www.india.com
ନୂଆଦିଲ୍ଲୀ: ଫୁଡ୍ ଡେଲିଭରିଂ ସଂସ୍ଥା ଜୋମାଟୋ ୧୦ ମିନିଟ୍ରେ ଗ୍ରାହକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା କଥାକୁ ନେଇ ସୋସିଆଲ୍ ମିଡିଆରେ ବହୁ ତକର୍ବିତର୍କ ଚାଲିବା ପରେ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି କମ୍ପାନିର ନିର୍ମାତା ଦୀପିନ୍ଦର ଗୋଏଲ୍।
ସେ ଏକ ଟ୍ବିଟ୍ କରି କହିଛନ୍ତି ଯେ, ‘୧୦ ମିନିଟ୍ରେ କେବଳ ସେହି ଖାଦ୍ୟ ଡେଲିଭରି କରାଯାଇପାରିବ, ଯାହାକୁ ପ୍ରସ୍ତୁତ କରିବାକୁୁ ୨ରୁ ୪ ମିନିଟ୍ ମଧ୍ୟରେ ସମୟ ଲାଗେ। ବିଶେଷ କରି ବ୍ରେଡ୍-ଓମ୍ଲେଟ୍, ପୋହା, ବିରାୟାନୀ, ଚା, କଫି, ମୋମୋ ପରି ଖାଦ୍ୟ ୧୦ ମିନିଟ୍ରେ ଡେଲିଭରି କରାଯାଇ ପାରିବ। ଯଦି ଗ୍ରାହକ ନୁଡଲ୍ସ, ଫ୍ରାଏଡ୍ ରାଇସ୍, ପିଜା ଆଦି ବରାଦ ଦିଅନ୍ତି ତେବେ ଡେଲିଭରି ସମୟ ୧୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ବଢ଼ିଯିବାର ସମ୍ଭାବନା ରହିଛି। ବେଳେ ବେଳେ ଦୂରତ୍ବକୁ ନେଇ ୩୦ ମିନିଟ୍ କିମ୍ବା ତାଠାରୁ ଅଧିକ ସମୟ ବି ଲାଗିଯାଇପାରେ।’
କମ୍ପାନି ଯେଉଁଭଳି ଭାବେ ୧୦ ମିନିଟ୍ରେ ଫୁଡ୍ ଡେଲିଭରିଂ ଶପଥ ନେଇଛି ତାହା ଡେଲିଭରି ଏଜେଣ୍ଟ୍ଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସୋସିଆଲ୍ ମିଡିଆରେ କଥା ଉଠିବା ପରେ ଏ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ଗୋଏଲ୍। ସେ କହିଛନ୍ତି, ‘ଡେଲିଭରି ଏଜେଣ୍ଟ୍ମାନଙ୍କୁ କମ୍ପାନି ସଡ଼କ ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହାବ୍ୟତୀତ ସେମାନଙ୍କୁ ଆକ୍ସିଡେଣ୍ଟାଲ୍/ ଲାଇଫ୍ ଇନ୍ସୁରାନ୍ସ ଯୋଗାଇ ଦେବ। ଡେଲିଭରି ଏଜେଣ୍ଟ୍ମାନଙ୍କୁ ଚାପରେ ଆସିବା ଭଳି କମ୍ପାନି ଡେଲିଭରି ସମୟକୁ ନେଇ ଗ୍ରାହକଙ୍କୁ କୌଣସି ନିଶ୍ଚିତତା ପ୍ରଦାନ କରିବ ନାହିଁ, କେବଳ ଏତିକି ସମୟ ମଧ୍ୟରେ ପହଞ୍ଚିଯିବାର ସମ୍ଭାବନା ରହିଛି ବୋଲି ସୂଚୀତ କରାଯିବ।’
ଦୀପିନ୍ଦର ଟ୍ବିଟର୍ରେ ଏକ ଚାର୍ଟ ସେୟାର କରି ୧୦ ମିନିଟ୍ ଓ ୩୦ ମିନିଟ୍ରେ ଖାଦ୍ୟ ଡେଲିଭରିର ତୁଳନା କରିଛନ୍ତି। ଦର୍ଶାଯାଇଥିବା ଚାର୍ଟରେ ଖାଦ୍ୟର ପସ୍ତୁତ ସମୟ, ଦୂରତା ଓ ସମୟ ଆଦି ସବୁ ସଂପର୍କରେ ଉଲ୍ଲେଖ କରାଯାଇଛି।
Follow Us