ଫେସନ ବଜାର: ଇଏମ୍‌ଆଇରେ ପୋଷାକ କିଣା

Advertisment
ଫେସନ ବଜାର: ଇଏମ୍‌ଆଇରେ ପୋଷାକ କିଣା

ଟିଭି, ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଆଦି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଠାରୁ ଆରମ୍ଭ କରି କାର୍‌ ଏବଂ ବାଇକ୍‌ ପର୍ଯ୍ୟନ୍ତ ଅନେକ ଜିନିଷ ମାସିକିଆ କିସ୍ତି ବା ଇଏମ୍‌ଆଇ ଜରିଆରେ ଉପଲବ୍ଧ ହେଉଛି। ଯେହେତୁ ଏହି ସାମଗ୍ରୀଗୁଡ଼ିକର ମୂଲ୍ୟ ଅଧିକ ରହିଥାଏ ଏବଂ ସବୁ ଗ୍ରାହକମାନଙ୍କ ପାଇଁ ଏକକାଳୀନ ଏତେ ଟଙ୍କା ଖର୍ଚ କରିବା ସମ୍ଭବପର ହୁଏନାହିଁ, ସେଥିପାଇଁ ଇଏମ୍‌ଆଇର ସାହାରା ନିଆଯାଏ। ଏବେ ଏହି ସୁବିଧା ପୋଷାକ କିଣିବା କ୍ଷେତ୍ରରେ ଲାଗୁ ହୋଇଛି। ଯେଉଁମାନେ ବ୍ରାଣ୍ଡେଡ୍‌ ପୋଷାକ ଖରିଦ କରୁଛନ୍ତି ସେମାନେ ଜାଣିଥିବେ ସେଗୁଡ଼ିକର ମୂଲ୍ୟ କେତେ ଅଧିକ। ତେବେ ସବୁ ବର୍ଗର ଗ୍ରାହକଙ୍କ ପାଖରେ ଦାମୀ ପୋଷାକ ପହଞ୍ଚାଇବା ପାଇଁ ମିନ୍ତ୍ରା ନାମକ ସଂସ୍ଥା ପକ୍ଷରୁ ଇଏମ୍‌ଆଇ ସୁବିଧା ଆରମ୍ଭ କରାଯାଇଛି। ପୋଷାକ କିଣାକିଣିକୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନା:

ପ୍ରଥମ ପସନ୍ଦ ନୂଆ ଫେସନ
ମିନ୍ତ୍ରାର ସିଇଓ ଅନନ୍ତ ନାରାୟଣନଙ୍କ କହିବାନୁଯାୟୀ, ଅନଲାଇନ୍‌ରେ ସପିଙ୍ଗ କରିବାରେ ବେଳେ ଗ୍ରାହକମାନେ ନୂଆ ଫେସନ୍‌କୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି।ଲୋକମାନେ ଅନଲାଇନ୍‌ରେ ଆକ୍ଟିଭ୍‌ ଓୟାର୍‌, କାଜୁଆଲ୍‌, ଜିନ୍‌ସ, ଟି-ସାର୍ଟ, ମହିଳା ଫେସନ୍‌ ପୋଷାକ, ଜୋତା, ଘଣ୍ଟା, ପର୍ସ, ସକ୍ସ ଓ ବେଲ୍‌ଟ ଭଳି ଆକ୍‌ସେସୋରିଜ୍‌ ଅଧିକ କିଣୁଛନ୍ତି। ଭିଡ଼ ଭିତରେ ଅନ୍ୟମାନଙ୍କଠାରୁ ଅଲଗା ଦେଖାଯିବା ପାଇଁ ଯୁବପିଢ଼ି ନୂଆ ଫେସନ୍‌କୁ ଗୁରୁତ୍ୱ ଦେଉଛନ୍ତି।

କ୍ରେଡିଟ୍‌ କାର୍ଡରେ ପେମେଣ୍ଟ୍‌

publive-imageଅନଲାଇନ୍‌ରେ ସାମଗ୍ରୀ କିିଣିବା ବେଳେ ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ କିମ୍ବା କ୍ୟାସ୍‌ ଅନ୍‌ ଡେଲିଭରି (ସିଓଡି)ରେ ପେମେଣ୍ଟ୍‌ କରାଯାଏ। ଯୁବପିଢ଼ି କ୍ରେଡିଟ୍‌ କାର୍ଡ ଜରିଆରେ ପେମେଣ୍ଟ୍‌ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ଦେଶର ପ୍ରାୟ ସବୁ ଇ-କମର୍ସ କଂପାନି ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ କାର୍ଡ, ସିଟି ବ୍ୟାଙ୍କ, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ଆମେକ୍ସ ଏବଂ ଏଚ୍‌ଏଚ୍‌ବିସି ଭଳି ସଂସ୍ଥା ସହିତ ସହବନ୍ଧନ ସ୍ଥାପନ କରିଛନ୍ତି। କ୍ରେଡିଟ୍‌ କାର୍ଡରେ କିଣାକିଣି ଉପରେ ୧୩-୧୫% ସୁଧ ଗଣିବାକୁ ପଡୁଛି। ତିନି ମାସରୁ ଆରମ୍ଭ କରି ୨୪ ମାସ ପର୍ଯ୍ୟନ୍ତ ଯେ କୌଣସି ଅବଧିର ଇଏମ୍‌୍‌ଆଇକୁ ଗ୍ରାହକମାନେ ଚୟନ କରିପାରୁଛନ୍ତି।

କଂପାନିଙ୍କ ଟାର୍ଗେଟ୍‌ରେ ଯୁବପିଢ଼ି
ଅନଲାଇନ୍‌ରେ ପୋଷାକ ବିକ୍ରି କରୁଥିବା ସଂସ୍ଥାଙ୍କ ଟାର୍ଗେଟ୍‌ରେ ରହିଛନ୍ତି ଯୁବପିଢ଼ି। ବିଶେଷ କରି ୩୦-୩୫ ବର୍ଷରୁ କମ୍‌ ବୟସର ପିଲାମାନେ। ସେମାନେ ପୋଷାକକୁ ନେଇ ସବୁ ବେଳେ ପରୀକ୍ଷା ନିରୀକ୍ଷା କରିବାକୁ ଚାହାନ୍ତି। ଷ୍ଟାଇଲ୍‌ ଓ ଫେସନ୍‌କୁ ଅଧିକ ଗୁରୁତ୍ୱ ଦିଅନ୍ତି। ଭଲ ପୋଷାକ ହେଲେ ଅଧିକ ଟଙ୍କା ଖର୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ। ଚାକିରି କରୁଥିବା ଯୁବକଯୁବତୀମାନେ ଦାମୀ ପୋଷାକ କିଣିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ସେମାନେ କ୍ରେଡିଟ୍‌ କାର୍ଡ ଜରିଆରେ ଦାମୀ ପୋଷାକ କିଣନ୍ତି ଏବଂ ବିଲ୍‌କୁ ଇଏମ୍‌ଆଇରେ ରୂପାନ୍ତରିତ କରିଥାନ୍ତି।

୫୦ ଟଙ୍କାରୁ କିସ୍ତି ଆରମ୍ଭ

publive-imageଦେଶର ପ୍ରଥମ ଅନ୍‌ଲାଇନ୍‌ ସଂସ୍ଥା ଭାବେ ମିନ୍ତ୍ରା ପକ୍ଷରୁ ମାସିକ ୫୦ ଟଙ୍କାର କିସ୍ତିରେ ପୋଷାକ ଉପଲବ୍ଧ କରାଯାଉଛି। ୧୩୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପୋଷାକ କିଣିବା ବେଳେ ଏହି ସୁବିଧା ମିଳିବ। ଦେଶରେ ମିନ୍ତ୍ରା ପ୍ରଥମ ଥର ପାଇଁ ଏଭଳି ସୁବିଧା ପ୍ରଦାନ କରୁଛି। ପୋଷାକ ବଜାର ତୀବ୍ର ପ୍ରତିଦ୍ୱନ୍ଦିତାପୂର୍ଣ୍ଣ। ଏବେବି ମଲ୍‌ ଏବଂ ଦୋକାନଗୁଡ଼ିକରେ ଅଧିକ ପରିମାଣର ପୋଷାକ ବିକ୍ରି ହେଉଛି। ସେମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ଅନଲାଇନ୍‌ କଂପାନିଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ିଲାଣି। ଗ୍ରାହକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ମିନ୍ତ୍ରା ଏଭଳି ପଦକ୍ଷେପ ଗ୍ରହଣ କରିଛି।

୧୦ ହଜାର କୋଟି ଡଲାରର ବଜାର
ଭାରତୀୟ ପୋଷାକ ବଜାର ପରିମାଣ ୧୦ ହଜାର କୋଟି ଡଲାରରୁ ଅଧିକ। ଅଫ୍‌ଲାଇନ୍‌ରେ ଏହି ବଜାର ୮-୧୦% ହାରର ଅଭିବୃଦ୍ଧି ହାସଲ କରୁଛି। ମୋଟ ବିକ୍ରିରେ ଅନଲାଇନ୍‌ର ଅବଦାନ ୧୦% ଭିତରେ ରହିିଛି। କିନ୍ତୁ ଏହି ବଜାର ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ୨୦୨୦ ସୁଦ୍ଧା ୩୦% ପୋଷାକ ଅନଲାଇନ୍‌ ବଜାରରେ ବିକ୍ରି ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବ୍ରାଣ୍ଡେଡ୍‌ ପୋଷାକ ଅଧିକ ମାତ୍ରାରେ ଅନଲାଇନ୍‌ରେ ବିକ୍ରି ହେବ ବୋଲି ସେମାନେ ଆକଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe