ପାଇଲଟମାନଙ୍କୁ ଅଫର ଦେଲା ଗୋ ଫାଷ୍ଟ: ଚାକିରି ଛାଡ ନାହିଁ, ୧ ଲକ୍ଷ ଟଙ୍କା ଦରମା ବଢିବ

Advertisment
ପାଇଲଟମାନଙ୍କୁ ଅଫର ଦେଲା ଗୋ ଫାଷ୍ଟ: ଚାକିରି ଛାଡ ନାହିଁ, ୧ ଲକ୍ଷ ଟଙ୍କା ଦରମା ବଢିବ

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ବଜେଟ୍ ଏୟାରଲାଇନ ଗୋ ଫାଷ୍ଟ୍‌ ଏହାର ବିମାନ ଉଡ଼ାଣକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାତିଲ ଘୋଷଣା କରିଛି। ଆଉ ଏହାରି ଭିତରେ କମ୍ପାନୀର ସ୍ଥିତିକୁ ଦେଖି ପାଇଲଟମାନେ ଚାକିରି ଛାଡୁଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଅଟକାଇବା ପାଇଁ କମ୍ପାନୀ ପାଇଲଟଙ୍କ ଦରମାକୁ ୧ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। ଏଥି ସହିତ, ପ୍ରଥମ ଅଧିକାରୀ(ଫାଷ୍ଟ ଅଫିସର୍ସ)ଙ୍କ ଦରମାକୁ ମାସକୁ ୫୦୦୦୦ ଟଙ୍କା ବୃଦ୍ଧି କରିବାକୁ ଅଫର ଦେଇଛି | ବର୍ତ୍ତମାନ ଏହି ବିମାନ କମ୍ପାନୀରେ ପାଇଲଟଙ୍କ ମାସିକ ହାରାହାରି ଦରମା ୫.୩ ଲକ୍ଷ ଟଙ୍କା ରହିଛି | ବାସ୍ତବରେ ଗୋ ଫାଷ୍ଟ୍‌ ଉପରେ ବିଭିନ୍ନ ସଂସ୍ଥାର ୧୧,୪୬୩ କୋଟି ଟଙ୍କା ବାକି ପଡ଼ିଛି। କେବଳ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ୬୫୦୦ କୋଟି ଟଙ୍କା ପାଇବାର ଅଛି।

କୋଭିଡ୍‌ ମହାମାରୀ ପରେ କମ୍ପାନୀର ଆର୍ଥିକ ସ୍ଥିତି ଖରାପ ହୋଇଥିଲା। ୨୦୨୨-୨୩ରେ କଂପାନି ୩୬୦୦ କୋଟି ଟଙ୍କା କ୍ଷତି ସହିଛି। କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଇଞ୍ଜିନ ଯୋଗାଣକାରୀ ସଂସ୍ଥା ପ୍ରାଟ୍ ଆଣ୍ଡ୍‌ ହ୍ବିଟ୍‌ନି ପାଇଁ ଏହାର ଅବସ୍ଥା ଖରାପ ହୋଇଛି। କଂପାନିର ଆର୍ଥିକ ସ୍ଥିତି ଖରାପ ହେବା ଲାଗି ଇଞ୍ଜିନ ନିର୍ମାତା ଦାୟୀ ବୋଲି ଗୋ ଫାଷ୍ଟ୍‌ ଅଭିଯୋଗ କରିଥିଲା | ଗୋ ଫାଷ୍ଟର ବିମାନ ମେ ୩ ତାରିଖରୁ ବନ୍ଦ ରହିଛି । ଏୟାରଲାଇନ୍ସ ଏହାର ଦେବାଳିଆ ଆବେଦନରେ କହିଥିଲା ଯେ, ସେ ଏକ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଏହି ଆବେଦନ ପରେ ଡିଜିସିଏ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ |

ଆଉ ସୋମବାର କମ୍ପାନୀର ବରିଷ୍ଠ ଅଧିକାରୀମାନେ ଡିଜିସିଏର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ରିପୋର୍ଟ ମୁତାବକ, କମ୍ପାନୀ ସମ୍ମୁଖୀନ ହେଉଥିବା ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ପାଇଲଟମାନେ ଅନ୍ୟ ବିମାନ କମ୍ପାନୀରେ ଚାକିରି ଖୋଜୁଛନ୍ତି | ଏସବୁକୁ ଦେଖି ଗୋ ଏୟାରଲାଇନ୍ସ ଇଣ୍ଡିଆ ଲିମିଟେଡ ଏହାର ପାଇଲଟଙ୍କ ଦରମାକୁ ୧ ଲକ୍ଷ ଟଙ୍କା ଏବଂ ପ୍ରଥମ ଅଧିକାରୀଙ୍କ ଦରମା ୫୦୦୦୦ ଟଙ୍କା ବୃଦ୍ଧି କରିବାକୁ ଯୋଜନା କରୁଛି। ଉଲ୍ଲେଖ ଥାଉ କି ଗୋ ଫାଷ୍ଟ ହେଉଛି ୱାଡିଆ ଗ୍ରୁପର ବଜେଟ ଏୟାରଲାଇନ୍ସ । ଗୋଫାଷ୍ଟ ନଭେମ୍ବର ୨୦୦୫ରେ ମୁମ୍ବାଇରୁ ଅହମ୍ମଦାବାଦକୁ ଏହାର ପ୍ରଥମ ବିମାନ ଚଳାଚଳ କରିଥିଲା । ଏୟାରଲାଇନ୍ସ ୨୭ଟି ଘରୋଇ ଏବଂ ୮ଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ଅର୍ଥାତ୍ ମୋଟ ୩୫ଟି ଗନ୍ତବ୍ୟସ୍ଥଳକୁ ବିମାନ ଚଳାଚଳ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe