ଅର୍ଥନୈତିକ ସର୍ଭେ: ଆମାଜନ୍, ଫ୍ଲିପ୍‌କାର୍ଟକୁ ପଛରେ ପକାଇଲା ଜିଇଏମ୍

Advertisment

ଗ୍ରାମାଞ୍ଚଳରେ ସ୍କୁଲ ପିଲାଙ୍କ ସଂଖ୍ୟା ହ୍ରାସ, ଚିପ୍ ଅଭାବରେ ୭ ଲକ୍ଷ କାର ଡେଲିଭରି ପ୍ରଭାବିତ

ଗ୍ରାମାଞ୍ଚଳରେ ସ୍କୁଲ ପିଲାଙ୍କ ସଂଖ୍ୟା ହ୍ରାସ, ଚିପ୍ ଅଭାବରେ ୭ ଲକ୍ଷ କାର ଡେଲିଭରି ପ୍ରଭାବିତ

ଅର୍ଥନୈତିକ ସର୍ଭେ: ଆମାଜନ୍, ଫ୍ଲିପ୍‌କାର୍ଟକୁ ପଛରେ ପକାଇଲା ଜିଇଏମ୍

Inc42

ଆମାଜନ୍, ଫ୍ଲିପ୍‌କାର୍ଟକୁ ପଛରେ ପକାଇଲା ଜିଇଏମ୍
ଗ୍ରାହକମାନଙ୍କୁ ରିହାତି ଦେବାରେ ଗଭର୍ଣ୍ଣମେଣ୍ଟ୍‌ ଇ-ମାର୍କେଟ୍‌ପ୍ଲେସ୍‌ (ଜିଇଏମ୍‌) ଘରୋଇ ଇ-କମର୍ସ କଂପାନି ଆମାଜନ ଓ ଫ୍ଲିପ୍‌କାର୍ଟକୁ ପଛରେ ପକାଇ ଦେଇଛି। ଆମାଜନ୍ ଓ ଫ୍ଲିପ୍‌କାର୍ଟରେ ଥିବା ଉତ୍ପାଦଗୁଡ଼ିକ ତୁଳନାରେ ଜିଇଏମ୍‌ର ଗ୍ରାହକମାନେ ୯.୫% କମ୍ ମୂଲ୍ୟରେ ସେହି ଉତ୍ପାଦଗୁଡ଼ିକୁ କିଣିପାରିଛନ୍ତି। ୨୨ଟି ସାମଗ୍ରୀକୁ ବିଚାରକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ସେଥିରୁ ୧୦ଟି ସାମଗ୍ରୀ ଜିଇଏମ୍ ପୋର୍ଟାଲ୍‌ରେ ଶସ୍ତାରେ ମିଳୁଥିବା ଜଣାପଡ଼ିଛି।

ଗ୍ରାମାଞ୍ଚଳରେ ସ୍କୁଲ ପିଲାଙ୍କ ସଂଖ୍ୟା ହ୍ରାସ
ଦେଶର ଶିକ୍ଷା ବ୍ୟବସ୍ଥାକୁ କରୋନା ମହାମାରୀ ଗୁରୁତର ଭାବେ ପ୍ରଭାବିତ କରିଛି। ଗ୍ରାମାଞ୍ଚଳରେ ସ୍କୁଲରେ ନାମ ଲେଖାଉଥିବା ୬-୧୪ ବର୍ଷ ବୟସର ପିଲାମାନଙ୍କ ସଂଖ୍ୟା ହ୍ରାସ ପାଇଛି। ଅନଲାଇନ୍‌ରେ ପାଠପଢ଼ା ବ୍ୟବସ୍ଥା ଆରମ୍ଭ ହେବା ପରେ ଡିଜିଟାଲ୍ ବୈଷମ୍ୟ ଆହୁରି ବଢ଼ିଛି। ଶିକ୍ଷାର ବାର୍ଷିକ ସ୍ଥିତି ରିପୋର୍ଟ ଅନୁଯାୟୀ, ସ୍କୁଲରେ ନାମ ଲେଖାଇନଥିବା ୬-୧୪ ବର୍ଷ ବୟସର ପିଲାମାନଙ୍କ ହାର ୨୦୧୮ରେ ୨.୫% ଥିଲା। ୨୦୨୧ ସୁଦ୍ଧା ତାହା ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି। ୭-୧୦ ବର୍ଷ ବୟସର ପିଲାମାନଙ୍କ ନାମଲେଖାରେ ବଡ଼ ଧରଣର ହ୍ରାସ ଘଟିଛି। ବାଳିକାଙ୍କ ତୁଳନାରେ ବାଳକଙ୍କ ନାମଲେଖା କମ୍ ରହିଛି। ମହାମାରୀ ସମୟରେ ପ୍ରାୟ ସବୁ ବୟସ ବର୍ଗର ପିଲାମାନେ ଘରୋଇ ସ୍କୁଲରୁ ପାଠପଢ଼ା ବନ୍ଦ କରି ସରକାରୀ ସ୍କୁଲକୁ ଆସିଛନ୍ତି। ସୁଲଭ ମୂଲ୍ୟରେ ପାଠପଢ଼ା ସୁବିଧା ପ୍ରଦାନ କରୁଥିବା ଘରୋଇ ସ୍କୁଲ, ଅଭିଭାବକମାନଙ୍କ ଆର୍ଥିକ ଦୁଃସ୍ଥିତି, ସରକାରୀ ସ୍କୁଲରେ ମାଗଣା ସୁବିଧା ଏବଂ ବହୁ ପରିବାର ସହର ଛାଡ଼ି ଗ୍ରାମାଞ୍ଚଳ ଚାଲିଆସିବା ଆଦି କାରଣ ଯୋଗୁଁ ଏଭଳି ଘଟିଥିବା ସର୍ଭେ ରିପୋର୍ଟରେ କୁହାଯାଇଛି। ଘରୋଇ ସ୍କୁଲର ଫି’ ହ୍ରାସ ପାଇଲେ ସ୍ଥିତିରେ ସୁଧାର ହେବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

publive-image
The Economic Times

ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜୀକରଣ ୨୨ କୋଟି ଟପିଲା
୨୦୨୨ ଜାନୁଆରି ୧୮ ସୁଦ୍ଧା ଇ-ଶ୍ରମ ପୋର୍ଟାଲ୍‌ରେ ୨୨ କୋଟିରୁ ଅଧିକ ଅଣ ସଂଗଠିତ କ୍ଷେତ୍ରର କର୍ମଚାରୀ ପଞ୍ଜୀକରଣ କରିଛନ୍ତି। ନିର୍ମାଣ, ପ୍ରବାସୀ, ଗିଗ୍ ପ୍ଲାଟଫର୍ମ, କୃଷି ଓ ମନରେଗାରେ କାମ କରୁଥିବା ଶ୍ରମିକମାନେ ଏହି ପଞ୍ଜୀକରଣ କରିଛନ୍ତି। ମୋଟ ପଞ୍ଜୀକରଣରେ ଉତ୍ତରପ୍ରଦେଶର ଭାଗ ୩୪.୯ ପ୍ରତିଶତ, ପଶ୍ଚିମବଙ୍ଗ ୧୦.୭ ପ୍ରତିଶତ, ବିହାର ୧୦.୭ ପ୍ରତିଶତ, ଓଡ଼ିଶା ୫.୭ ପ୍ରତିଶତ, ମଧ୍ୟପ୍ରଦେଶ ୩.୫ ପ୍ରତିଶତ ଓ ଝାଡ଼ଖଣ୍ଡର ଅବଦାନ ୩.୫% ରହିଛି।

publive-image BimaKaro.in

କୋଭିଡ୍‌ ପାଇଁ ଜୀବନ ବୀମା ବିକ୍ରିରେ ବୃଦ୍ଧି
କରୋନା ମହାମାରୀ ବ୍ୟାପିବା ପରେ ଦେଶରେ ଜୀବନ ବୀମା ପଲିସି ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଲୋକମାନେ ଏତେ ପଲିସି କିଣିଛନ୍ତି ଯେ ବୀମା ସାନ୍ଧ୍ରତାରେ ଭାରତ ବିଶ୍ବସ୍ତର ନିକଟବର୍ତ୍ତୀ ହୋଇଛି। ୨୦୦୧ରେ ଭାରତର ବୀମା ସାନ୍ଧ୍ରତା ହାର ୨.୭୧ ପ୍ରତିଶତ ଥିଲା। ୨୦୨୦ରେ ତାହା ୪.୨ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତର ଜୀବନ ବୀମା ସାନ୍ଧ୍ରତା ୩.୨ ପ୍ରତିଶତ ରହିଛି ଯାହା ବିଶ୍ବସ୍ତରରେ ଥିବା ୩.୩ ପ୍ରତିଶତ ସାନ୍ଧ୍ରତା ପାଖାପାଖି ରହିଛି। କିନ୍ତୁ ଅଣ-ଜୀବନ ବୀମା ସାନ୍ଧ୍ରତାରେ ଏବେବି ଭାରତ ପଛୁଆ ରହିଛି। ଏହି କ୍ଷେତ୍ରରେ ବିଶ୍ବସ୍ତରୀୟ ହାର ୪.୧ ପ୍ରତିଶତ ଥିବା ‌ବେଳେ ଭାରତର ହାର ମାତ୍ର ୧ ପ୍ରତିଶତ ରହିଛି।

ଚିପ୍ ଅଭାବରେ ୭ ଲକ୍ଷ କାର ଡେଲିଭରି ପ୍ରଭାବିତ
ଚିପ୍ ଅଭାବ ଯୋଗୁଁ ପ୍ରାୟ ୭ ଲକ୍ଷ କାର୍‌ର ବରାଦ ପ୍ରଭାବିତ ହୋଇଛି। ଏହି କାର୍‌ଗୁଡ଼ିକରୁ ନିର୍ଧାରିତ ସମୟ ଭିତରେ ଡେଲିଭର କରାଯାଇପାରିନାହିଁ। ଚିପ୍ ମିଳୁନଥିବାରୁ ଗାଡ଼ିର ବରାଦ ଆସିବା ଏବଂ ତାହାକୁ ତିଆରି କରି ଡିଲର୍‌ସିପ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ଲାଗୁଥିବା ସମୟ ପ୍ରାୟ ୧୪ ସପ୍ତାହକୁ ବୃଦ୍ଧି ପାଇଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଗାଡ଼ି ଶିଳ୍ପରେ ଚାହିଦାର ସମସ୍ୟା ନାହିଁ। ଯୋଗାଣରେ ସମସ୍ୟା ରହିଛି। କାର୍‌ ନିର୍ମାତାମାନଙ୍କ ୱେବସାଇଟ୍‌ ତଥ୍ୟରୁ ଜଣାପଡ଼ିଛି ଯେ ୭ ଲକ୍ଷରୁ ଅଧିକ କାର୍‌ ଠିକ୍ ସମୟରେ ହସ୍ତାନ୍ତର କରାଯାଇପାରିନାହିଁ। ଗାଡ଼ି ଶିଳ୍ପର ଚିପ୍ ସମସ୍ୟା ଦୂର କରିବା ଲାଗି ସରକାର ୭୬ ହଜାର କୋଟି ଟଙ୍କାର ସ୍କିମ୍ ଘୋଷଣା କରିଛନ୍ତି।

ମହାମାରୀରେ କୃଷି ସର୍ବନିମ୍ନ, ସେବାକ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଅର୍ଥନୀତିର ତିନିଟି ପ୍ରମୁଖ କ୍ଷେତ୍ର ମଧ୍ୟରୁ କୃଷି ସର୍ବନିମ୍ନ ପ୍ରଭାବିତ ହୋଇଛି। କିନ୍ତୁ ସେବା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଉପସ୍ଥାପନ ପରେ ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା ସଂଜୀବ ସନ୍ୟାଲ କହିଛନ୍ତି, କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନ୍ କାରଣରୁ ସେବା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଛି। ସେବା ମଧ୍ୟରେ ପର୍ଯ୍ୟଟନ, ଭ୍ରମଣ ଏବଂ ହୋଟେଲ ଶିଳ୍ପ ଏବେ ବି ମହାମାରୀ ପୂର୍ବ ତୁଳନାରେ ୮.୫ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷରେ ଲକଡାଉନ୍ ଯୋଗୁ କୃଷି କ୍ଷେତ୍ର ସର୍ବନିମ୍ନ କ୍ଷତି ସହିଛି। ୨୦୨୦-୨୧ ଏବଂ ୨୦୨୧-୨୨ରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଘଟିଥିଲା। କିନ୍ତୁ ଶିଳ୍ପ କ୍ଷେତ୍ର ସଂକୁଚିତ ହୋଇଛି ଏବଂ ବର୍ତ୍ତମାନ ଏହା ମହାମାରୀ ପୂର୍ବ ତୁଳନାରେ ୪.୧ ପ୍ରତିଶତ ଉପରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe