ନୂଆଦିଲ୍ଲୀ: ମାନୁଫାକ୍ଚରିଂ (ବିନିର୍ମାଣ) କ୍ଷେତ୍ରର ଦୁର୍ବଳ ପ୍ରଦର୍ଶନ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୪.୪ ପ୍ରତିଶତକୁ ହ୍ରାସ ପାଇଛି। ଏହାର ପୂର୍ବ ତ୍ରୈମାସିକରେ ଅଭିବୃଦ୍ଧି ହାର ୬.୩ ପ୍ରତିଶତ ଥିଲା। ଗତ ଜାନୁଆରିର ପ୍ରଥମ ଅଗ୍ରୀମ ଆକଳନ ଭଳି ଆଜି ଜାରି ହୋଇଥିବା ଦ୍ବିତୀୟ ଆକଳନରେ ୨୦୨୨-୨୩ ଆର୍ଥିକ ବର୍ଷ ସାରାର ଅଭିବୃଦ୍ଧି ୭ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଦ୍ବିତୀୟ ଅଗ୍ରୀମ ଆକଳନ ଅନୁଯାୟୀ ୨୦୨୨ର ଅକ୍ଟୋବରୁ ଡିସେମ୍ବର ପର୍ଯ୍ୟନ୍ତ ତିନି ମାସ ଯାହାକୁ ତୃତୀୟ ତ୍ରୈମାସିକ କୁହାଯାଉଛି ସେହି ସମୟ ଭିତରେ ମାନୁଫାକ୍ଚରିଂ କ୍ଷେତ୍ରର ଅଭିବୃଦ୍ଧି ବିଯୁକ୍ତ ୧.୧ ପ୍ରତିଶତ ହୋଇଛି। ଶିଳ୍ପ ଅଭିବୃଦ୍ଧି ୨.୪୩ ପ୍ରତିଶତ, ସେବା ୬.୨ ପ୍ରତିଶତ, କୃଷି ୩.୭ ପ୍ରତିଶତ, ହୋଟେଲ୍ ଓ ବାଣିଜ୍ୟ ୯.୭ ପ୍ରତିଶତ, ଖଣି ୩.୭ ପ୍ରତିଶତ, ବିଦ୍ୟୁତ ୮.୨ ପ୍ରତିଶତ, ସାଧାରଣ ପ୍ରଶାସନ ୨ ପ୍ରତିଶତ, ନିର୍ମାଣ ୮.୪ ପ୍ରତିଶତ ଏବଂ ଆର୍ଥିକ ସେବା ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରର ଅଭିବୃଦ୍ଧି ୫.୮ ପ୍ରତିଶତ ରହିଛି।
୨୦୨୨-୨୩ ଆର୍ଥିକ ବର୍ଷରେ ଜିଡିପି ପରିମାଣ ୨୦୧୧-୧୨ ମୂଲ୍ୟ ହିସାବରେ ୧୫୯.୭୧ ଲକ୍ଷ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ୨୦୨୧-୨୨ରେ ଜିଡିପି ମୂଲ୍ୟ ୧୪୯.୨୬ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୧-୨୨ରେ ୯ ପ୍ରତିଶତ ତୁଳନାରେ ୨୦୨୨-୨୩ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ରିପୋର୍ଟରୁ ଜଣାପଡ଼ିଛି। ୨୦୨୧-୨୨ର ଅଭିବୃଦ୍ଧି ୮.୭ ପ୍ରତିଶତ ଥିଲା ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ମାତ୍ର ଦ୍ବିତୀୟ ଅଗ୍ରୀମ ଆକଳନରେ ସେଥିରେ ସଂଶୋଧନ କରି ତାହାକୁ ୯.୧ ପ୍ରତିଶତକୁ ବୃଦ୍ଧି କରାଯାଇଛି। ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ଯଥାକ୍ରମେ ୧,୨୭,୦୬୫ ଟଙ୍କା ଓ ୧,୪୮,୫୨୪ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
Follow Us