ନୂଆଦିଲ୍ଲ: କେନ୍ଦ୍ର ସରକାରଙ୍କ କଂପାନି ଗେଲ୍ (ଇଣ୍ଡିଆ) ଲିମିଟେଡ୍ ୨୦୧୮-୧୯ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ଲାଭ କରିଛି। କଂପାନିର ଟିକସ ପରବର୍ତ୍ତୀ ଲାଭ (ପିଏଟି) ୩୦% ବୃଦ୍ଧି ପାଇ ୬୦୨୬ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ଏହି ଲାଭ ପରିମାଣ ୪୬୧୮ କୋଟି ଟଙ୍କା ଥିଲା। କଂପାନିର ଦୀର୍ଘ ତିନି ଦଶନ୍ଧୀ ଲମ୍ବା ଯାତ୍ରାରେ ଏହା ଏକ ରେକର୍ଡ। କଂପାନିର କାରବାର ପରିମାଣ ଗତ ବର୍ଷ ୩୯% ବୃଦ୍ଧି ପାଇ ୭୪,୮୦୮ କୋଟି ଟଙ୍କା ହୋଇଥିବା ବେଳେ ଟିକସ ପୂର୍ବବର୍ତ୍ତୀ ଲାଭ (ପିବିଟି) ୩୧% ବୃଦ୍ଧି ପାଇ ୯୦୫୮ କୋଟି ଟଙ୍କା ହୋଇଛି। ୨୦୧୮-୧୯ରେ କଂପାନିର ପ୍ରାକୃତିକ ଗ୍ୟାସ ମାର୍କେଟିଂ ୧୪%, ପ୍ରାକୃତିକ ଗ୍ୟାସ ବିତରଣ ୨%, ପେଟ୍ରୋକେମିକାଲ୍ସ ୯%, ତରଳ ହାଇଡ୍ରୋକାର୍ବନ ୪% ଓ ଏଲ୍ପିଜି ବିତରଣରେ ୭%ର ବୃଦ୍ଧି ହୋଇଛି। କଂପାନିର ଗ୍ରସ୍ ମାର୍ଜିନ୍ ୨୫% ବୃଦ୍ଧି ପାଇ ୧୦,୭୭୪ କୋଟି ଟଙ୍କା ହୋଇଥିବା ବେଳେ ଆଲୋଚ୍ୟ ବର୍ଷ ପାଇଁ ଏହା ସେୟାର ପିଛା ୮ ଟଙ୍କା ୨ ପଇସାର ମୋଟ ଲାଭାଂଶ ଘୋଷଣା କରିଛି। ପ୍ରତିଟି ଇକ୍ବିଟି ସେୟାର ପିଛା କଂପାନି ଗୋଟିଏ ଫୁଲି ପେଡ୍-ଅପ୍ ବୋନସ୍ ସେୟାର ପ୍ରଦାନ କରିବାକୁ ଘୋଷଣା କରିଛି। ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ମଧ୍ୟ କଂପାନି ଜବରଦସ୍ତ ପ୍ରଦର୍ଶନ କରି ୧୧୨୨ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ ହାସଲ କରିଛି ଯାହା ପୂର୍ବବର୍ଷର ସେହି ସମୟ ଲାଭ ତୁଳନାରେ ୧୦% ଅଧିକ। ଏହି ତିନି ମାସରେ କଂପାନି ଏହାର ସବୁ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।
ଗେଲ୍ର ପ୍ରଦର୍ଶନ ବିଷୟରେ ଏହାର ସିଏମ୍ଡି ବି ସି ତ୍ରିପାଠୀ କହିଛନ୍ତି, ସବୁ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବା ଯୋଗୁ କଂପାନିର ଲାଭ ପରିମାଣ ବଢ଼ିଛି। ଗ୍ୟାସ ମାର୍କେଟିଂ, ଗ୍ୟାସ ବିତରଣ, ତରଳ ହାଇଡ୍ରୋକାର୍ବନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ର ବହୁତ ଭଲ ପ୍ରଦର୍ଶନ କରିଛି। ଗତ ବର୍ଷ କଂପାନି ତରଫରୁ ୮୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି। କଂପାନି ବିଛାଉଥିବା ୫୫୦୦ କିମି ପାଇପଲାଇନ୍ ପ୍ରକଳ୍ପରେ ଏହି ଅର୍ଥ ବିନିଯୋଗ ହୋଇଛି। ଆଗାମୀ କିଛି ବର୍ଷରେ କଂପାନି ୩୨ ହଜାର କୋଟି ଟଙ୍କାର ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଦେଶର ପ୍ରାକୃତିକ ଗ୍ୟାସ ଭିତ୍ତିଭୂମି ସୁଦୃଢ଼ କରିବାକୁ ଗେଲ୍ ପ୍ରତିବଦ୍ଧ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
Follow Us