ପାଞ୍ଚ ଦିନ ହେଲା କମୁଛି ସୁନା, ରୁପା ଦର

ଅକ୍ଷୟ ତୃତୀୟାରେ କରୋନା କୋପ: ୧୦୦ କୋଟି ଟଙ୍କାର ସୁନାଗହଣା କାରବାର ଠପ୍

Representational Image

ନୂଆଦିଲ୍ଲୀ/ଭୁବନେଶ୍ବର: କ୍ରମାଗତ ଭାବେ ୫ ଦିନ ହେଲା ଦେଶର ସୁନା ଓ ରୁପା ଦର ହ୍ରାସ ପାଉଛି। ଏମ୍‌ସିଏକ୍ସ ବା ମଲ୍‌ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ଆଜି ୦.୩୩ ପ୍ରତିଶତ ହ୍ରାସ ଘଟି ୧୦ ଗ୍ରାମ ପିଛା ୪୮,୭୦୨ ଟଙ୍କା ରହିଛି। ସେହିଭଳି ରୁପା ଦାମ ୧ ପ୍ରତିଶତ ହ୍ରାସ ଘଟି କିଲୋ ପିଛା ୬୫,୮୬୬ ଟଙ୍କା ରହିଛି। ଗତକାଲି ସୁନା ଦାମରେ ୦.୧୧ ପ୍ରତିଶତ ଏବଂ ରୁପା ଦାମରେ ୦.୬୪ ପ୍ରତିଶତ ହ୍ରାସ ଘଟିଥିଲା। ଗତ ଅଗଷ୍ଟ ମାସରେ ସୁନା ଦାମ ରେକର୍ଡ ୫୬,୩୦୦ ଟଙ୍କା ଛୁଇଁଥିଲା। ତେଣୁ ସେହି ମୂଲ୍ୟ ତୁଳନାରେ ସୁନା ଦାମ୍‌ ଏବେ ପ୍ରାୟ ୭୫୦୦ ଟଙ୍କା କମ୍ ରହିଛି।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଆଜି ସୁନା ଦର ୦.୩ ପ୍ରତିଶତ ହ୍ରାସ ଘଟି ଆଉନ୍ସ ପିଛା ୧୮୩୯.୨୧ ଡଲାର ରହିଛି। ରୁପା ଦର ମଧ୍ୟ ୦.୨ ପ୍ରତିଶତ ହ୍ରାସ ଘଟି ଆଉନ୍ସ ପିଛା ୨୫.୧୮ ଡଲାର ଥିବାବେଳେ ପ୍ଲାଟିନମ୍ ଦର ୦.୨ ପ୍ରତିଶତ ହ୍ରାସ ଘଟି ୧୦୬୩.୭୬ ଡଲାର ରହିଛି। ତେବେ ୨୦୨୦ ମସିହାରେ ବିଶ୍ବରେ ସୁନା ଚାହିଦା ଗତ ୧୧ ବର୍ଷ ମଧ୍ୟରେ ସବୁଠୁ କମ୍ ରହିଛି ବୋଲି ୱାର୍ଲଡ ଗୋଲ୍ଡ କାଉନସିଲ୍‌ ରିପୋର୍ଟରୁ ଜଣାଯାଇଛି। ଗତବର୍ଷ ବିଶ୍ବରେ ସୁନା ଚାହିଦା ୨୦୧୯ ତୁଳନାରେ ୧୪ ପ୍ରତିଶତ ହ୍ରାସ ଘଟି ୩୭୫୯.୬ ଟନ୍ ରହିଛି। ୨୦୦୯ ମସିହା ଠାରୁ ପ୍ରଥମ ଥର ପାଇଁ ସୁନା ଚାହିଦା ୪ ହଜାର ଟନ୍ ତଳେ ରହିଛି। ଭୁବନେଶ୍ବରରେ ମଧ୍ୟ ସୁନା ଓ ରୁପା ଦର କମିଛି। ଗତ ସପ୍ତାହକ ମଧ୍ୟରେ ୨୨ କ୍ୟାରେଟ୍ ସୁନା ଦର ପାଖାପାଖି ୧୩୦୦ ଟଙ୍କା ହ୍ରାସ ପାଇଛି। ଗୁରୁବାର କେତେକ ପ୍ରମୁଖ ସୋ’ରୁମ୍‌ରେ ସୁନା ଦର ୧୦ ଗ୍ରାମ ପିଛା ୪୮୯୮୦ ଟଙ୍କା ରହିଥିବାବେଳେ ରୁପା ଦର ୧୦ ଗ୍ରାମ ପିଛା ୭୦୦ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe