ମୁମ୍ବାଇ: ଫିନୋଲେକ୍ସ ଗ୍ରୁପ୍ ସ୍ଥାପନ କରିଥିବା ପୁନେର ଛାବ୍ରିୟା ପରିବାରରେ ଝଗଡ଼ା ଆରମ୍ଭ ହୋଇଯାଇଛି। ଫିନୋଲେକ୍ସକୁ ଦୁଇ ଭାଇ ପ୍ରହଲ୍ଲାଦ ଛାବ୍ରିୟା ଓ କେପି ଛାବ୍ରିୟା ସ୍ଥାପନ କରିଥିଲେ। ପ୍ରହଲ୍ଲାଦଙ୍କ ପୁଅ ପ୍ରକାଶ ଏବଂ କେପିଙ୍କ ପୁଅ ଦୀପକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଛି। ଦୁଇ ପକ୍ଷ ମଧ୍ୟରେ କୌଣସି ପ୍ରକାର ସମାଧାନ ନହେବାରୁ ମାମଲା ଏବେ ବମ୍ବେ ହାଇକୋର୍ଟରେ ପହଞ୍ଚିଛି। ଫିନୋଲେକ୍ସ ହେଉଛି ୧୫ ହଜାର କୋଟି ଟଙ୍କାର ଏକ ବ୍ୟବସାୟ ସାମ୍ରାଜ୍ୟ। ଏହାର ଦୁଇ ପୂର୍ବତନ ପ୍ରତିଷ୍ଠାତାଙ୍କ ପୁଅ ମଧ୍ୟରେ ଝଗଡ଼ା କଂପାନିକୁ ଦୋହଲାଇ ଦେଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଫିନୋଲେକ୍ସ ଗ୍ରୁପ୍ ଅଧୀନରେ ଫିନୋଲେକ୍ସ କେବୁଲ୍ ନାମକ କଂପାନି ରହିଛି। ଫିନୋଲେକ୍ସ କେବୁଲ୍କୁ ପ୍ରକାଶ ସ୍ଥାପନ କରିଥିଲେ ଏବଂ କଂପାନିରେ ତାଙ୍କର ସର୍ବାଧିକ ଅଂଶଧନ ରହିଛି। ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦୀପକ କାମ କରୁଛନ୍ତି। ତାହାକୁ ନେଇ ପ୍ରକାଶ ଆପତ୍ତି ଉଠାଇଛନ୍ତି। କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ହଟିଯିବାକୁ ସେ ଦୀପକଙ୍କୁ କହିଥିଲେ। କିନ୍ତୁ ସେ ତାଙ୍କ କଥା ଶୁଣୁନାହାନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ୍ ୪ ତାରିଖରେ ହେବ। ଦୀପକଙ୍କ କଂପାନିରେ କମ୍ ଅଂଶଧନ ଥିବା ବେଳେ ତାଙ୍କୁ ପୁନର୍ବାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ପ୍ରଦାନ କରିବାକୁ ପ୍ରକାଶ ଚାହୁଁନଥିଲେ। ଗତବର୍ଷ ସେପ୍ଟେମ୍ବର ୨୫ରେ ହୋଇଥିବା କଂପାନି ବୋର୍ଡ ବୈଠକରେ ଯେତେବେଳେ ଦୀପକଙ୍କ ପୁନଃ ନିଯୁକ୍ତି କଥା ଉଠିଲା ତାହାକୁ ପ୍ରକାଶ ବିରୋଧ କରିଥିଲେ। ଦୀପକଙ୍କ ପୁନଃ ନିଯୁକ୍ତିକୁ କଂପାନିରେ ଅଂଶଧନ ରଖିଥିବା ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାଗୁଡ଼ିକ ମଧ୍ୟ ବିରୋଧ କରୁଥିଲେ।
ଫିନୋଲେକ୍ସ ପରିବାରରେ ଝଗଡ଼ା, ହାଇକୋର୍ଟରେ ପହଞ୍ଚିଲା ମାମଲା
Advertisment
Follow Us