ଭୁବନେଶ୍ବର: ସୁନା ଦାମ୍ରେ ଦେଖାଦେଇଥିବା ବୃଦ୍ଧିର ଧାରା ଜାରି ରହିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦାମ୍ ଗୁରୁବାର ୧୫୦ ଟଙ୍କା ବୃଦ୍ଧି ପାଇ ୭୬,୧୦୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦାମ୍ ୧୭୦ ଟଙ୍କା ବୃଦ୍ଧି ପାଇ ୮୩,୦୨୦ ଟଙ୍କା ହୋଇଛି। ଗତ ୩୦ ଦିନ ଭିତରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୨୩୦୦ ଟଙ୍କା ବଢ଼ିଛି। ସେହିପରି, ୨୪ କ୍ୟାରେଟ୍ ସୁନା ୨୫୧୦ ଟଙ୍କା ମହଙ୍ଗା ହୋଇଛି।
କେବଳ ଓଡ଼ିଶା ନୁହେଁ, ଜାତୀୟ ସ୍ତରରେ ମଧ୍ୟ ସୁନା ମହଙ୍ଗା ହୋଇଛି। ପ୍ରଥମ ଥର ପାଇଁ ଦିଲ୍ଲୀରେ ସୁନାର ୧୦ ଗ୍ରାମ୍ ପିଛା ଦାମ୍ ୮୩,୮୦୦ ଟଙ୍କା ସ୍ତରରେ ପହଞ୍ଚିଛି। ସର୍ବଭାରତୀୟ ସରାଫା ସଂଘ ସୂଚନା ଅନୁସାରେ ରୁପାର କିଲୋପିଛା ଦାମ୍ ୧୧୫୦ ଟଙ୍କା ବୃଦ୍ଧି ପାଇ ୯୪,୧୫୦ ଟଙ୍କା ହୋଇଛି। ଓଡ଼ିଶାରେ କିନ୍ତୁ ରୁପା ଦାମ୍ ଜାତୀୟ ହାରଠାରୁ ଯଥେଷ୍ଟ ଉପରେ ରହିଛି। ରୁପା କେଜି ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇ ୧,୦୬,୦୦୦ ଟଙ୍କା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନୀତିକୁ ନେଇ ଅନିଶ୍ଚିତତା ଲାଗି ରହଥିବା ବେଳେ ଆମେରିକା ଟ୍ରେଜେରି ୟିଲ୍ଡ କମ୍ ହୋଇଥିବାରୁ ସୁନା ଦାମ୍ ବଢ଼ୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଟ୍ରମ୍ପ୍ଙ୍କ ଶୁଳ୍କ ପ୍ରହାର ଏବଂ ଦେଶ ପ୍ରଥମ ନୀତି ବିଶ୍ବ ଅର୍ଥନୀତିକୁ କିଭଳି ପ୍ରଭାବିତ କରିବ ତାହାକୁ ନେଇ ମଧ୍ୟ ନିବେଶକମାନେ ଉଦବିଗ୍ନ ରହିଛନ୍ତି। ସମ୍ଭାବ୍ୟ କ୍ଷତିରୁ ବର୍ତ୍ତିବା ଲାଗି ସେମାନେ ସୁନା ଭଳି ସୁରକ୍ଷିତ ସମ୍ପତ୍ତିରେ ନିବେଶ ଜାରି ରଖିଛନ୍ତି। ସେମାନେ ବିପଦ ଥିବା ସମ୍ପତ୍ତିଠାରୁ ଦୂରେଇ ଯାଉଛନ୍ତି। ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାର ଅପରିବର୍ତ୍ତିତ ରଖିବା ମଧ୍ୟ ସୁନା ଦାମ୍କୁ ପ୍ରଭାବିତ କରିଥିବା କୁହାଯାଉଛି।
Follow Us