ଡବ୍ଲୁଟିଓ, ଡବ୍ଲୁଏଚ୍‌ଓ, ଜାତିସଂଘର ଚେତାବନୀ ଘୋର ଖାଦ୍ୟ ସଙ୍କଟ ଦେଖାଦେବ

Advertisment
ଡବ୍ଲୁଟିଓ, ଡବ୍ଲୁଏଚ୍‌ଓ, ଜାତିସଂଘର ଚେତାବନୀ ଘୋର ଖାଦ୍ୟ ସଙ୍କଟ ଦେଖାଦେବ

Green Queen

ମୁମ୍ବାଇ: ବିଶ୍ବର ତିନିଟି ପ୍ରମୁଖ ସଂସ୍ଥା‌ ଏଭଳି ଏକ ଚେତାବନୀ ଦେଇଛନ୍ତି ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ଯଦି ଦେଶଗୁଡ଼ିକ କରୋନା ଭୂତାଣୁର ସଠିକ୍ ମୁକାବିଲା କରିନପାରିବେ ତେବେ ବିଶ୍ବରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବ ବୋଲି ‌ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ), ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍‌ଓ) ଓ ଜାତିସଂଘ ତରଫରୁ ‌ଚେତାବନୀ ଦିଆଯାଇଛି। ବିଶ୍ବର ବିଭିନ୍ନ ଦେଶରେ ଲକ୍‌ ଡାଉନ୍ ଘୋଷଣା କରାଯାଇଥିବା ଖାଦ୍ୟ ଯୋଗାଣ ଶୃଙ୍ଖଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ଲୋକମାନେ ଛାନିଆ ହୋଇ ବିଭିନ୍ନ ସାମଗ୍ରୀ କିଣୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ମହଜୁଦ ରଖୁଛନ୍ତି। ସେଥିପାଇଁ ଖାଦ୍ୟ ଯୋଗାଣରେ ଏକ ଅସନ୍ତୁଳନ ସୃଷ୍ଟି ହେବାରେ ଲାଗିଛି। ଖାଦ୍ୟ ଉପଲବ୍ଧତା ଦିନକୁ ଦିନ ଅନିଶ୍ଚିତ ହୋଇପଡ଼ୁଥିବାରୁ ବିଭିନ୍ନ ଦେଶ ଏହି ସବୁ ସାମଗ୍ରୀର ରପ୍ତାନି ଉପରେ କଟକଣା ଲଗାଇ ପାରନ୍ତି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ)ର ମୁଖ୍ୟ କୋ ଡଙ୍ଗ୍‌ୟୁ, ଡବ୍ଲୁଏଚ୍‌ଓର ଡାଇରେକ୍ଟର ଜେନେରାଲ୍ ଟେଡ୍ରସ୍‌ ଆଧାନମ୍ ଘେବ୍ରେୟେସୁସ୍‌ ଓ ଡବ୍ଲୁଟିଓର ମୁଖ୍ୟ ରବର୍ଟ ଆଜେଭେଡୋ ଅନୁମାନ ଲଗାଇଛନ୍ତି। କୋଭିଡ୍‌-୧୯କୁ ନେଇ ଘୋଷଣା କରାଯାଇଥିବା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ସବୁ ଦେଶଗୁଡ଼ିକୁ ବାଣିଜ୍ୟ କାରବାରରୁ ନିରବଚ୍ଛିନ୍ନ ରଖିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ବିଶେଷ କରି ଖାଦ୍ୟ ସାମଗ୍ରୀର କାରବାରକୁ ଜାରି ରଖିବାକୁ ଏହି ତିନି ସଂସ୍ଥାର ମୁଖ୍ୟ ଆହ୍ବାନ ଦେଇଛନ୍ତି ବୋଲି ଅଲ୍‌ଜଜିରା ତରଫରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଦେଶଗୁଡ଼ିକ ନିଜ ନାଗରିକଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ସୁରକ୍ଷିତ ରଖିବାକୁ କାର୍ଯ୍ୟ କରୁଥିବା ବେଳେ ଖାଦ୍ୟ ଯୋଗାଣ ଶୃଙ୍ଖଳରେ ଯେଭଳି କୌଣସି ବିଭ୍ରାଟ ନଘଟେ ସେଥିପାଇଁ ସେମାନଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଲକ୍ ଡାଉନ୍ କଟକଣା ଯୋଗୁଁ କୃଷି ଶ୍ରମିକ ମିଳିବା କଷ୍ଟକର ହୋଇପଡ଼ିଛି। ଚାଷ ଜମିରୁ ଖାଦ୍ୟ ସାମଗ୍ରୀ ଠିକ୍ ସମୟରେ ବଜାରରେ ପହଞ୍ଚି ପାରୁନାହିଁ। ଫଳରେ ଅନେକ ସାମଗ୍ରୀ ନଷ୍ଟ ହେଉଛି ବୋଲି ସେମାନେ କହିଛନ୍ତି। ଖାଦ୍ୟ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିତରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଏହି ତିନି ସଂସ୍ଥାର ମୁଖ୍ୟ ଆହ୍ବାନ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଆନ୍ତର୍ଜାତିକ ସହଯୋଗ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହା ନରହିଲେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେବ। ଫଳରେ ପୁଷ୍ଟିହୀନତାର ଶିକାର ଓ ଭୋକ ଉପାସରେ ରହୁଥିବା ଲୋକଙ୍କ ସଂଖ୍ୟା ବହୁତ ବଢ଼ିଯିବ ବୋଲି ଏହି ତିନି ସଂସ୍ଥା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe