ଠକେଇ, ଜାଲିଆତି: ପ୍ରତି ଘଣ୍ଟାରେ ବ୍ୟାଙ୍କ ହରାଉଛନ୍ତି ୧.୬ କୋଟି

Advertisment
ଠକେଇ, ଜାଲିଆତି: ପ୍ରତି ଘଣ୍ଟାରେ ବ୍ୟାଙ୍କ ହରାଉଛନ୍ତି ୧.୬ କୋଟି

ବେଙ୍ଗାଲୁରୁ: ଠକେଇ ଓ ଜାଲିଆତି ଯୋଗୁଁ ବ୍ୟାଙ୍କଗୁଡ଼ିକ ବଡ଼ ଧରଣର କ୍ଷତି ସହୁଛନ୍ତି। ପ୍ରତି ଘଣ୍ଟାରେ ବ୍ୟାଙ୍କଗୁଡ଼ିକ ୧.୬ କୋଟି ଟଙ୍କା ହରାଉଛନ୍ତି। ବ୍ୟାଙ୍କ ଯେତିକି ପରିମାଣର କ୍ଷତି ସହୁଛନ୍ତି ସେଥିରେ ଜାଲିଆତି ଏବଂ ଠକେଇ ଯୋଗୁଁ ହେଉଥିବା କ୍ଷତିର ଭାଗ ହେଉଛି ୬୦%। ଆଠ ପ୍ରକାର ଠକେଇ ବିଷୟରେ ଜଣାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ୨୦୧୪-୧୫ରୁ ୨୦୧୬-୧୭ ତିନି ବର୍ଷ ଭିତରେ ଏଭଳି ଠକେଇ ଓ ଜାଲିଆତି ଯୋଗୁଁ ବ୍ୟାଙ୍କଗୁଡ଼ିକ ସମୁଦାୟ ୪୨,୨୭୬ କୋଟି ଟଙ୍କା ହରାଇଛନ୍ତି। ସେଥି ମଧ୍ୟରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୩୭,୫୮୩ କୋଟି ଟଙ୍କା ହରାଇଛନ୍ତି ଯାହା ମୋଟ କ୍ଷତିର ୮୯% ସହ ସମାନ। କେବଳ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୫୭୪୩ କୋଟି ଟଙ୍କା ହରାଇଛି। ଘରୋଇ ବ୍ୟାଙ୍କଗୁଡ଼ିକ ୪,୬୮୩ କୋଟି ଟଙ୍କା ହରାଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ୭୫୦୫ଟି ମାମଲା ଅର୍ଥ ହାନି ହୋଇଛି। ସେଥି ମଧ୍ୟରୁ ୪୭୦୨ଟି ମାମଲା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ହୋଇଥିବା ବେଳେ ୨୮୦୩ଟି ମାମଲା ଘରୋଇ ବ୍ୟାଙ୍କର ରହିଛି। ଜାଲ୍‌ କାଗଜପତ୍ର ଦେଇ ଋଣ ହାସଲ କରିବା କିମ୍ବା ମିଥ୍ୟା ଦାବି ଉପସ୍ଥାପନ କରିବା ଆଦି ବିଭିନ୍ନ ଉପାୟରେ ଗ୍ରାହକମାନେ ବ୍ୟାଙ୍କଗୁଡ଼ିକୁ ଠକୁଛନ୍ତି। ସିନର୍ଜିଆ ଫାଉଣ୍ଡେସନ ନାମକ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ଫାଉଣ୍ଡେସନର ଟୋବି ସିମନ୍‌ କହିଛନ୍ତି ଯେ ବ୍ୟାଙ୍କରେ କାମ କରୁଥିବା ଲୋକମାନଙ୍କ ସଂପୃକ୍ତି ବିନା ଏହି ସବୁ ଠକେଇ ଓ ଜାଲିଆତି ସମ୍ଭବ ନୁହେଁ। ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଏକ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଠକେଇକୁ ବିଚାରକୁ ନିଆଯାଇଛି। ଯଦି ଏହାଠାରୁ କମ୍‌ ମୂଲ୍ୟର ଠକେଇକୁ ହିସାବକୁ ନିଆଯିବ ତେବେ ବ୍ୟାଙ୍କଗୁଡ଼ିକର ଆଉ କିଛି ଶହ କୋଟି ଟଙ୍କା ଅଧିକ କ୍ଷତି ହୋଇଥିବ ବୋଲି ସେ କହିଛନ୍ତି।

‘ସରକାରୀ ବ୍ୟାଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ବେଶି କ୍ଷମତା ନାହିଁ’

publive-imageମୁମ୍ବାଇ: ପିଏନ୍‌ବି ଠକେଇ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଦାୟୀ କରାଯାଉଛି। ନିୟାମକ ସଂସ୍ଥା ଭାବେ ଏହାର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସମାଲୋଚନାର ଶିକାର ହେବା ସତ୍ତ୍ୱେ ଚୁପ୍‌ ରହିଥିବା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଆଜି ପିଏନ୍‌ବି ମାମଲାରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକ ଉପରେ ଲଗାମ କଷିବା ପାଇଁ ଆମ ପାଖରେ ଆବଶ୍ୟକ କ୍ଷମତା ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଆମକୁ ଯଦି ମାଡ଼ର ସାମ୍ନା କରିବାକୁ ପଡ଼ିବ ତେବେ ଆମେ ପ୍ରସ୍ତୁତ। ନୀଳକଣ୍ଠ ହେବାକୁ ପ୍ରସ୍ତୁତ। ବ୍ୟବସ୍ଥା ସୁଧାରିବା ପାଇଁ ସବୁ ବିଷ ପିଇଯିବୁ ବୋଲି ଉର୍ଜିତ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଚାହିଁଲେ ମଧ୍ୟ ସରକାରୀ ବ୍ୟାଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। କାରଣ ସରକାରୀ ବ୍ୟାଙ୍କଗୁଡ଼ିକ ପାଇଁ ଦୁଇ ପ୍ରକାର ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ଅଧା କ୍ଷମତା ସରକାରଙ୍କ ପାଖରେ ରହିଛି। କ୍ଷମତାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି ସେଥିପାଇଁ ଠକେଇ ହେଉଥିବା ସେ କହିଛନ୍ତି। ଘରୋଇ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ ପାଇଁଆମକୁ ଯେଉଁ କ୍ଷମତା ଦିଆଯାଇଛି, ସରକାରୀ ବ୍ୟାଙ୍କ ପାଇଁ ମଧ୍ୟ ସେଭଳି କ୍ଷମତା ଦେବାକୁ ଦିଆଯିବା ଦରକାର ବୋଲି ସେ କହିଛନ୍ତିି। ଦେଶର କୌଣସି ନିୟାମକ ସଂସ୍ଥା ଠକେଇକୁ ଅଟକାଇ ପାରିବେ ନାହିଁ ବୋଲି ଉର୍ଜିତ କହିଛନ୍ତି।

୩୧ ବ୍ୟବସାୟୀ ଦେଶରୁ ଫେରାର
ନୂଆଦିଲ୍ଲୀ: ସିବିଆଇ ତଦନ୍ତ ସାମ୍ନା କରୁଥିବା ୩୧ ଜଣ ବ୍ୟବସାୟୀ ଦେଶ ଛାଡ଼ି ପଳାଇଛନ୍ତି। ସେମାନେ ହେଉଛନ୍ତି ପିଏନ୍‌ବି ଠକେଇର ଦୁଇ ଅଭିଯୁକ୍ତ ନିରବ ମୋଦି ଓ ତାଙ୍କ ପତ୍ନୀ ଆମି, ମେହୁଲ ଚୋକ୍‌ସି, ମଦ ବ୍ୟବସାୟୀ ବିଜୟ ମାଲ୍ୟା ଓ ଜତିନ୍‌ ମେହତା। ଦେଶରୁ ଲୁଚି ପଳାଇଥିବା ଅନ୍ୟ ବ୍ୟବସାୟୀମାନେ ହେଉଛନ୍ତି ବଜିୟ କୁମାର ରେଭାଭାଇ ପଟେଲ୍‌, ସୁନୀଲ ରମେଶ ରୁପାନି, ପୁଷ୍ପେସ କୁମାର ବୈଦ, ସୁରେନ୍ଦର ସିଂହ, ହରସାହିବ ସିଂହ, ରିତେଶ ଜୈନ, ଅଙ୍ଗଦ ସିଂହ, ହରଲିନ୍‌ କୌର ଓ ଆଶିଷ ଯୋବନପୂତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe