ଚାଷୀଙ୍କ ଖାତାରେ ପହଞ୍ଚିବ ସାର ସବ୍‌ସିଡି

Advertisment
ଚାଷୀଙ୍କ ଖାତାରେ ପହଞ୍ଚିବ ସାର ସବ୍‌ସିଡି

Representative image

ନୂଆଦିଲ୍ଲୀ: ସାର ସବ୍‌ସିଡି ବାବଦରେ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଥିବା କେନ୍ଦ୍ର ସରକାର ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଲାଗୁ କରିବା ଉପରେ ବିଚାର କରୁଛନ୍ତି। ଏଲ୍‌ପିଜି ସିଲିଣ୍ଡର୍‌କୁ ଯେଭଳି ଲୋକମାନେ ବଜାର ମୂଲ୍ୟରେ କିଣିବା ପରେ ବ୍ୟାଙ୍କ ଖାତାରେ ସବ୍‌ସିଡି ବାବଦ ଟଙ୍କା ଫେରିପାଉଛନ୍ତି, ସାର କ୍ଷେତ୍ରରେ ମଧ୍ୟ ସେଭଳି ସ୍କିମ୍ ଲାଗୁ କରିବା ଉପରେ ବିଚାର କରାଯାଉଛି। ଏହା ହେଲେ ଚାଷୀମାନଙ୍କୁ ବଜାର ଦରରେ ସାର କିଣିବାକୁ ପଡ଼ିବ।

କେନ୍ଦ୍ର ସରକାର ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଜାରି ରଖିଥିବା ବେଳେ ସାର ‌ପାଇଁ ଡିବିଟି ସ୍କିମ୍‌ ଲାଗୁ କରିବା ବିଷୟରେ ଗୁରୁତ୍ବର ସହ ବିଚାର କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯେଉଁ କ୍ଷେତ୍ରରେ ଡିବିଟି ସ୍କିମ୍ ଲାଗୁ କରାଯାଇଛି ତାହା ସଫଳ ହୋଇଛି। ଏହା ଦ୍ବାରା ବାଟମାରଣା ବନ୍ଦ ହେବା ସହ କେବଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଟଙ୍କା ପହଞ୍ଚିଛି ଏବଂ ସରକାରଙ୍କ ଟଙ୍କା ମଧ୍ୟ ସଞ୍ଚୟ‌ହୋଇଛି। ଡିବିଟି ସ୍କିମ୍ ଯୋଗୁଁ କୋଭିଡ୍ ମହାମାରୀ ସମୟରେ ମଧ୍ୟ ସରକାର ସହଜରେ ଲୋକମାନଙ୍କ ପାଖରେ ଟଙ୍କା ପହଞ୍ଚାଇଥିଲେ। ସାର ପାଇଁ ଡିବିଟି ସ୍କିମ୍ ଲାଗୁ କରିବା ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ଏବିଷୟରେ ଆଗାମୀ ବଜେଟ୍‌ରେ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି। ସାରରେ ଡିବିଟି ସ୍କିମ୍ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ପିଏମ୍‌-କିସାନ ସ୍କିମ୍‌ରେ ସଂଗ୍ରହ କରାଯାଇଥିବା ଚାଷୀଙ୍କ ତଥ୍ୟକୁ ବ୍ୟବହାର କରିବାକୁ ଚାହୁଛନ୍ତି। ସାର ପାଇଁ ଡିବିଟି ଲାଗୁ କରିବାକୁ କୃଷି ଖର୍ଚ୍ଚ ଓ ମୂଲ୍ୟ କମିସନ (ସିଏସିପି) ମଧ୍ୟ ସୁପାରିସ କରିଛନ୍ତି।
ବର୍ତ୍ତମାନ ପ୍ରଚଳନରେ ଥିବା ନିୟମ ଅନୁସାୟୀ, କେନ୍ଦ୍ର ସରକାର ସବ୍‌ସିଡି ବାବଦ ଅର୍ଥ ସାର କଂପାନିଗୁଡ଼ିକୁ ଦେଉଛନ୍ତି।

ଏହା ଦ୍ବାରା ଚାଷୀମାନଙ୍କ ପାଇଁ ସାର କମ୍ ଦାମ୍‌ରେ ଉପଲବ୍ଧ ହେଉଛି। କଂପାନିଗୁଡ଼ିକର ବିଲ୍‌କୁ ଯାଞ୍ଚ କରିବା ପରେ ସବ୍‌ସିଡି ଟଙ୍କା ଜାରି କରାଯାଇଛି। ସାର କଂପାନିଗୁଡ଼ିକ ନକଲି ବିଲ୍ ଦାଖଲ କରୁଥିବା ନେଇ ଆଲୋଚନା ହୁଏ। କିନ୍ତୁ କଂପାନିଗୁଡ଼ିକର ଅଭିଯୋଗ ହେଉଛି ସରକାର ଠିକ୍ ସମ‌ୟରେ ସବ୍‌ସିଡି ଟଙ୍କା ଦେଉନାହାନ୍ତି ଯେଉଁଥିପାଇଁ ସେମାନଙ୍କ ନଗଦ ରାଶି ସ୍ଥିତି ଅଧିକାଂଶ ସମୟ ଚାପ ଭିତରେ ରହୁଛି। ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ରେ ସାର ସବ୍‌ସିଡି ପାଇଁ ୭୧,୩୦୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏହା ବ୍ୟତୀତ ଆତ୍ମନିର୍ଭର ପ୍ୟାକେଜ୍ ଅଧୀନରେ କଂପାନିଗୁଡ଼ିକର ବକେୟା ଦୂର କରିବା ଲାଗି ଆଉ ୬୫୦୦୦ କୋଟି ଟଙ୍କା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe