ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌: ଆସିବେ ୫୦୦୦ ପ୍ରତିନିଧି

Advertisment

ଚଳିତ ମାସ ୨୮ ଓ ୨୯ ତାରିଖରେ ଜନତା ମଇଦାନରେ ଆୟୋଜନ କରାଯିବ ରାଜ୍ୟର ପ୍ରମୁଖ ନିବେଶ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌। ସେଥିରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ...

ଚଳିତ ମାସ ୨୮ ଓ ୨୯ ତାରିଖରେ ଜନତା ମଇଦାନରେ ଆୟୋଜନ କରାଯିବ ରାଜ୍ୟର ପ୍ରମୁଖ ନିବେଶ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌। ସେଥିରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ...

sdsdsd

ଭୁବନେଶ୍ବର: ଚଳିତ ମାସ ୨୮ ଓ ୨୯ ତାରିଖରେ ଜନତା ମଇଦାନରେ ଆୟୋଜନ କରାଯିବ ରାଜ୍ୟର ପ୍ରମୁଖ ନିବେଶ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌। ସେଥିରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ଭାରତ ଓ ଅନ୍ୟ ୧୨ଟି ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ସମେତ ୫୦୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏନେଇ ସୂଚନା ଦେଇଛନ୍ତି। ଜାନୁଆରି ୨୮ରେ ଏହି କନ୍‌କ୍ଲେଭ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟମାନେ ଉପସ୍ଥିତ ରହିବେ। 

୧୨ଟି ଦେଶରୁ ଆସିବେ ନିବେଶକ
୨୭ରେ ହେବ ୫ଟି ଅଧିବେଶନ
୬୦ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ

ଶ୍ରୀ ଶର୍ମା କହିଛନ୍ତି ଯେ ‌ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ୍‌, ଜର୍ମାନୀ, ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ଭଳି ୧୨ଟି ଦେଶର ନିବେଶକଙ୍କୁ ଆମନ୍ତ୍ରଣ କରାଯାଇଛି। ରାଜ୍ୟ ସରକାର ୪୦୦ଟି ଫର୍ଚୁନ୍ କମ୍ପାନି ମଧ୍ୟରୁ ୧୦୦ଟି କମ୍ପାନିକୁ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ଏହି ଦୁଇଦିନିଆ ସମ୍ମିଳନୀରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ ବୋଲି ସେ କହିଛନ୍ତି। କନ୍‌‌କ୍ଲେଭ୍‌ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନା ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ରସାୟନ, ବୟନ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ପାଞ୍ଚଟି ଫୋକସ୍‌ କ୍ଷେତ୍ର ଭାବେ ଚୟନ କରାଯାଇଛି। ଯଦିଓ ୨୮ ଓ ୨୯ରେ କନ୍‌କ୍ଲେଭ୍‌ ଆୟୋଜନ କରିବାକୁ ସ୍ଥିର ହୋଇଛି, କିନ୍ତୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜାନୁଆରି ୨୭ରେ ପାଞ୍ଚଟି ଅଧିବେଶନ ଆୟୋଜନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କନ୍‌କ୍ଲେଭ୍‌ର ସହଯୋଗୀ ଥିବା ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)ର ଜାତୀୟ ପରିଷଦ ପ୍ରାୟ ୨୦୦ ବରିଷ୍ଠ ସଦସ୍ୟ ଓଡ଼ିଶା ଆସୁଥିବାରୁ ତାହାର ଲାଭ ଉଠାଇବା ଲାଗି ଏହି ଅଧିବେଶନଗୁଡ଼ିକ ଆୟୋଜନ କରିବାକୁ ଯୋଜନା ହୋଇଛି। ସେଥିରେ ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗଦେଇ ଶିଳ୍ପାୟନ, ଶିଳ୍ପ ଭିତ୍ତିଭୂମି, ପ୍ରୋତ୍ସାହନ ଆଦି ଉପରେ ଆଲୋଚନା କରିବେ।

ସିଆଇଆଇ ସଦସ୍ୟଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏକ ବଡ଼ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବାକୁ ସ୍ଥିର ହୋଇଛି। ଜାନୁଆରି ୨୮ ପୂର୍ବାହ୍ନରେ ବିଶିଷ୍ଟ ଶିଳ୍ପପତିମାନେ ଆସିବେ। ସେହିଦିନ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ଏବଂ ଅପରାହ୍ନରେ ପାଞ୍ଚଟି ଅଧିବେଶନ ଆୟୋଜନ କରାଯିବ। କନ୍‌କ୍ଲେଭ୍‌ର ଦ୍ବିତୀୟ ଦିନ (ଜ‌ାନୁଆରି ୨୯) ୧୦ଟି ଅଧିବେଶନ ଆୟୋଜନ କରାଯିବ। ଉଦ୍‌ଯାପନୀ ସମାରୋହରେ ରାଜ୍ୟର ୩୦ଟି ଜିଲ୍ଲାରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ) କ୍ଷେତ୍ରରେ କାର୍ଯ୍ୟ କରୁଥିବା ୬୦ ଜଣ ଯୁବ ଉଦ୍ୟୋଗୀଙ୍କୁ ଚୟନ କରାଯିବ ଯେଉଁମାନଙ୍କ ବୟସ ୪୦ ବର୍ଷରୁ କମ୍। ପ୍ରତି ଜିଲ୍ଲାରୁ ୨ ଜଣ ଲେଖାଏଁ ଉଦ୍ୟୋଗୀଙ୍କୁ ଚୟନ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। କନ୍‌କ୍ଲେଭ୍‌ର ସାଂସ୍କୃତିକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ମଧ୍ୟ ଯୋଜନା ରହିଛି ବୋଲି ଶ୍ରୀ ଶର୍ମା କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe