Future of 1624 rubber farmers bleak: ୧୬୨୪ ରବରଚାଷୀଙ୍କ ଭବିଷ୍ୟତ ଅନ୍ଧକାର: ୧୭.୭୧ କୋଟି ଟଙ୍କା‌ର ୪ଟି ପ୍ରକଳ୍ପ ଅଧାରେ ଆଣ୍ଠେଇଛି

ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଓ  କପ୍ତିପଦା ବ୍ଲକ୍‌ରେ ରବରଚାଷ ପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) କରିଥିବା ଯୋଜନାରେ କେଳେଙ୍କାରୀ ଓ ବିଫଳତା ସାମ୍‌ନାକୁ ଆସିଛି।

rubber

Photograph: (The Week)

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଓ  କପ୍ତିପଦା ବ୍ଲକ୍‌ରେ ରବରଚାଷ ପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) କରିଥିବା ଯୋଜନାରେ କେଳେଙ୍କାରୀ ଓ ବିଫଳତା ସାମ୍‌ନାକୁ ଆସିଛି। ବହୁ ଆଶା କରି ରବର ଚାଷକୁ ଆପଣାଇଥିବା ୧୬୨୪ଜଣ ଆଦିବାସୀ ପରିବାରଙ୍କ ବିକାଶର ସ୍ବପ୍ନ ଅଧାରେ ଭାଙ୍ଗିଯାଇଛି। ଅଧିକାରୀଙ୍କର ବ୍ୟାପକ ଜାଲ୍ କାରବାର ଓ ଦୁର୍ନୀତି ଏହି ମହତ ଯୋଜନାକୁ ବିଫଳତାର ବାଟ ଦେଖାଇଛି ବୋଲି ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ଏହି ରବରଚାଷ କେଳେଙ୍କାରୀରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଏଜି ମଧ୍ୟ ସୁପାରିସ କରିଛନ୍ତି।  

ଖୁଣ୍ଟା ଓ କପ୍ତିପଦା ବ୍ଲକ୍‌ର ୪ଟି ସ୍ଥାନରେ ୨୦୧୩-୧୪ରୁ ୨୦୧୫-୧୬ ମଧ୍ୟରେ ୧୭.୭୧କୋଟି ଟଙ୍କା ବିନିମୟରେ ୧୬୨୪ ଚାଷୀଙ୍କୁ ରବରଚାଷରେ ଆଟିଡିଏ ସାମିଲ କରିଥିଲା। ଖୁଣ୍ଟା ବ୍ଲକ୍ ଅଧୀନ କେନ୍ଦୁଗଡ଼ି ଏବଂ ମହଲୀବାସରେ ୪୧୫.୭୩ ଏକର,  ଶିରୀଷଚନ୍ଦ୍ରପୁର, ଗିରୀଶଚନ୍ଦ୍ରପୁର, ସୋନାପୋଖରୀରେ ୪୧୧.୮୩ ଏକର, କପ୍ତିପଦା ବ୍ଲକ୍‌ର ଉଟକାମସାହିରେ ୧୩୬.୪୦ ଏକର ଓ  ଖୁଣ୍ଟା ବ୍ଲକ୍‌ର ଦବକା ଏବଂ ରଙ୍ଗମାଟିଆ ଗ୍ରାମରେ ୩୫୧ ଏକର ଜମିରେ ରବର ଚାଷ କରାଯାଇଥିଲା। ଏହି ୪ଟି ସ୍ଥାନର ମୋଟ୍ ୧୩୧୪.୯୬ ଏକର ଜମିରେ ୨,୪୮,୮୮୧ ବୃକ୍ଷରୋପଣ କରାଯାଇଥିଲା। କିନ୍ତୁ ଶେଷରେ ୧୪,୫୦୦ଟି ଗଛରୁ ରବର ଅଠା ସଂଗ୍ରହ ପାଇଁ ଉପଲବ୍ଧ ହୋଇଥିଲା। ଅଡିଟ୍‌ରେ ଧରାପଡ଼ିଛି ଯେ ଏହି ୪ଟି ସ୍ଥାନର କୌଣସିଠାରେ ଅଠା ପ୍ରକ୍ରିୟାକରଣ ପାଇଁ ଗୋଷ୍ଠୀ ପ୍ରକ୍ରିୟାକରଣ କେନ୍ଦ୍ର ଗଠନ କରାଯାଇନଥିଲା।

୨,୪୮,୮୮୧ଟି ଗଛ ଲାଗିଲା, ୧୪,୫୦୦ଟି ଗଛ ଅଠା ସଂଗ୍ରହ‌ ଯୋଗ୍ୟ

ଫଳରେ ନିରୂପାୟ କେତେକ ହିତାଧିକାରୀ ଅନ୍ୟ ରବର ଉତ୍ପାଦନ ସମିତିର ପ୍ରକ୍ରିୟାକରଣ ବ୍ୟବହାର କରି ଅଠା ସଂଗ୍ରହ କରିଥିଲେ। ରବର ଚାଷ ପାଇଁ ଯେଉଁଯେଉଁ ପଦ‌‌କ୍ଷେପ ଗ୍ରହଣ କରାଯିବା କଥା, ସେଗୁଡ଼ିକ ଗ୍ରହଣ କରାନଯିବାରୁ ୧୬୨୪ଟି ରବରଚାଷୀ ପରିବାରଙ୍କ ବିକାଶ ଭୂଲୁଣ୍ଠିତ ହୋଇଛି। ଏପରିକି ୨୦୨୩ରେ ସରଜମିନ୍ ତଦନ୍ତରେ ଜଣାପଡ଼ିଛି ଯେ ଡମସାହି, ହାଟସାହି, ସରାଟରେ ରବର ବୃକ୍ଷରୋପଣ ସ୍ଥାନରେ ଗଛ ନାହିଁ। ଅନାବନାଗଛ ଥିବା ବେଳେ କେତେକ ସ୍ଥାନରେ ଜଙ୍ଗଲୀ ରବରଗଛ ରହିଛି। କପ୍ତିପଦା ଆଇଟିଡିଏ ପକ୍ଷରୁ ବୃକ୍ଷରୋପଣର ୫ବର୍ଷ ପରେ ୨୦୨୧-୨୨ରେ ୩.୯୫ଲକ୍ଷ ଟଙ୍କାର ୨୦,୨୧୧କିଲୋ ସାର କ୍ରୟ କରାଯାଇଥିବା ଦର୍ଶାଯାଇଛି। କିନ୍ତୁ ଉଦ୍ଦିଷ୍ଟ ସାର ପ୍ରାପ୍ତି ଓ  ଦେୟ ନଥିପତ୍ର ନାହିଁ। ସେହିପରି ଏକାଧିକ ସ୍ଥାନରେ ଲକ୍ଷାଧିକ ଟଙ୍କାର ସାର କ୍ରୟ ହୋଇଥିବା ବେଳେ ତାହାର ବିନିଯୋଗ(ପ୍ରୟୋଗ) ପାଇଁ ଶ୍ରମିକ/ ମଜୁରିଆ ନିଯୁକ୍ତି କରାଯାଇନାହିଁ। ଏପରିକି ସାର କ୍ରୟ ପୂର୍ବରୁ ମଜୁରି ପୈଠ କରାଯାଇଥିବା ତଥ୍ୟ ଅଡିଟ୍‌ରେ ଧରାପଡ଼ିଛି। ଏହି ଜାଲ୍‌ କାରବାରକୁ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି। ଏପରିକି ୨୦୨୪ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ କପ୍ତିପଦା ଆଇଟିଡିଏ ଠାରୁ କୈଫିୟତ୍ ତଲବ କରିଛି। ରବରଚାଷ କେଳେଙ୍କାରୀ ଯୋଗୁଁ ବିକାଶ କାର୍ଯ୍ୟକ୍ରମ ଦିଗହରା ହେବା ସହିତ ହଜାରହଜାର ଆଦିବାସୀ ପରିବାରଙ୍କ ଉନ୍ନତି ମଧ୍ୟ ଅଧାର ଅଟକି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe