ବ୍ୟାଙ୍କଙ୍କୁ କହିଲେ ସୁପ୍ରିମ୍‌କୋର୍ଟ: ଋଣକୁ ଠକେଇ ‌ଘୋଷଣା ପୂର୍ବରୁ ଗ୍ରାହକଙ୍କୁ ପକ୍ଷ ରଖିବା ସୁଯୋଗ ଦିଅ

Advertisment
ଆନ୍ଦୋଳନକୁ ଯିବେ ନାହିଁ ଆଇନଜୀବୀ

Telegraph India

ନୂଆଦିଲ୍ଲୀ : ଋଣ ଖାତାକୁ ବ୍ୟାଙ୍କ ଏକପାଖିଆ ଭାବେ ‌ଠକେଇ ଘୋଷଣା କରିବା ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ଆପତ୍ତି ଉଠାଇଛନ୍ତି। କୌଣସି ଖାତାକୁ ଠକେଇ କହିବା ପୂର୍ବରୁ ପ୍ରଥମେ ଗ୍ରାହକଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କୌଣସି ଖାତାକୁ ଠକେଇ ବର୍ଗରେ ସାମିଲ କରିବା ଦ୍ବାରା ଋଣ ନେଇଥିବା ଗ୍ରାହକଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିଥାଏ ଓ ତାଙ୍କୁ କଳା ତାଲିକାଭୁକ୍ତ ହେବାକୁ ପଡ଼େ। ବ୍ୟାଙ୍କ ପକ୍ଷରୁ ଫୋରେନ୍‌ସିକ୍ ଅଡିଟ୍ କାର୍ଯ୍ୟ ଶେଷ କରାଯିବା ପରେ କୌଣସି ଖାତାକୁ ଠକେଇ ବର୍ଗରେ ସାମିଲ କରିବା ପୂର୍ବରୁ ଗ୍ରାହକଙ୍କୁ ନିଶ୍ଚିତ ରୂପେ ନୋଟିସ୍ ପଠାଇବା ଉଚିତ। ଏଥିପାଇଁ ଏକ ଯୁକ୍ତିଯୁକ୍ତ ନିର୍ଦେଶ ଜାରି ହେବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ମାଷ୍ଟର ସର୍କୁଲାର ଆଧାରରେ ଗ୍ରାହକଙ୍କୁ ସଂସ୍ଥାଗତ ଋଣଠାରୁ ଦୂରେଇ ଦିଆଯିବା ଦ୍ବାରା ସେମ‌ାନେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି। ସେମାନଙ୍କ କ୍ରେଡିଟ୍ ସ୍କୋର ଖରାପ ହେଉଛି। ଠକେଇ ଘୋଷଣା ପୂର୍ବରୁ ଗ୍ରାହକଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ନଦେବା ତାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ସାମନ। ଏକ ସ୍ବାଭାବିକ ନ୍ୟାୟିକ ପ୍ରକ୍ରିୟାରେ ଫୋରେନ୍‌ସିକ ଅଡିଟ୍‌ର ନିର୍ଯ୍ୟାସ ଉପର ମତ ରଖିବା ଲାଗି ଗ୍ରାହକଙ୍କୁ ନୋଟିସ୍‌ ଜାରି କରି ସୁଯୋଗ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି।

୨୦୧୬ରେ ରିଜର୍ଭ ବ୍ୟାଙ୍କ ଠକେଇ ବର୍ଗୀକରଣକୁ ନେଇ ମାଷ୍ଟର ସର୍କୁଲାର ଜାରି କରିଥିଲା। ଯେଉଁ ଖାତା ଉପରେ ସନ୍ଦେହ ସୃଷ୍ଟି ହେବ ତାହାକୁ ବ୍ୟାଙ୍କଗୁଡ଼ିକ ଠକେଇ ବର୍ଗରେ ସାମିଲ କରିପାରିବେ ବୋଲି ମାଷ୍ଟର ସର୍କୁଲାରରେ କୁହାଯାଇଛି। ତାହାକୁ ବିଭିନ୍ନ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଛି। ଋଣକୁ ଠକେଇ କହିବା ପୂର୍ବରୁ ଗ୍ରାହକଙ୍କୁ ନିଜ ପକ୍ଷ ରଖିବାର ଥରେ ସୁଯୋଗ ଦେବା ଦରକାର ବୋଲି ୨୦୨୦ ଡିସେମ୍ବର ୧୦ରେ ତେଲେଙ୍ଗାନା ହାଇକୋର୍ଟ ବ୍ୟାଙ୍କଗୁଡ଼ିକୁ କହିଥିଲେ। ସେହି ରାୟକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ମାଷ୍ଟର ସର୍କୁଲାର ସପକ୍ଷରେ ଗୁଜରାଟ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ସୁପ୍ରିମକୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe