Digital Leaders
ମୁମ୍ବାଇ: ଭାରତରେ ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ଚାଲିଛି। ସଂକ୍ରମଣ ଏବଂ ମୃତ୍ୟୁ ବହୁ ଅଧିକ ରହିଛି। ଏଭଳି ସ୍ଥିତିରେ ଭାରତରେ ଚାକିରି କରିବାକୁ ରାଜି ହେଉନାହାନ୍ତି ବିଦେଶୀ ପ୍ରତିଭା। ଅନେକ ଦେଶର ଲୋକଙ୍କୁ ଭାରତରେ ଉଚ୍ଚ ବେତନରେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଚାକିରି ଅଫର ଦିଆଯାଉ ଥିଲେ ମଧ୍ୟ ସେମାନେ ଏଠାକୁ ଆସି ଚାକିରି କରିବାକୁ ଆଦୌ ରାଜିନାହାନ୍ତି। ମୁଖ୍ୟତଃ ତିନିଟି କାରଣରୁ ସେମାନେ ଭାରତରେ ଚାକିରି କରିବାକୁ ଅନାଗ୍ରହୀ ରହିଛନ୍ତି। ପ୍ରଥମତଃ ଭାରତରେ କରୋନା ସଂକ୍ରମଣ ଅଧିକ ରହିଛି। ଦ୍ବିତୀୟତଃ ଏଠାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ରହିଛି। ତୃତୀୟତଃ ଭାରତର ଚିକିତ୍ସା ଭିତ୍ତିଭୂମି ସଂପର୍କରେ ସେମାନଙ୍କ ମଧ୍ୟରେ ଥିବା ନକାରାତ୍ମକ ଧାରଣା। ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଆରମ୍ଭ କରି ୟୁରୋପ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ପୂର୍ବ ଏସିଆର ଲୋକମାନେ ଭାରତରେ ଚାକିରି କରିବାକୁ ପଛଘୁଞ୍ଚା ଦେଉଛନ୍ତି। ସେମାନେ ଚାକିରି ଅଫରକୁ ପ୍ରଥମତଃ ପ୍ରତ୍ୟାଖ୍ୟାନ କରୁଛନ୍ତି କିମ୍ବା କିଛି ମାସ ପରେ ମହାମାରୀର ପ୍ରକୋପ କମିବା ପରେ ଚାକିରିରେ ଯୋଗଦେବାକୁ କହୁଛନ୍ତି ବୋଲି ଜଣାଯାଇଛି।
ଭାରତର କରୋନା ସ୍ଥିତି ବର୍ତ୍ତମାନ ସାଂଘାତିକ ରହିଛି ବୋଲି ଧାରଣା ବିଦେଶୀଙ୍କ ଭିତରେ ରହିଛି। ତେଣୁ ଅନେକ ବିଦେଶୀ ଭାରତରେ ଚାକିରି ଅଫରକୁ ଗ୍ରହଣ କରିବା ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି କିମ୍ବା ସିଧାସିଧା ମନା କରିଦେଉଛନ୍ତି ବୋଲି ଇନସିଷ୍ଟ ନାମକ ଫାର୍ମର ପ୍ରତିଷ୍ଠାତା ବି ସୁରେଶ କହିଛନ୍ତି। ନିକଟରେ ବ୍ରାଜିଲର ଜଣେ ବ୍ୟକ୍ତି ଭାରତର ଏକ ଉତ୍ପାଦନ କମ୍ପାନିରେ ଚାକିରିକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କରୋନାରେ ସେ ତାଙ୍କର ଜଣେ ସଂପର୍କୀୟଙ୍କୁ ହରାଇବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତତଲା ତାୱାରୁ ନିଆଁକୁ ଡେଇଁବାକୁ ସେ ପସନ୍ଦ କରିବେ ନାହିଁ ବୋଲି ମତ ଦେଇଛନ୍ତି। ସେହିଭଳି ଭାରତର ଏକ ବ୍ଲୁ ଚିପ୍ କମ୍ପାନିରେ ବୈଷୟିକ ବିଭାଗ ମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ଇଟାଲୀର ଜଣେ ବ୍ୟକ୍ତି ମଧ୍ୟ ଅଫରକୁ ମନା କରିଦେଇଛନ୍ତି। ସେ ତାଙ୍କ ଦେଶରେ କରୋନା ସ୍ଥିତିକୁ ନିଜ ଆଖିରେ ଦେଖିଛନ୍ତି। ତେଣୁ ସେଭଳି ସ୍ଥିତି ଥିବା ସ୍ଥାନକୁ ସେ ଏବେ ଯିବାକୁ ଚାହୁନାହାନ୍ତି ବୋଲି କହିଛନ୍ତି। ଭାରତର ଏକ ଜୈବପ୍ରଯୁକ୍ତି କମ୍ପାନିରେ ସିଇଓ ପଦବି ପାଇଥିବା ଜଣେ ଆମେରିକୀୟ ମଧ୍ୟ ଚାକିରି କରିବାକୁ ମନା କରିଦେଇଛନ୍ତି। ନିଯୁକ୍ତିଦାତା ଏବଂ ପ୍ରାର୍ଥୀଙ୍କ ମଧ୍ୟରେ ମଧ୍ୟସ୍ଥତା କରୁଥିବା ସଂସ୍ଥା ତାଙ୍କୁ ୬ ମାସର ଆଗୁଆ ଦରମା ସହିତ ଭାରତରେ ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ସେ ଆସିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ଚାକିରି ପାଇଁ ରାଜି ହେବାକୁ ବୁଝାଇଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଭାରତରେ ଚାକିରି କରିବାକୁ ବିଦେଶୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଇଏମ୍ଏ ପାର୍ଟନର୍ସ ଇଣ୍ଡିଆର ଏମଡି କେ ସୁଦର୍ଶନ କହିଛନ୍ତି। ଭାରତରେ କରୋନା ସ୍ଥିତି ସୁଧୁରିଲେ କିଛିମାସ ପରେ ଚାକିରି କରିବାକୁ ଆସିବେ ପ୍ରାର୍ଥୀମାନେ ବୋଲି କହୁଛନ୍ତି। ବିମାନ ଉଡ଼ାଣ କଟକଣା ବିଦେଶୀମାନେ ଭାରତରେ ଚାକିରି ପାଇଁ ବର୍ତ୍ତମାନ ରାଜି ନହେବାର ଏହା ଅନ୍ୟ ଏକ କାରଣ ବୋଲି ସେ କହିଛନ୍ତି। କରୋନାର ଦ୍ବିତୀୟ ଲହର ବେଳେ ଭାରତର ଡାକ୍ତରଖାନାଗୁଡ଼ିକରେ ବେଡ୍, ଔଷଧ, ଟିକା, ଅକ୍ସିଜେନ୍ ଏବଂ ଭେଣ୍ଟିଲେଟର ଆଦି ମିଳୁନଥିବା ଖବରକୁ ନେଇ ସେମନେ ଚିନ୍ତିତ ଥିବା ଜଣାପଡ଼ିଛି।
ବିଦେଶରୁ କାମ କରିବା ସୁଯୋଗ
ଅଟୋମୋବାଇଲ, ଇଲେକ୍ଟ୍ରିକ ଯାନ, କଳ କାରଖାନା, ରିଟେଲ, ପ୍ରଯୁକ୍ତି, ଜୈବପ୍ରଯୁକ୍ତି ଭଳି କ୍ଷେତ୍ରରେ କମ୍ପାନି ଗୁଡ଼ିକ ବିଦେଶୀଙ୍କୁ ସେମାନଙ୍କ ଦେଶ ଚାକିରିରେ ଯୋଗଦେବା ଏବଂ କାମ କରିବା ସୁଯୋଗ ମଧ୍ୟ ପ୍ରଦାନ କରୁଛନ୍ତି। କରୋନା ସ୍ଥିତି ସୁଧୁରିଲେ ସେମାନେ ଭାରତ ଆସି କାମ କରିବେ ବୋଲି କୁହାଯାଉଛି। ମହାମାରୀ କମିବ ଏବଂ ଭାରତର ଅର୍ଥନୀତି ଖୋଲିବ। କିନ୍ତୁ ବର୍ତ୍ତମାନ ପ୍ରତିଭାଙ୍କୁ ଧରି ରଖିବା ହେଉଛି ଦାୟିତ୍ବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତରେ କର୍ନ ଫେରିର ସିଏମଡି ଭାବେ କାମ କରୁଥିବା ନବନୀତ ସିଂହ କହିଛନ୍ତି, ଗତ ଦୁଇ ତିନି ବର୍ଷ ହେଲା ଭାରତକୁ ବିଦେଶୀମାନେ ଚାକିରି ପାଇଁ ଆସିବା କମିଯାଇଛି। ମହାମାରୀ ପରେ ଏହା ଆହୁରି କମିଯିବ ବୋଲି ସେ ମତ ଦେଇଛନ୍ତି।
କିଛି ଏନ୍ଆଇଆଇ ଫେରିବାକୁ ଆଗ୍ରହୀ
ତେବେ ବିଦେଶରେ ରହୁଥିବା କିଛି ବୟସ୍କ ଏନ୍ଆରଆଇ ଭାରତରେ ଚାକିରି କରିବାକୁ ଆଗ୍ରହୀ ଅଛନ୍ତି। ମହାମାରୀ ସମୟରେ ସେମାନେ ସେମାନଙ୍କ ପରିବାର ନିକଟକୁ ଫେରିବା ଉଦ୍ଦେଶ୍ୟରେ ଏଭଳି ଚିନ୍ତା କରୁଛନ୍ତି। କିନ୍ତୁ ୩୦ ରୁ ୫୦ ବର୍ଷ ବୟସର ଏନ୍ଆରଆଇମାନେ ଭାରତରେ ଚାକିରି କରିବା ପାଇଁ ଆସିବାକୁ ଆଗ୍ରହୀ ନାହାନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
Follow Us