ଖୁଚୁରା ବ୍ୟବସାୟୀଙ୍କ ପାଇଁ ମହଜୁଦ ସୀମା : ୨ ଟନ୍‌ରୁ ଅଧିକ ପିଆଜ ରଖିପାରିବେନି

ପିଆଜ ରପ୍ତାନି କମିବ : ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ ୮୦୦ ଡଲାର କଲେ ସରକାର, ଘରୋଇ ବଜାରରେ ବଢ଼ିବ ଉପଲବ୍ଧତା

The Tribune

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ହେଲା ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏପରିକି କେତେକ ସହରରେ ଏହି ଦର ସେଞ୍ଚୁରି ମାରିବାକୁ ବସିଲାଣି। ଏହା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ତେଣୁ ଦର ନିୟନ୍ତ୍ରଣ ଲାଗି ବ୍ୟବସାୟୀଙ୍କ ପାଇଁ ମହଜୁଦ ସୀମା ଧାର୍ଯ୍ୟ କରାଯାଇଛି। ପାଇକାରୀ ବ୍ୟବସାୟୀଙ୍କ ପାଇଁ ମହଜୁଦ ସୀମା ୨୫ ଟନ୍ ଧାର୍ଯ୍ୟ କରାଯାଇ ଥିବାବେଳେ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଏହି ସୀମାକୁ ୨ ଟନ୍‌ରେ ରଖାଯାଇଛି। ଅର୍ଥାତ୍ ବ୍ୟବସାୟୀମାନେ ଏହି ଧାର୍ଯ୍ୟ ପରିମାଣଠାରୁ ଅଧିକ ପିଆଜ ନିଜ ପାଖରେ ରଖିପାରିବେ ନାହିଁ। ତେବେ ଆମଦାନି ହୋଇଥିବା ପିଆଜ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

ମୋଦୀ ସରକାରଙ୍କ ପକ୍ଷରୁ ପିଆଜ ଦର ଉପରେ ଲଗାମ ଲଗାଇବା ପାଇଁ ଉକ୍ତ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ବିଟ୍ କରି ଆଜି ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କର୍ଣ୍ଣାଟକର ବେଙ୍ଗାଲୁରୁରେ ଗତମାସକ ମଧ୍ୟରେ ପିଆଜ ଦର ୪ ଗୁଣ ମହଙ୍ଗା ହୋଇଯାଇଛି। ଗତମାସ ସେପ୍ଟେମ୍ବରରେ ପିଆଜ ଦର କିଲୋ ପିଛା ୨୨ ଟଙ୍କା ରହିଥିଲା। କିନ୍ତୁ ଚଳିତମାସ ୨୨ ତାରିଖରେ ଏହି ଦର ୮୮ ଟଙ୍କାରେ ପହଞ୍ଚି ଯାଇଛି। ମହାରାଷ୍ଟ୍ରର ନାସିକରେ ଦେଶର ବଡ଼ ପିଆଜ ବଜାର ରହିଛି। ସେଠାକାର ଲାସଲଗାଓଁ ପାଇକାରୀ ବଜାରରେ ମଧ୍ୟ ଏବେ ଦର ଅଧିକ ରହିଛି। ଏହି ସ୍ଥାନରୁ ମହାରାଷ୍ଟ୍ର ଏବଂ ଦେଶର ଅନ୍ୟାନ୍ୟ ରାଜ୍ୟକୁ ବିପୁଳ ପରିମାଣର ପିଆଜ ବିକ୍ରି ଲାଗି ଯାଇଥାଏ। ପରିସ୍ଥିତି ଏଭଳି ହୋଇଛି ଯେ, ଏଠାକାର ଖୁଚୁରା ବଜାରରେ ମଧ୍ୟ ପିଆଜ ଦର କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଛି। ପୁଣେରେ ଦର ଏହାଠାରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe