ନୂଆଦିଲ୍ଲୀ,: ବିଦେଶରେ ଧନୀ ଭାରତୀୟମାନେ ଲୁଚାଇ ରଖିଥିବା କଳାଟଙ୍କାକୁ ବାହାର କରିବା ଲାଗି ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଆୟକର ବିଭାଗର ନଜରରେ ଏବେ ହଜାର ହଜାର ସଂଖ୍ୟକ ଭାରତୀୟ ରହିଛନ୍ତି। ବିଭାଗ ପକ୍ଷରୁ ଏସବୁ ବ୍ୟକ୍ତିମାନଙ୍କ ବିରୋଧରେ ନୂଆ କଳାଟଙ୍କା ନିରୋଧ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ବିଦେଶୀ ପ୍ରତିପକ୍ଷଙ୍କ ସହ ମିଶି ଆୟକର ବିଭାଗ ଏହି ତଦନ୍ତ ଚଳାଇଛି। ବିଦେଶୀ ବ୍ୟାଙ୍କରେ ଭାରତୀୟମାନେ ରଖିଥିବା ଜମା ଏବଂ ବିଦେଶରେ କିଣିଥିବା ସମ୍ପତ୍ତି ଏହି ତଦନ୍ତ ପରିସରଭୁକ୍ତ ରହିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରା ଏହି ଅଭିଯାନ ଆରମ୍ଭ ବିଷୟକୁ ସ୍ବୀକାର କରିଥିଲେ ମଧ୍ୟ ଏ ସମ୍ପର୍କରେ ସବିଶେଷ ସୂଚନା ଦେବାକୁ ମନା କରିଦେଇଛନ୍ତି।
ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ଆୟକର ବିଭାଗ ନିକଟରେ ଭାରତୀୟଙ୍କ ବିଦେଶୀ ଟଙ୍କା କାରବାର ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଛି। ଦେଶବ୍ୟାପୀ ଆର୍ଥିକ ଗୁଇନ୍ଦା ୟୁନିଟ (ଏଫ୍ଅାଇୟୁ) ଓ ଅନ୍ୟାନ୍ୟ ସୂତ୍ରରୁ ସୂଚନା ସଂଗ୍ରହ କରାଯାଇ ଏହି ଅଭିଯାନ ଆରମ୍ଭ ହୋଇଛି। କେତେକ କ୍ଷେତ୍ରରେ ବ୍ୟକ୍ତିବିଶେଷ ଓ ଟିକସଦାତାମାନଙ୍କୁ ସେମାନଙ୍କ କାରବାର ସମ୍ପର୍କରେ ତଥ୍ୟ ଦେବାକୁ ନୋଟିସ ପଠାଯାଇଛି ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଏମାନଙ୍କ ମଧ୍ୟରେ ଅନେକ ଭିଆଇପି ଓ ଖ୍ୟାତିସମ୍ପନ୍ନ ଲୋକ ମଧ୍ୟ ରହିଛନ୍ତି। ଏତଦ୍ବ୍ୟତୀତ କେତେକ ବଡ଼ ଧନୀ ବ୍ୟକ୍ତି ମଧ୍ୟ ସ୍କାନରରେ ରହିଛନ୍ତି। ତେବେ ଯେଉଁବ୍ୟକ୍ତିମାନେ ସେମାନଙ୍କ ଆୟକର ରିଟର୍ଣ୍ଣରେ ବିଦେଶୀ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି କିମ୍ବା ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ଯେଉଁମାନେ ଏହି କାର୍ଯ୍ୟ କରିଛନ୍ତି କେବଳ ସେହି ବ୍ୟକ୍ତିମାନଙ୍କ ବିରୋଧରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଉଲ୍ଲେଖଯୋଗ୍ୟ ଯେ, ସରକାର ୨୦୧୫ ମସିହାରେ ନୂଆ କଳାଟଙ୍କା (ଅଘୋଷିତ ବିଦେଶୀ ଆୟ ଓ ସମ୍ପତ୍ତି) ଆଇନ ପ୍ରଣୟନ କରିଛନ୍ତି। ନୂଆ ଆଇନ ଅନୁଯାୟୀ ବିଦେଶରେ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି। ଏପରିକି ଅଘୋଷିତ ଆୟ ଏବଂ ସମ୍ପତ୍ତି ଉପରେ ୧୨୦ ପ୍ରତିଶତ ହାରରେ ଟିକସ ଆଦାୟ କରାଯିବା ସହିତ ଜରିମାନା ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି।
ବିଦେଶ କଳାଧନକୁ ଖୋଜୁଛି ଆୟକର ବିଭାଗ
Advertisment
Follow Us