୍ପ ପାଇଁ ପୁନେର ସଂସ୍ଥା ପ୍ରାଜ୍ ଇଣ୍ଡଷ୍ଟ୍ରିଜ୍ ପ୍ରଯୁକ୍ତି ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଦେଶରେ ବିକ୍ରି ହେଉଥିବା ପେଟ୍ରୋଲ୍‌ରେ ୩-୪% ଇଥାନଲ୍ ମିଶାଯାଉଛି। ୨୦୩୦ ସୁଦ୍ଧା ଏହାକୁ ୨୦% ପର୍ଯ୍ୟନ୍ତ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଇଥାନଲ୍ ପରିବେଶ ଅନୁକୂଳ ଇନ୍ଧନ ହୋଇଥିବା ବେଳେ ଏହାର ଉତ୍ପାଦନ ବଢ଼ିଲେ ସରକାରଙ୍କୁ ଅଶୋଧିତ ତେଲ କିଣିବା ପାଇଁ ବିପୁଳ ଡଲାର ଖର୍ଚ କରିବାକୁ ପଡ଼ିବନି।
ଏହି ଅବସରରେ ଭାରତ ପେଟ୍ରୋଲିୟମ୍‌ର ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟ ଦେବାଶିଷ ପାଲିତ ଓ ଡିଜିଏମ୍ (ବ୍ରାଣ୍ଡ୍‌ ଓ ପିଆର୍‌) ଏସ୍‌ ଏସ୍‌ ସୁନ୍ଦରରାଜନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe