ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରତିକୂଳ ପ୍ରଭାବ ଭାରତୀୟ ପୁଞ୍ଜି ବଜାର ଉପରେ ପଡ଼ିଛି। ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ଗତ ୪ଟି କାରବାର ଦିବସରେ ପାଖାପାଖି ୨୧ ହଜାର କୋଟି (୨.୩ ବିଲିଅନ ଡଲାର) ଉଠାଇ ନେଇଛନ୍ତି। ମାର୍ଚ୍ଚ ୨ରୁ ୬ ତାରିଖ ମଧ୍ୟରେ ସେମାନେ ଏହି ଅର୍ଥ ନେଇଛନ୍ତି।
ଫେବ୍ରୁଆରିରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ୨୨,୬୧୫ କୋଟି ଟଙ୍କା ନିବେଶ କରିଥିଲେ। ଏହା ଗତ ୧୭ ମାସ ମଧ୍ୟରେ ସର୍ବାଧିକ ମାସିକ ନିବେଶକ ଥିଲା। ତାହା ପୂର୍ବରୁ ବିଦେଶୀ ନିବେଶକମାନେ କ୍ରମାଗତଭାବେ ୩ ମାସ ଧରି ଭାରତୀୟ ବଜାରକୁ ପୁଞ୍ଜି ପ୍ରତ୍ୟାହାର କରିଥିଲେ। ଜାନୁଆରିରେ ୩୫,୯୬୨ କୋଟି, ଡିସେମ୍ବରରେ ୨୨,୬୧୧ କୋଟି ଏବଂ ନଭେମ୍ବରରେ ୩,୭୬୫ କୋଟି ଟଙ୍କା ଉଠାଇ ନେଇଥିଲେ ବୋଲି ତଥ୍ୟରୁ ଜଣାଯାଇଛି।
ଆହୁରି ପଢ଼ନ୍ତୁ: There is oil: ତେଲ ଅଛି, ଗୁଜବରୁ ଭିଡ଼
ବିଶେଷଜ୍ଞଙ୍କ ମତରେ ବିଦେଶୀ ନିବେଶକମାନେ ମାର୍ଚ୍ଚରେ ପୁନର୍ବାର ଭାରତୀୟ ବଜାରରୁ ମୁହଁ ଫେରାଇବାର କାରଣ ହେଲା ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ। ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଗତମାସ ୨୮ ତାରିଖରେ ସାମରିକ ଆକ୍ରମଣ କରିବା ପରେ ସେହି ଅଞ୍ଚଳରେ ବଡ଼ଧରଣର ଭୂରାଜନୈତିକ ଅସ୍ଥିରତା ଦେଖାଦେଇଛି। ଏଞ୍ଜେଲ ୱାଲ୍ର ବରିଷ୍ଠ ବିଶ୍ଳେଷକ ଭି ଖାନ୍ଙ୍କ କହିବାନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବାଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୯୦ ଡଲାର ଟପିଯାଇଛି। ଏଥିସହିତ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ କମିଯାଇଛି। ଏସବୁ ପ୍ରଭାବରେ ବିଦେଶୀ ନିବେଶକମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି। ଏଭଳି ଅନିଶ୍ଚିତତା ଭିତରେ ବିଦେଶୀ ନିବେଶକମାନେ ଆମେରିକୀୟ ଡଲାର ଭଳି ନିରାପଦ ସଂପତ୍ତିରେ ନିବେଶକୁ ପସନ୍ଦ କରୁଛନ୍ତି। ଭୂରାଜନୈତିକ ସ୍ଥିତିରେ ଉନ୍ନତି ନଆସିବା ଏବଂ ଅଶୋଧିତ ତେଲ ଦର ନକମିବା ପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ସର୍ତକତା ସହ ଆଗକୁ ବଢ଼ିବେ ବୋଲି କୁହାଯାଉଛି।
Follow Us