ଫିକି ଓଡ଼ିଶାର ବଜେଟ୍ ପରବର୍ତ୍ତୀ ଆଲୋଚନା: ବଜେଟ୍‌ ଗ୍ରାମୀଣ ଭାରତକୁ ସମୃଦ୍ଧ କରିବ

Advertisment
ଫିକି ଓଡ଼ିଶାର ବଜେଟ୍ ପରବର୍ତ୍ତୀ ଆଲୋଚନା: ବଜେଟ୍‌ ଗ୍ରାମୀଣ ଭାରତକୁ ସମୃଦ୍ଧ କରିବ

ଭୁବନେଶ୍ବର: ଦେଶର ଅର୍ଥନୀତି ଅନେକ ସମସ୍ୟା ଦେଇ ଗତି କରୁଥିବାରୁ ୨୦୨୦-୨୧ ବଜେଟ୍‌ରୁ ଦେଶର ପ୍ରତିଟି ବର୍ଗ ଅନେକ କିଛି ଆଶା ରଖିଥିଲେ। ସବୁ ବର୍ଗର ଆକାଂକ୍ଷାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସନ୍ତୁଳିତ ବଜେଟ୍ ଉପସ୍ଥାପନ କରିଛନ୍ତି। ଉପଯୋଗିତା ବଢ଼ିଲେ ଦେଶର ଅଭିବୃଦ୍ଧି ତ୍ବରାନ୍ବିତ ହେବ ବୋଲି ଭଲ ଭାବେ ଜାଣିଥିବା କେନ୍ଦ୍ର ସରକାର ଗ୍ରାମୀଣ ଭାରତକୁ ସମୃଦ୍ଧ କରି ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ବଜେଟ୍ ଜରିଆରେ ଉଦ୍ୟମ କରିଛନ୍ତି। କୃଷି, ଗ୍ରାମୀଣ ବିକାଶ ଓ ଜଳସେଚନ ଉପରେ ଦିଆଯାଇଥିବା ଗୁରୁତ୍ବରୁ ଏହା ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆଜି ଫିକି ଓଡ଼ିଶା ପକ୍ଷରୁ ହୋଟେଲ୍‌ ନ୍ୟୁ ମାରିଅନ୍‌ରେ ଆୟୋଜନ କରାଯାଇଥିବା ବଜେଟ୍ ପରବର୍ତ୍ତୀ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସ କହିଛନ୍ତି, ଗ୍ରାମୀଣ ଭାରତକୁ ସମୃଦ୍ଧ କରିବା ଲାଗି ବଜେଟ୍‌ରେ ୨.୮୩ ଲ‌କ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସରକାର ପ୍ରଥମେ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ଟଙ୍କା ପହଞ୍ଚାଇବାକୁ ଚାହୁଛନ୍ତି। ଏଥିସହିତ ସେମାନଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଛନ୍ତି। ଏହା ପରେ ଶିକ୍ଷା ଓ କୌଶଳ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି। ଶିଳ୍ପ କ୍ଷେତ୍ରକୁ ଲାଭାଂଶ ବଣ୍ଟନ ଟିକସ ଉଚ୍ଛେଦର ଉପହାର ପ୍ରଦାନ କରାଯାଇଥିବା ବେଳେ ବ୍ୟକ୍ତିଗତ ଆୟକରଦାତାଙ୍କ ପାଇଁ ସହଜ ବିକଳ୍ପ ପ୍ରଦାନ କରାଯାଇଛି। ଆସନ୍ତା ୩-୪ ବର୍ଷ ପରେ ଆୟକରର ନୂଆ ବ୍ୟବସ୍ଥା ଅଧିକ ଗ୍ରହଣୀୟ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏହି ଅବସରରେ ସ୍ବାଗତ ଭାଷଣ ପ୍ରଦାନ କରି ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି, ବଜେଟ୍‌ରେ କରାଯାଇଥିବା ଘୋଷଣାଗୁଡ଼ିକ ଲୋକଙ୍କ ଆୟ ଓ କ୍ରୟ ଶକ୍ତି ବଢ଼ାଇବ। ଗ୍ରାମାଞ୍ଚଳରେ ଉପଯୋଗିତା ବଢ଼ିବ। ଶିକ୍ଷା‌ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହୋଇପାରିବ। ଏହି ବଜେଟ୍ ଦ୍ବାରା ଉଭୟ ଶିଳ୍ପ ଜଗତ ଓ ବ୍ୟକ୍ତିବିଶେ‌ଷ ଲାଭବାନ ହେବେ ବୋଲି ସେ କହିଛନ୍ତି। ଦେଶରେ ଲଜିଷ୍ଟିକ୍ସ (ସାମଗ୍ରୀ ପରିବହନ)କୁ ନେଇ ରହିଥିବା ସମସ୍ୟା ଉପରେ ସେ ଆଲୋକପାତ କରିଛନ୍ତି। ଶ୍ରୀମତୀ ପଟ୍ଟନାୟକ ଅଧିବେଶନର ସଞ୍ଚାଳନ କରିଥିଲେ। ଏହି ଅବସରରେ ଓଡ଼ିଶା ମେଟାଲିକ୍‌ ପ୍ରୋଜେକ୍ଟସ୍‌ର ସଭାପତି ଏନ୍‌ ଡି ରାଓ, ଫିକି ଓଡ଼ିଶା ଶକ୍ତି କମିଟିର ଅଧ୍ୟକ୍ଷ ଅଶୋକ ବେହେରା, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ କେ ସାବତ, ବି-ୱାନ୍ ବିଜନେସ୍ ହାଉସ୍‌ର ବାଣିଜ୍ୟିକ ନିର୍ଦେଶକ ରାଜେନ ପାଢ଼ୀ, ପିଡବ୍ଲୁସିର ସୌରଭ କେଡିଆ ଓ ଧର୍ମେଶ ଶାହ ଉପସ୍ଥିତ ରହି ଶକ୍ତି, ଏମ୍ଏସ୍‌ଏମ୍ଇ, ବୃହତ ଶିଳ୍ପ ଓ ଟିକସ ଦୃଷ୍ଟିକୋଣରୁ ବଜେଟ୍‌ର ବିଶ୍ଳେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe