ଚାଷୀ ପୁଅରୁ ଶି‌ଳ୍ପୋଦ୍ୟୋଗୀ: ରେସ୍ତୋରାଁରୁ ଆରମ୍ଭ, ପ୍ଲାଷ୍ଟିକ୍ ବ୍ୟବସାୟରୁ ବହୁତ କିଛି ଶିଖିଲି

ଚାଷୀ ପୁଅରୁ ଶି‌ଳ୍ପୋଦ୍ୟୋଗୀ: ରେସ୍ତୋରାଁରୁ ଆରମ୍ଭ, ପ୍ଲାଷ୍ଟିକ୍ ବ୍ୟବସାୟରୁ ବହୁତ କିଛି ଶିଖିଲି

ଏକ ଚାଷୀ ପରିବାରରେ ଜନ୍ମ ହୋଇ ଏବେ ଶହ ଶହ ପରିବାରର ଜୀବନଜୀବିକାର ମାଧ୍ୟମ ପାଲଟିଛନ୍ତି କେନ୍ଦୁଝର ଜିଲ୍ଲାର ଶିଳ୍ପୋଦ୍ୟୋଗୀ ସରୋଜ ସାହୁ। ରେସ୍ତୋରାଁରୁ ବ୍ୟବସ‌ାୟୀ ଭାବେ ସେ ଯାତ୍ରା ଆରମ୍ଭ କରିଥିଲେ। ଏବେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି। ଏକ ସାକ୍ଷାତକାରରେ ସେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ଏକ ନିଅଣ୍ଟିଆ ଚାଷୀ ପରିବାରରେ ଜନ୍ମ ହୋଇ କିଭଳି ଶିଳ୍ପଦ୍ୟୋଗୀ ହେବାର ସ୍ବପ୍ନ ଦେଖିଲେ?
ଛୋଟ ବେଳୁ ଅତ୍ୟନ୍ତ କଠିନ ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଇ କଠିନ ପରିସ୍ଥିତି ହିଁ ମୋତେ ଶିଳ୍ପ ପ୍ରତିଷ୍ଠାର ସ୍ବପ୍ନ ଦେଖିବାକୁ ପ୍ରେରଣା ଦେଇଥିଲା। ଛୋଟ ବେଳୁ ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ଜୀବନଜୀବିକାର ମାଧ୍ୟମ ପାଲଟିବା ପାଇଁ ଯେଉଁ ଇଚ୍ଛା ଥିଲା,. ତାହା ଆଜି ଧୀରେ ଧୀରେ ବାସ୍ତବରେ ପରିଣତ ହେଉଛି।
ଆପଣ ନିଜେ କିଭଳି ସ୍ବାବଲମ୍ବୀ ହେଲେ ଓ ଅନ୍ୟକୁ ସାହାରା ହୋଇପାରିଲେ?
ପ୍ରଥମେ ଏକ ରେସ୍ତୋରାଁ ଖୋଲି ମୁଁ ବ୍ୟବସାୟ ଆରମ୍ଭ କରିଥିଲି। ଏହା ପରେ ପ୍ଲାଷ୍ଟିକ୍ ବ୍ୟବସାୟରେ ପ୍ରବେଶ କରିଥିଲି। ସେହି ବ୍ୟବସାୟରେ ଯେଉଁ ଉତଥାନ୍ ପତନ ଦେଖିବାକୁ ମିଳିଥିଲା ସେଥିରୁ ବହୁତ କିଛି ଶିଖିଥିଲି ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ବେଳେ କାମରେ ଆସିଲା।
ଆପଣ ଏକଦା କେନ୍ଦୁଝର ପୌର ପାଳିକାର ଉପାଧ୍ୟକ୍ଷ ଥିଲେ। ରାଜନୀତିରୁ ଶିଳ୍ପଜଗତକୁ ‌କିଭଳି ଆସିଲେ?
ଛାତ୍ର ଜୀବନରେ ଛାତ୍ର ରାଜନୀତି ସହିତ ଜଡ଼ିତ ଥିଲି। ପରବର୍ତ୍ତୀ ସମୟରେ କେନ୍ଦୁଝରଗଡ ପୌର ପାଳିକା ନିର୍ବାଚନରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲି। ଏହାପରେ ଉପାଧ୍ୟକ୍ଷ ଏବଂ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବାର ସୁଯୋଗ ମିଳିଥିଲା। ତେବେ ଏହି ସବୁ ରାଜନୈତିକ ପଦପଦବୀ ଛାଏଁ ଛାଏଁ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଆଉ ରାଜନୀତିରେ ସକ୍ରିୟ ହେବାକୁ ଚାହିଲି ନାହିଁ। ମୋର ଛୋଟ ବେଳର ସ୍ବପ୍ନ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗେଇଲି।
ଏବେ ରାଜନୀତି କରୁଛନ୍ତି ନା ନାହିଁ?
ନା। ମୁଁ ସକ୍ରିୟ ରାଜନୀତିରେ ନାହିଁ। ଏବେ ଅନେକ ପରିବାରଙ୍କ ପେଟ ପାଟଣା ମୋ ଉପରେ ନିର୍ଭରଶୀଳ ଥିବାରୁ ବ୍ୟବସାୟ ଉପରେ ଗୁରୁତ୍ବ ଦେଉଛି।
ବ୍ୟାଙ୍କ ଆପଣଙ୍କୁ କିଭଳି ସହଯୋଗ କରୁଛି?
ରେସ୍ତୋରାଁ ବ୍ୟବସାୟ ଆରମ୍ଭରୁ ମୁଁ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କାର ଋଣ ନେଇଥିଲି। ସେତେବେଳେ ମୁଁ ସରକାରୀ ପ୍ରୋତ୍ସାହନ କ୍ରମେ ୩୦ ପ୍ରତିଶତ ରିହାତି ପାଇଥିଲି। କିନ୍ତୁ ଏହି ଋଣ ସଠିକ୍‌ ସମୟ‌େର ପରିଶୋଧ କରିବା ହିଁ ମୋ ପାଇଁ ବରଦାନ ହୋଇଥିଲା। ଏହାପ‌ରେ ବ୍ୟାଙ୍କ କେବେ ବି ମୋ ହାତ ଛାଡି ନାହିଁ।
ସରକାରୀ ପ୍ରୋତ୍ସାହନ କିଭଳି ପାଉଛନ୍ତି ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ପରିବେଶ ଅଛି କି?
ଏକ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏବେ ସିଙ୍ଗଲ ଉଇଣ୍ଡୋରେ ମୋର କମ୍ପାନି ସିଦ୍ଧି ରିଦ୍ଧି ଇଣ୍ଟରନ୍ୟାସନାଲର ପ୍ରସ୍ତାବ ପାରିତ ହୋଇଛି। ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କୌଣସି ପ୍ରକାର ସମସ୍ୟା ଉପୁଜିନାହିଁ। ପୂର୍ବରୁ ମଧ୍ୟ ଏକ ବେନିଫିସିକେସନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ବେଳେ ସରକାରୀ ପ୍ରୋତ୍ସାହନ ରହିଥିଲା।
ଅଦ୍ୟାବଧି କେତୋଟି ଶିଳ୍ପ ପ୍ରତିଷ୍ଠା ହୋଇ ସାରିଲାଣି ଏବଂ ଆଗକୁ କ’ଣ ଯୋଜନା ରହିଛି?
ଲୁହାପଥର ପରିବହନ ସହିତ ରପ୍ତାନି ବ୍ୟବସାୟ ଏବଂ ଏକ ବେନିଫିସିକେସନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପରେ ଏବେ ଏକ ସମନ୍ବିତ ଇସ୍ପାତ କାରଖାନା ପାଇଁ ସରକାରଙ୍କ ସହିତ ଖୁବଶୀଘ୍ର ଚୁକ୍ତିନାମା ସ୍ବା‌କ୍ଷର ହେବ।
ଯୁବପିଢ଼ିଙ୍କୁ କଣ କହିବେ?
ଯୁବପିଢ଼ି ସ୍ବପ୍ନ ଦେଖନ୍ତୁ ଏବଂ ସଫଳତା ପାଇଁ ସଂଘର୍ଷ କରନ୍ତୁ। ନିଶ୍ଚିତ ସଫଳ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe