Inventiva
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪% ହୋଇଛି। ଏହାର ପୂର୍ବ ତିନି ମାସ (୨୦୨୧ ଜୁଲାଇ-ସେପ୍ଟେମ୍ବର)ରେ ହୋଇଥିବା ୮.୪% ଅଭିବୃଦ୍ଧି ତୁଳନାରେ ଏହା କମ୍ ରହିଛି। ଆଲୋଚ୍ୟ ସମୟରେ କୃଷି, ଖଣି, ମାନୁଫାକ୍ଚରିଂ, ପରିବହନ ଏବଂ ନିର୍ମାଣ କ୍ଷେତ୍ରର ପ୍ରଦର୍ଶନ ଦୁର୍ବଳ ରହିବା କାରଣରୁ ଅଭିବୃଦ୍ଧି ହ୍ରାସ ପାଇଛି। ମାତ୍ର, ୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବରର ୦.୫% ଅଭିବୃଦ୍ଧି ତୁଳନାରେ ଏଥର ଅର୍ଥନୈତିକ ଅଭିବୃଦ୍ଧି ଅଧିକ ରହିଛି। ଆଜି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ତୃତୀୟ ତ୍ରୟମାସର ଅଭିବୃଦ୍ଧି ତଥ୍ୟ ଅନୁଯାୟୀ, ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ବିଯୁକ୍ତ ୨.୮% ରହିଛି। ତିନି ମାସ ପୂର୍ବରୁ ଏହି କ୍ଷେତ୍ରର ଅଭିବୃଦ୍ଧି ୮.୨% ଭଳି ଉଚ୍ଚ ସ୍ତରରେ ଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ୨୦୨୧ର ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ନିର୍ମାଣ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ଆକଳନ କରାଯାଇଛି ଯେ ୨୦୨୨ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୧-୨୧ ଆର୍ଥିକ ବର୍ଷ ସାରାରେ ଅଭିବୃଦ୍ଧି ୮.୯% ରହିବ। ପୂର୍ବ ଆକଳନ ୯.୨%କୁ ଏହା ଏଥର ହ୍ରାସ କରିଛି।
Follow Us