Rediffmail
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ନୀତିକୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରୁନଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ଜି୨୦ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ହେଉଛି ଏଭଳି ଏକ ଦେଶ ଯାହା ଦ୍ରୁତ ଗତିରେ ଦୌଡ଼ୁଛି। କିନ୍ତୁ ଏହା ହେଉଛି ଏକ ଗରିବ ଦେଶ। ସିଏନ୍ଏନ୍ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଜନସଂଖ୍ୟାରେ ଯୁବଶକ୍ତିର ଭାଗ ଅଧିକ ଥିବାର ଲାଭ ଏବେ ଭାରତକୁ ମିଳୁଛି। ବହୁ ସଂଖ୍ୟାରେ ଯୁବକଯୁବତୀ ଶ୍ରମ ବଜାରରେ ଯୋଗ ଦେଉଛନ୍ତି। ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଗଲେ ଭାରତ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବ ବୋଲି ସେ କହିଛନ୍ତି। ତୁଳନାତ୍ମକ ଭାବେ ବିକଶିତ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ଜଣାପଡ଼ୁଛି। ଭାରତର ଜନସଂଖ୍ୟା ବହୁତ। ମୋଟ ଜିଡିପି ତୁଳନାରେ ବ୍ରିଟେନ୍କୁ ଏହା ଅତିକ୍ରମ କରିଛି। ସ୍ଥିର ହୋଇଯାଇଥିବା ଜାପାନ ଓ ଜର୍ମାନୀକୁ ଅତିକ୍ରମ କରି ଏହା ତୃତୀୟ ବଡ଼ ଅର୍ତନୀତି ଭାବେ ଉଭା ହେବାକୁ ଯାଉଛି। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଭାରତ ଯେତେବେଳେ ବୟସ୍କ ଦେଶ ହୋଇଯିବ ସେତେବେଳେ ଭାରତୀୟମାନେ ଧନୀ ହୋଇଥିବେ କି? ରାଜନ ଏହି ପ୍ରଶ୍ନ କରିଛନ୍ତି।
୨୦୪୭-୫୦ ସୁଦ୍ଧା ଭାରତର ଅଧିକାଂଶ ଲୋକ ବୟସ୍କ ହୋଇଯିବେ। ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬-୬.୫ ପ୍ରତିଶତ ହାରରେ ଆଗକୁ ବଢ଼ିଲେ ସେହି ସମୟ ସୁଦ୍ଧା ଲୋକମାନେ ଧନୀ ହୋଇପାରିବେନି ବୋଲି ସେ କହିଛନ୍ତି। ସଡ଼କ ଓ ରେଳପଥ ନିର୍ମାଣରେ ମିଳିଥିବା ସଫଳତା ଲାଗି ମୋଦୀ ସରକାରଙ୍କୁ ପ୍ରଶଂସା କରିବା ସହ ସେ କହିଛନ୍ତି ଯେ ଏକଛତ୍ରବାଦ ଶାସନ ସମୟରେ ଏଭଳି କାର୍ଯ୍ୟ ସମ୍ଭବ ହୋଇଥାଏ। ଜନସଂଖ୍ୟାର ଏକ ନିର୍ଦ୍ଦିଷ୍ଟ ଭାଗକୁ ଦ୍ବିତୀୟ ଶ୍ରେଣୀ ନାଗରିକ ଭାବେ ବିବେଚନା କରି କୌଣସି ଦେଶ ସଫଳ ହୋଇପାରିବ ନାହିଁ। ସ୍ବାଧୀନତା ପରଠାରୁ ଭାରତରେ ସମାନତାର ଯେଉଁ ପରିବେଶ ରହିଛି ତାହାକୁ ବଦଳାଇବା ଠିକ୍ ନୁହେଁ ବୋଲି ରାଜନ କହିଛନ୍ତି।
Follow Us