୫ ରାଜ୍ୟକୁ ଅଧିକ ଋଣ ଅନୁମତି, ସଂସ୍କାର କାର୍ଯ୍ୟକାରୀ କରିବାରୁ ମିଳିଛି ସୁଯୋଗ

Advertisment
ଜଳ, ପରିମଳ ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ ଆହ୍ବାନ

Moneycontrol

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୧୬,୭୨୮ କୋଟି ଟଙ୍କା ଅତିରିକ୍ତ ଋଣ କରିବା ଲାଗି ଅନୁମତି ପ୍ରଦାନ କରିଛି। ସେହି ରାଜ୍ୟଗୁଡ଼ିକ ହେଲେ ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ। ଅନୁକୂଳ ବ୍ୟବସାୟିକ ବାତାବରଣ ପାଇଁ ଉଦ୍ଦିଷ୍ଟ ସଂସ୍କାର କାର୍ଯ୍ୟ କରିବା କ୍ଷେତ୍ରରେ ଏହି ରାଜ୍ୟଗୁଡ଼ିକର କାର୍ଯ୍ୟକୁ ସ୍ବୀକୃତି ଦିଆଯାଇ ଅଧିକ ଋଣ ପାଇଁ ଅନୁମତି ପ୍ରଦାନ କରାଯାଇଛି। କରୋନା ମହାମାରୀ ଭିତରେ ରାଜ୍ୟଗୁଡ଼ିକ ପାଣ୍ଠି ସଂଗ୍ରହ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ଗତ ମେ ମାସରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ଏଭଳି ବ୍ୟବସ୍ଥା କରିଥିଲେ। କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସର୍ତ୍ତ ଅନୁସାରେ ସହଜ ବ୍ୟବସାୟିକ ବାତାବରଣ ପାଇଁ ଜିଲ୍ଲାସ୍ତରୀୟ ବ୍ୟବସାୟ ସଂସ୍କାର କାର୍ଯ୍ୟ ଯୋଜନାର ପ୍ରଥମ ଆକଳନ ଶେଷ କରିବା, ବ୍ୟବସାୟ ପ୍ରତି‌ଷ୍ଠାନଗୁଡ଼ିକ ଆବଶ୍ୟକ କରୁଥିବା ପଞ୍ଜୀକରଣ ପ୍ରମାଣପତ୍ରର ନବୀକରଣ, ମଞ୍ଜୁରି, ଲାଇସେନ୍ସ ହାସଲ ଆଦିକୁ ଦୂର କରିବା ଭଳି ମାନଦଣ୍ଡ ରହିଥିଲା। ‌ଉପରୋକ୍ତ ୫ ରାଜ୍ୟ ଏସବୁ ସର୍ତ୍ତ ପୂରଣ କରିଛନ୍ତି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଉ‌ଲ୍ଲେଖଯୋଗ୍ୟ ଯେ ବିତ୍ତୀୟ ଦାୟିତ୍ବ ଓ ବଜେଟ୍ ପରିଚାଳନା (ଏଫଆରବିଏମ୍‌) ଆଇନ ଅନୁଯାୟୀ ରାଜ୍ୟଗୁଡ଼ିକ ସେମାନଙ୍କ ମୋଟ ଘରୋଇ ଉତ୍ପାଦ (ଜିଏସଡିପି)ର ୩ ପ୍ରତିଶତ ମଧ୍ୟରେ ଋଣକୁ ସୀମିତ ରଖିବେ। ତେବେ କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ କେତେକ ସର୍ତ୍ତ ସହ ଋଣ ସୀମାକୁ ଆଉ ୨ ପ୍ରତିଶତ ବଢ଼ାଇ ପାରିବେ ବୋଲି କହିଥିଲେ। ବିଶେଷକରି ୪ଟି ନିର୍ଦ୍ଦିଷ୍ଟ ସଂସ୍କାର କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ସେଗୁଡ଼ିକ ହେଲା ଗୋଟିଏ ଦେଶ ଗୋଟିଏ ‌ରାସନ କାର୍ଡ, ବ୍ୟବସାୟିକ ବାତାବରଣରେ ଉନ୍ନତି, ପୌର ସଂସ୍ଥା/ଉପଯୋଗିତା ସେବାରେ ସଂସ୍କାର ଏବଂ ବିଜୁଳି କ୍ଷେତ୍ରରେ ସଂସ୍କାର। ୨୦୨୦ ଫେବ୍ରୁଆରି ୧୫ ସୁଦ୍ଧା ଏସବୁ ସଂସ୍କାର କାର୍ଯ୍ୟ କରିଥିଲେ ଅତିରିକ୍ତ ଋଣ ଅନୁମତି ମିଳିବା ବ୍ୟବସ୍ଥା ହୋଇଥିଲା। ପ୍ରତ୍ୟେକ ସଂସ୍କାର ପାଇଁ ୦.୨୫ ପ୍ରତିଶତ ଅତିରିକ୍ତ ଋଣ କରିବା ନିୟମ ରହିଛି। ତେଣୁ ରାଜ୍ୟଗୁଡ଼ିକ ଯଦି ଉପରୋକ୍ତ ୪ଟି ଯାକ ସଂସ୍କାର କାର୍ଯ୍ୟକାରୀ କରି‌ ଦେଇଥିଲେ ତାହେଲେ ସେମାନଙ୍କୁ ମୋଟ ୨.୧୪ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ କରିବା ସୁଯୋଗ ରହିଥିଲା।

ତେବେ ବର୍ତ୍ତମାନ ସୁଦ୍ଧା ୧୦ଟି ରାଜ୍ୟ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିବାବେଳେ ୫ଟି ରାଜ୍ୟ ବ୍ୟବସାୟ ବାତାବରଣ ଅନୁକୂଳ ପାଇଁ ଆବଶ୍ୟକ ସଂସ୍କାରକୁ କାର୍ଯ୍ୟକାରୀ କରିଛନ୍ତି। ସେହିଭଳି ସେହିଭଳି ୨ଟି ରାଜ୍ୟ ପୌର ସଂସ୍ଥାରେ ଆବଶ୍ୟକ ସଂସ୍କାର ଆଣିଛନ୍ତି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe