ଭୁବନେଶ୍ବର: ଜିଏସ୍ଟି ହ୍ରାସ ପାଇଁ କେବଳ ଜାତୀୟସ୍ତରରେ ଭଲ ଗାଡ଼ି ବିକ୍ରି ହୋଇନାହିଁ ଓଡ଼ିଶା ମଧ୍ୟ ଗାଡ଼ି ବିକ୍ରିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଚଳିତବର୍ଷ ଅକ୍ଟୋବର ମାସରେ ଓଡ଼ିଶାରେ ମୋଟ ୧,୩୬,୨୧୧ଟି ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ଅକ୍ଟୋବରରେ ବିକ୍ରି ହୋଇଥିବା ୧,୦୮,୧୧୫ଟି ଗାଡ଼ି ତୁଳନାରେ ଏହା ୨୫.୯୯ ପ୍ରତିଶତ ଅଧିକ ବୋଲି ଅଟୋମୋବାଇଲ ଡିଲର ମହାସଂଘ ଏଫଏଡିଏ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି।
ରାଜ୍ୟରେ ଅକ୍ଟୋବରରେ ବିକ୍ରି ହୋଇଥିବା ମୋଟ ୧,୩୬,୨୧୧ ଯାନ ମଧ୍ୟରୁ ଦୁଇ ଚକିଆ ଯାନର ବିକ୍ରି ସଂଖ୍ୟା ୧,୧୪,୮୭୨ ରହିଛି। ଦୁଇ ଚକିଆ ଯାନ ବିକ୍ରି ଗତବର୍ଷ ଅକ୍ଟୋବର ତୁଳନାରେ ୨୮.୮୩ ପ୍ରତିଶତ ବୃଦ୍ଧି ଘଟିଛି। ତିନି ଚକିଆ ଯାନ ବିକ୍ରିରେ ୩୭.୦୫ ପ୍ରତିଶତ ବୃଦ୍ଧି ଘଟି ୩୬୫୧ ରହିଥିବାବେଳେ ପାସେଞ୍ଜର ଯାନ ବିକ୍ରିରେ ୧୨.୬୮ ପ୍ରତିଶତ ବୃଦ୍ଧି ଘଟି ୧୨,୫୯୪ ରହିଛି। ଏଫ୍ଏଡିଏ ରିପୋର୍ଟରୁ ଏହା ମଧ୍ୟ ଜଣାଯାଇଛି ଯେ ଚଳିତବର୍ଷ ପାର୍ବଣ ସମୟରେ ଓଡ଼ିଶାରେ ମୋଟ ୧,୮୫,୪୮୦ ଗାଡ଼ି ବିକ୍ରି ହୋଇଛି, ଯାହାକି ଗତବର୍ଷ ପାର୍ବଣ ସମୟରେ ୧,୪୦,୨୩୦ ରହିଥିଲା।
ପାର୍ବଣ ସମୟରେ ରାଜ୍ୟରେ ମୋଟ ଦୁଇ ଚକିଆ ଯାନ ବିକ୍ରି ସଂଖ୍ୟା ୧,୫୫,୯୧୪ ରହିଛି, ଯାହାକି ଗତବର୍ଷ ପାର୍ବଣ ସମୟରେ ୧,୧୬,୦୧୨ରେ ରହିଥିଲା। ଚଳିତବର୍ଷ ପାର୍ବଣ ସମୟରେ ରାଜ୍ୟରେ ୪୬୯୨ଟି ୩ ଚକିଆ ଯାନ, ୪୩୬୧ଟି ବାଣିଜ୍ୟିକ ଯାନ, ୧୮୦୪୫ଟି ଯାତ୍ରୀବାହୀ ଯାନ ବିକ୍ରି ହୋଇଛି। ଅକ୍ଟୋବର ଏବଂ ପାର୍ବଣ ସମୟରେ ରାଜ୍ୟରେ ବାଣିଜ୍ୟିକ ଯାନ ଏବଂ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଯାନ ବିକ୍ରି ହ୍ରାସ ଘଟିଛି। ଏହା ବ୍ୟତୀତ ଅନ୍ୟ ସବୁ ବର୍ଗର ଗାଡ଼ି ବିକ୍ରିରେ ବୃଦ୍ଧି ପରିଲକ୍ଷିତ ହୋଇଛି।
Follow Us