ଛଟେଇ ଭୟ: ଆଇଟି କର୍ମଚାରୀଙ୍କୁ ନିଦ ହେଉନି, ଡାକ୍ତର ପରାମର୍ଶ ଲୋଡ଼ୁଛନ୍ତି

Advertisment
ଛଟେଇ ଭୟ: ଆଇଟି କର୍ମଚାରୀଙ୍କୁ ନିଦ ହେଉନି, ଡାକ୍ତର ପରାମର୍ଶ ଲୋଡ଼ୁଛନ୍ତି

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ଶିଳ୍ପରେ ବ୍ୟାପକ ଛଟେଇ ଚାଲିଥିବାରୁ ‌ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଛାନିଆ ହୋଇପଡ଼ିଛନ୍ତି। ବହୁ କର୍ମଚାରୀଙ୍କଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଲାଣି। ରାତିରେ ନିଦ ହେଉନଥିବା କିଛି କର୍ମଚାରୀ ଖୋଲାଖୋଲି ଭାବେ କହୁଛନ୍ତି। ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଆରମ୍ଭ କରିଛନ୍ତି।

ଏକ ଆମେରିକୀୟ କଂପାନି ଲାଗି ସଫ୍ଟଓୟାର ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ କର୍ମଚାରୀ କହିଛନ୍ତି ଯେ ଆମ ସଂସ୍ଥା ୪୫୦ କର୍ମଚାରୀଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଛି। ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ସେଥିରେ କାହା ନାମ ରହିଛି ତାହା ଜଣାପଡ଼ୁନି। ତେଣୁ ମନ ସବୁବେଳେ ଉଦ୍‌ବିଗ୍ନ ରହୁଛି। ମୁଁ ଋଣ ନେଇ ଘର କିଣିଛି। ମୋତେ ପିଲାଙ୍କ ପାଠପଢ଼ା ପାଇଁ ଫି’ ଗଣିବାକୁ ପଡ଼ୁଛି। ଛଟେଇ ହୋଇଗଲେ ମୋ ଭବିଷ୍ୟତ କ’ଣ ହେବ ତାହା ଭା‌ବିଲେ ମନ ଅସ୍ଥିର ହୋଇପଡ଼ୁଛି ବୋଲି ସେ କହିଛନ୍ତି। କେବଳ ସେ ନୁହେଁ ଆଇଟି ଶିଳ୍ପରେ କାମ କରୁଥିବା ହଜାର ହଜାର କର୍ମଚାରୀ ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇଛନ୍ତି। ରାତିରେ ଦିନ ନହେବା, ଉଦ୍‌ବେଗ ଏବଂ ଅବସାଦଗ୍ରସ୍ତ ହେବା ଭଳି ସମସ୍ୟା ସେମାନଙ୍କଠାରେ ଦେଖାଦେଇଛି। ୩୫-୪୫ ବର୍ଷ ବୟସର କର୍ମଚାରୀମା‌ନେ ଅଧିକ ପ୍ରଭାବିତ ହୋଇଥିବା ଜଣେ ଡାକ୍ତର କହିଛନ୍ତି। ଅନ୍ୟ ଜଣେ ଆଇଟି କର୍ମଚାରୀ କହିଛନ୍ତି ଯେ ଛଟେଇ ଖବର ଶୁଣି ଶୁଣି ରାତିରେ ଭଲ ଭାବେ ନିଦ ହେଉନି। ରାତି ଅଧରେ ନିଦ ଭାଙ୍ଗି ଯାଉଛି।

ଆତ୍ମସନ୍ତୋଷ ମିଳିବା ଭଳି ନିଦ ଆଉ ହେବନି। ଅନ୍ୟ ଜଣେ କର୍ମଚାରୀ କହିଛନ୍ତି ଯେ ଆଖି ବୁଜିଲେ ମନକୁ ଅନେକ ଖରାପ ଭାବନା ଆସୁଛି। ଯଦି ଚାକିରି ଚାଲିଯିବ ତେବେ ମୋର କ’ଣ ହେବ? ମୁଁ କିଭଳି ପରିବାରର ଦେଖାଶୁଣା କରିବି? ଏଭଳି ପ୍ରଶ୍ନ ‌ଯୋଗୁ ମନ ଉଦବିଗ୍ନ ରହୁଛି। ଫଳରେ ବହୁ ସମୟ ପର୍ଯ୍ୟନ୍ତ ଆଉ ନିଦ ହେଉନି। ଏକ ଷ୍ଟାର୍ଟଅପ୍‌ରୁ ଛଟେଇ ହୋଇଥିବା ଅନ୍ୟ ଜଣେ କର୍ମଚାରୀ କହିଛନ୍ତି ଯେ ନୂଆ ଚାକିରି ଖୋଜିବା ବେଳେ ମନରେ ସବୁବେଳେ ଭୟ ରହୁଛି ଯେ ମୁଁ କ’ଣ ସତରେ ଭଲ ଯାହାକୁ ଚାକିରି ମିଳିବ। ଏହି ପ୍ରସଙ୍ଗରେ ଡାକ୍ତରମାନେ କହିଛନ୍ତି ଯେ ଅନିଶ୍ଚିତ ସମୟରେ କିଭଳି ମାନସିକ ଭାରସାମ୍ୟ ରକ୍ଷା କରିବାକୁ ପଡ଼େ ତାହା ଲୋକମାନଙ୍କୁ ଶିଖିବା ଦରକାର। ସବୁ କିଛି ପାଇଁ ନିଜକୁ ଦୋଷ ବୋ ଠିକ୍ ନୁହେଁ। ବହୁ କିଛି ନିଜ ନିୟନ୍ତ୍ରଣ ବାହାରେ ରହିଛି। ନିଜ ପ୍ରତି ଓ ଅନ୍ୟ ପ୍ରତି ଦୟାଳୁ ମନୋଭାବ ରଖିବା ଉଚିତ ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe