ଅନ୍‌ଲାଇନ୍‌ରେ ୧୦୦ ଟଙ୍କାରେ ସୁନା ବିକ୍ରି: ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ଅଧିକ

Advertisment
ଅନ୍‌ଲାଇନ୍‌ରେ ୧୦୦ ଟଙ୍କାରେ ସୁନା ବିକ୍ରି: ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ଅଧିକ

Depositphotos

ନୂଆଦିଲ୍ଲୀ: ସୁନା ଗହଣା ଓ ଅଳଙ୍କାର ବଜାର ଆଉ ଚାକଚକ୍ୟ ଷ୍ଟୋର ଭିତରେ ସୀମିତ ରହିନାହିଁ। ଅନ୍‌ଲାଇନ୍‌ ଏବେ ଏକ ବଜାର ଭାବେ ଉଭା ହେବାରେ ଲାଗିଛି। ଦେଶର କିଛି ପ୍ରମୁଖ ଗହଣା ପ୍ରତିଷ୍ଠାନ ଅନ୍‌ଲାଇନ୍ ବିକ୍ରି ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ସେମାନେ ୧୦୦ ଟଙ୍କା ଭଳି କମ୍ ଦାମ୍‌ରେ ସୁନା କିଣିବାର ସୁଯୋଗ ପ୍ରଦାନ କରୁଛନ୍ତି। ତନିସ୍କ, କଲ୍ୟାଣ ଜୁଏଲର୍ସ, ପିଜି ଜୁଏଲର୍ସ ଓ ସେନ୍‌କୋ ଗୋଲ୍ଡ ଭଳି ସର୍ବଭାରତୀୟ ସ୍ତରରେ ଷ୍ଟୋର୍‌ ଖୋଲିଥିବା ସଂସ୍ଥା ଡିଜିଟାଲ୍ ସୁନା ବିକ୍ରି ଆରମ୍ଭ କରିଛନ୍ତି। ସେମାନେ ନିଜ ୱେବସାଇଟ୍‌ରେ ସିଧାସଳଖ ଗ୍ରାହକଙ୍କୁ ଏହି ସୁନା ବିକ୍ରି କରୁଛନ୍ତି। ଡିଜିଟାଲ୍‌ ସୁନା ବିକ୍ରି କରୁଥିବା ସ୍ବତନ୍ତ୍ର ପ୍ଲାଟଫର୍ମଗୁଡ଼ିକ ସହ ମଧ୍ୟ ସେମା‌ନେ ଯୋଡ଼ି ହୋଇଛନ୍ତି। ଗ୍ରାହକମାନେ ଅନ୍‌ଲାଇନ୍‌ରେ ଅତିକମ୍‌ରେ ୧ ଗ୍ରାମ୍ ସୁନା କିଣିବା ଭଳି ଟଙ୍କା ନିବେଶ କରିବା ପରେ ତାହାକୁ ବଦଳାଇ ଷ୍ଟୋର୍‌ରୁ ପ୍ରତ୍ୟକ୍ଷ ସୁନା ନେଇପାରୁଛନ୍ତି।
ଡିଜିଟାଲ୍ ସୁନା ବିକ୍ରି କିଛି ନୂଆ କତା ନୁହେଁ। ବହୁ ମୋବାଇଲ୍‌ ୱାଲେଟ୍‌ ଡିଜିଟାଲ୍ ସୁନାରେ ନିବେଶ କରିବା ସୁଯୋଗ ପ୍ରଦାନ କରୁଛନ୍ତି।

ଏକ୍ଷେତ୍ରରେ ଗହଣା ବିକ୍ରେତାମାନେ ପ୍ରବେଶ କରିନଥିଲେ। ମାତ୍ର ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଗହଣା ପ୍ରତିଷ୍ଠାନଗୁଡ଼ିକ ପ୍ରବେଶ କରିବା ପରେ ଡିଜିଟାଲ୍ ସୁନା ବଜାରରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଇଛି। ଯଦିଓ ଭାରତୀୟମାନେ ନିଜ ପସନ୍ଦର ଅଳଙ୍କାର ଷ୍ଟୋର୍‌ରୁ କିଣିବାକୁ ପସନ୍ଦ କରନ୍ତି, କିନ୍ତୁ ଅନ୍‌ଲାଇନ୍‌ରେ ସୁନା କିଣୁଥିବା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଅଧିକାଂଶ ଲୋକଙ୍କ ମୋବାଇଲ୍ ଫୋନ୍‌ରେ ଇଣ୍ଟରନେଟ୍ ସଂଯୋଗ ଥିବାରୁ ସେମାନେ ଘରେ ଆରାମରେ ବସି ଅନ୍‌ଲାଇନ୍‌ରେ ସୁନା ଅଳଙ୍କାର ବାଛିପାରୁଛନ୍ତି ଏବଂ ତାହାକୁ କିଣିବା ଲାଗି ବରାଦ ଦେଉଛନ୍ତି। କଂପାନିଗୁଡ଼ିକ ଗ୍ରାହକଙ୍କ ଘରେ ସୁନା ଡେଲିଭରି କରୁଛନ୍ତି। ବିଶେଷ କରି ଯୁବବର୍ଗର ଗ୍ରାହକମାନେ ଅନ୍‌ଲାଇନ୍ କିଣାକିଣି ପ୍ରତି ଅଧିକ ଆଗ୍ରହ ଦେଖାଉଥିବା ଜଣାପଡ଼ିଛି।

କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମେଶ କଲ୍ୟାଣରମଣନ କହିଛନ୍ତି ଯେ ସୁନାରେ ନିବେଶ ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ବିଶେଷ କରି ଯୁବବର୍ଗର ଗ୍ରାହକ ସୁନାରେ ଅଧିକ ନିବେଶ କରିବାକୁ ଚାହୁଛନ୍ତି। ସେହିପରି, ସେଫ୍‌ଗୋଲ୍ଡ ନାମକ ସଂସ୍ଥାର ପ୍ରତିଷ୍ଠାତା ଗୌରବ ମାଥୁର କହିଛନ୍ତି ଯେ ସୁନା ମୂଲ୍ୟ ‌ଏବେ ଯେଉଁ ସ୍ତରରେ ରହିଛି ତାହା ଶସ୍ତା ବୋଲି ଲୋକମାନେ ଭାବୁଛନ୍ତି। ସେଥିରେ ସୁନା କିଣିବାକୁ ଲୋକମାନଙ୍କ ଭିତରେ ଆଗ୍ରହ ପ୍ରକାଶ ପାଇଛି। ବିଶ୍ବ ସୁନା ପରିଷଦର ରିପୋର୍ଟ ଅନୁଯାୟୀ, ୨୦୧୯ରେ ବିକ୍ରି ହୋଇଥିବା ମୋଟ ସୁନା ଅଳଙ୍କାର ମଧ୍ୟରୁ ଅନ୍‌ଲାଇନ୍‌ରେ ମାତ୍ର ୨% ବିକ୍ରି ହୋଇଥିଲା। ୪୫ ବର୍ଷରୁ କମ୍ ବୟସର ଲୋକମାନେ ଅନ୍‌ଲାଇନ୍‌ରେ ସୁନା କିଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe