ଦେଶରେ ଶୀଘ୍ର ଇଥାନଲ ପମ୍ପ ଖୋଲିବ

Advertisment
ମୁଁ କେବେ ବି ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ନଥିଲି: ଗଡ଼କରୀ

Image Courtesy: News Today

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶୀଘ୍ର ଇଥାନଲ ପମ୍ପ ଖୋଲିବ। ନାଗପୁରଠାରେ ଏକ ପ୍ରଦର୍ଶନୀକୁ ଶୁକ୍ରବାର ଉଦ୍‌ଘାଟନ କରି ଏହା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସେ ଏହା ମଧ୍ୟ କହିଛନ୍ତି ଯେ ସେଦିନ ଆଉ ବେଶି ଦୂର ନୁହେଁ ଯେତେବେଳେ ବାଇକ, ଅଟୋରିକ୍ସା ଏବଂ କାର୍‌ ସଂପୂର୍ଣ୍ଣ ଭାବେ ଇଥାନଲରେ ଚାଲିବ। ଟୟୋଟା ୧୦୦ ପ୍ରତିଶତ ଇଥାନଲରେ ଚାଲୁଥିବା ଏକ କାରକୁ ଉକ୍ତ ପ୍ରଦର୍ଶନୀକୁ ଆଣିଛି। ଶୀଘ୍ର ବିଏମଡବ୍ଲୁ, ମର୍ସିଡିସ୍‌, ହୁଣ୍ଡାଇ ଏବଂ ମାରୁତି ସୁଜୁକି ଭଳି କମ୍ପାନି ଜୈବ ଇନ୍ଧନରେ ଚାଲୁଥିବା କାର ଆରମ୍ଭ କରିବା ନେଇ ଆଶା ରହିଛି ବୋଲି ସେ କହିଛନ୍ତି।

ଜୈବ ଇନ୍ଧନ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ଗଡ଼କରୀ କହିଛନ୍ତି ଏହା ଡିଜେଲର ବିକଳ୍ପ ହେବା ସହିତ ଶସ୍ତା, ସ୍ବଚ୍ଛ ଏବଂ ବିଦେଶୀ ମୁଦ୍ରା ସଞ୍ଚୟକାରୀ ଇନ୍ଧନ ହେବ। ସରକାର ଦେଶରେ ଆଖୁ ‌ରସ, ମୋ‌ଲାସେସ, ଧାନ, ମକା ଏବଂ ଖାଦ୍ୟଶସ୍ୟରୁ ପ୍ରସ୍ତୁତ ହେଉଥିବା ଇଥାନଲ ଶିଳ୍ପକୁ ଉତ୍ସାହିତ କରୁଛନ୍ତି। ଜମିକୁ ପାରମ୍ପରିକ ଚାଷ ପରିବର୍ତ୍ତେ ଶକ୍ତି କ୍ଷେତ୍ର ଲାଗି ଉପଯୋଗ କରିବାର ଆବଶ୍ୟକତା ରହିଛି। ୧୦୦ ପ୍ରତିଶତ ଇଲେକ୍ଟ୍ରିକ, ଇଥାନଲ ଏବଂ ସବୁଜ ହାଇ‌ଡ୍ରୋଜେନ ହେଉଛି ଭବିଷ୍ୟତ ଏବଂ ଏହା ଉପରେ କାର୍ଯ୍ୟ କରାଯାଉଛି। ଆସନ୍ତା ୨ ବର୍ଷରେ ସଂପୂର୍ଣ୍ଣ ଚିତ୍ର ବଦଳିଯିବ ବୋଲି ସେ କହିଛନ୍ତି।

ବିଦର୍ଭ ଅଞ୍ଚଳରେ ଜୈବ-ସିଏନ୍‌ଜି ପ୍ଲାଣ୍ଟ ସ୍ଥାପନ ହେବ। ଆସନ୍ତା କିଛିମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ପ୍ଲାଣ୍ଟ ସ୍ଥାପନ ପାଇଁ ସେ ଆହ୍ବାନ ଦେଇଛନ୍ତି। ଭାରତୀୟ ତୈଳ ନିଗମ ଦୈନିକ ୧ ଲକ୍ଷ ଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଇଥାନଲ ଏବଂ ୧୫୦ ଟନ ବିଶିଷ୍ଟ ଜୈବ ବିଟୁମେନ ପ୍ଲାଣ୍ଟ ହରିୟାଣାର ପାନିପତ ଠାରେ ସ୍ଥାପନ କରିଛି। ଉଭୟ ଇଥାନଲ ଏବଂ ବିଟୁମେନ କୁଟାରୁ ପ୍ରସ୍ତୁତ ହେବ। ଜୈବ-ବିଟୁମେନ୍ ପ୍ଲାଣ୍ଟ ମାଧ୍ୟମରେ କୃଷକମାନେ ରାସ୍ତା ନିର୍ମାଣରେ ସେମାନଙ୍କ ଯୋଗଦାନ ରଖୁଛନ୍ତି। ନଡ଼ା ପୋଡ଼ି ଦ୍ବାରା ଦିଲ୍ଲୀରେ ଯେଉଁ ପ୍ରଦୂଷଣ ହେଉଛି ତାହାକୁ ରୋକାଯାଇ ପାରିବ ବୋଲି ଗଡ଼କରୀ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe