ମହିଳା ଉଦ୍ୟୋଗୀଙ୍କ ପାଇଁ ଫିକି ଓଡ଼ିଶା ପକ୍ଷରୁ ୱେବିନାର୍‌

Advertisment
ମହିଳା ଉଦ୍ୟୋଗୀଙ୍କ ପାଇଁ ଫିକି ଓଡ଼ିଶା ପକ୍ଷରୁ ୱେବିନାର୍‌

ଭୁବନେଶ୍ବର : କୋଭିଡ-୧୯ ସଙ୍କଟ ସମୟରେ ବ୍ୟବସାୟ ଜଗତରେ ଥିବା ମହିଳାଙ୍କ ପାଇଁ ଆହ୍ବାନ ଏବଂ ନୂଆ ସୁଯୋଗ ଶୀର୍ଷକରେ ଏକ ଓେବିନାର୍‌ (ୱେବ୍ ମାଧ୍ୟମରେ ‌ଆଲୋଚନାଚକ୍ର) ଫିକି ଓଡ଼ିଶା ପରିଷଦ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ୱେବିନାର୍‌ରେ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସମେତ ନୂଆକରି ଆରମ୍ଭ ହୋଇଥିବା ଫିକି ମହିଳା ସଂଗଠନ(ଏଫ୍‌ଏଲ୍‌ଓ), ଭୁବନେଶ୍ବର ଚାପ୍ଟରର କାର୍ଯ୍ୟନିର୍ବାହୀ କମିଟିର ଅନେକ ସଦସ୍ୟ ଓ ମହିଳା ଉଦ୍ୟୋଗୀମାନେ ଭାଗ ନେଇଥିଲେ। ଫିକି ଓଡ଼ିଶା ପରିଷଦର ଅଧ୍ୟକ୍ଷା ମୋନିକା ନୈୟର ପଟ୍ଟନାୟକ ଏଥିରେ ସ୍ବାଗତ ଭାଷଣ ଦେଇଥିଲେ।‌ ସେ କହିଥିଲେ ସରକାର ଏବଂ ଶିଳ୍ପ ମଧ୍ୟରେ ଉପଯୁକ୍ତ ସମନ୍ବୟ ରଖାଯାଇ ‌କୋଭିଡ-୧୯ ପରିସ୍ଥିତିର ମୁକାବିଲା ଉପଯୁକ୍ତ ଭାବେ କରାଯିବା ଉଚିତ୍‌। ବିଶେଷକରି ମହିଳା ଉଦ୍ୟୋଗୀଙ୍କ ପ୍ରସଙ୍ଗ ଆସିଲେ ସରକାର ସେମାନଙ୍କ କଥା ଗୁରୁତ୍ବର ସହିତ ବିଚାର କରିବା ଉଚିତ୍‌। ସେମାନଙ୍କୁ ଆର୍ଥିକ ଏବଂ ବଜାର ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ। ଅଧିକାଂଶ ମହିଳା ଉଦ୍ୟୋଗୀ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ ଅପ୍ ବର୍ଗରେ ଥିବାରୁ ଏସବୁ ଶିଳ୍ପ କିଭଳି ତିଷ୍ଠି ରହିବ ତାହାକୁ ସରକାର ଦେଖିବା ଆବଶ୍ୟକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

ଏଥିରେ ଫିକି ମହିଳା ସଂଗଠନ, ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଯୋଗଦେଇ କହିଲେ, ମହିଳାଙ୍କ ନେତୃତ୍ବରେ ପରିଚାଳିତ ଶିଳ୍ପ ଏବଂ ବ୍ୟବସାୟ ପ୍ରତି‌ଷ୍ଠାନ ଗୁଡ଼ିକୁ ଆବଶ୍ୟକ ସହଯୋଗ ଦେବା ଲାଗି ସରକାରଙ୍କୁ ସେମାନଙ୍କ ପକ୍ଷରୁ କୁହାଯାଇଛି। ମହିଳା ଉଦ୍ୟୋଗୀ, ଷ୍ଟାର୍ଟ ଅପ୍ ଏବଂ ଗୃହିଣୀମାନଙ୍କ ଦକ୍ଷତା ବଢ଼ାଇବା ନିମନ୍ତେ ଏଫ୍‌ଏଲ୍‌ଓ ପକ୍ଷରୁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହୋଇଛି। କୋଭିଡ-୧୯ ପରିସ୍ଥିତିରେ ଏହା ସେମାନଙ୍କୁ ସହାୟକ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ଫିକି ଏମ୍‌ଏସ୍‌ଏମ୍‌ଇ କମିଟିର ଅଧ୍ୟକ୍ଷ ଜେ କେ ରଥ ଏବଂ ଫିକି ଖଣି କମିଟିର ଅଧ୍ୟକ୍ଷ ପ୍ରବୋଧ ମହାନ୍ତି ମହିଳା ଉଦ୍ୟୋଗୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଫିକି ଏବଂ ଏଫ୍‌ଏଲ୍‌ଓ ମିଳିତଭାବେ ମହିଳା ବ୍ୟବସାୟୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ନୀତି ଆଣିବା ଲାଗି ଦାବି କରିବେ ବୋଲି ସେମାନେ ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe