ଅକ୍ଷୟ ତୃତୀୟାକୁ ନେଇ ସୁନା ବ୍ୟବସାୟୀ ଆଶାବାଦୀ

Advertisment
ଅକ୍ଷୟ ତୃତୀୟାକୁ ନେଇ ସୁନା ବ୍ୟବସାୟୀ ଆଶାବାଦୀ

The Financial Express

ଭୁବନେଶ୍ବର/ନୂଆଦିଲ୍ଲୀ: ସୁନା କିଣିବା ଲାଗି ଅକ୍ଷୟ ତୃତୀୟାକୁ ଏକ ପବିତ୍ର ଦିନ ଭାବେ ବିଚାର କରାଯାଉଛି। ଲୋକମାନଙ୍କ ମନରେ ରହିଥିବା ସେହି ଭାବନାକୁ ପାଥେୟ କରି ସୁନା ଗହଣା ପ୍ରତିଷ୍ଠାନଗୁଡ଼ିକ ଚଳିତ ବର୍ଷ ବହୁ ମନଲୋଭା ଅଫର ଘୋଷଣା କରିଛନ୍ତି। ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଗହଣା ବ୍ୟବସାୟୀମାନେ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଷ୍ଟୋରଗୁଡ଼ିକରେ ଆକର୍ଷଣୀୟ ଡିଜାଇନର ଗହଣା ସମ୍ଭାର ରହିଛି। ସହରର ସବୁ ଲୋକପ୍ରିୟ ଗହଣା ପ୍ରତିଷ୍ଠାନରେ ସୁନା, ହୀରା, ରୁପା, ପ୍ଲାଟିନମ୍, ପ୍ରିସିଅସ୍ ଓ ଜେମ୍‌ଷ୍ଟୋନ୍‌ ଗହଣାର ନୂଆ ଓ ବ୍ୟାପକ ସମ୍ଭାର ରହିଛି। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଭଲ ବ୍ୟବସାୟ ହେବ ବୋଲି ସୁନା ଗହଣା ବ୍ୟବସାୟୀମାନେ ଆଶାବାଦୀ ରହିଛନ୍ତି। ଏ ସମ୍ପର୍କରେ ଜଣେ ବ୍ୟବସାୟୀ କହିଛନ୍ତି ଯେ ସୁନା କିଣିବା ଲାଗି ଏହା ହେଉଛି ଉପଯୁକ୍ତ ସମୟ। ୧୦ ଗ୍ରାମ ପିଛା ସୁନାର ଦାମ୍ ୪୭ ହଜାର ଟଙ୍କା ପାଖାପାଖି ରହିଛି। ଭଲ ଅଫର ଥିବାରୁ ଲୋକମାନେ ଆକର୍ଷଣୀୟ ଦାମ୍‌ରେ ଗହଣା କିଣିପାରିବେ। ଗତ ଦୁଇ ବର୍ଷ କରୋନା ମହାମାରୀ ପ୍ରଭାବ ଯୋଗୁଁ ଲୋକମାନେ ମନ ମୁତାବକ ସୁନା କିଣିପାରି‌ନଥିଲେ। ଏବର୍ଷ ମହାମାରୀର ପ୍ରଭାବ ନଥିବାରୁ ସୁନା କିଣା କାମକୁ ସ୍ଥଗିତ ରଖିଥିବା ଲୋକମାନେ କିଣାକିଣି କରିବାକୁ ଆଗେଇ ଆସିବେ ବୋଲି ସେ କହିଛନ୍ତି। ଅନ୍ୟ ଜଣେ ବ୍ୟବସାୟୀ କହିଛନ୍ତି ଯେ ଅକ୍ଷୟ ତୃତୀୟାରେ ଷ୍ଟୋର୍‌କୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ବଢ଼ିବ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଶ୍ଚିତ ରୂପେ କିଣାକିଣି କରିବେ।

ଅନ୍ୟ ପକ୍ଷ‌ରେ ରେଟିଂ ଏଜନ୍ସି ଇକ୍ରା ରେଟିଙ୍ଗ୍‌ସ ଆକଳନ କରିଛି ଯେ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ଭାରତରେ ସୁନା ଚାହିଦା ୧୧% ବଢ଼ିବ। ସଂଗଠିତ ବିକ୍ରେତାମାନେ ୧୪% ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରିବେ। ଏହି ଧରଣର ବ୍ୟବସାୟୀମାନେ ସାରା ଦେଶରେ ସେମାନଙ୍କ ଷ୍ଟୋର ସଂଖ୍ୟା ବଢ଼ାଉଥିବାରୁ ସେମାନଙ୍କ ବ୍ୟବସାୟ ବଢ଼ିବ ବୋଲି ଆକଳନ କରାଯାଇଛି। ଇକ୍ରା ରେଟିଙ୍ଗ୍‌ସର ବରିଷ୍ଠ ଉପସଭାପତି ଓ ଗ୍ରୁପ୍ ମୁଖ୍ୟ ଜୟନ୍ତ ରଏ କହିଛନ୍ତି ଯେ ଅକ୍ଷୟ ତୃତୀୟାରେ ମଧ୍ୟ ଚାହିଦା ବହୁତ ଭଲ ରହିବ। ଫଳରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଗତବର୍ଷ ତୁଳନାରେ ୪୫% ବୃଦ୍ଧି ହାସଲ ହେବ। ବର୍ଷ ସାରାରେ ଅଭିବୃଦ୍ଧି ୧୧% ରହିବ। ବିବାହ ଓ ଉତ୍ସବକୁ ନଜରରେ ରଖି ଅଧିକରୁ ଅଧିକ ଗ୍ରାହକ ସୁନା କିଣିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe