ଭଲ ଖବର: ସଫଳ ମହିଳା ଉଦ୍ୟୋଗୀ ଶୁଚିସ୍ମିତା, ୨୦ ମହିଳାଙ୍କୁ ଦେଉଛନ୍ତି ରୋଜଗାର

ଭଲ ଖବର: ସଫଳ ମହିଳା ଉଦ୍ୟୋଗୀ ଶୁଚିସ୍ମିତା, ୨୦ ମହିଳାଙ୍କୁ ଦେଉଛନ୍ତି ରୋଜଗାର

ଭକ୍ତଚରଣ ସାହୁ
ଚଣ୍ଡିଖୋଲ: ଉଚ୍ଚଶିକ୍ଷିତା ଶୁଚିସ୍ମିତା ଏବେ ଜଗତଜିତା। ଗାଁର ସବୁରି ମୁହଁରେ ତାଙ୍କରି ପ୍ରଶଂସା। ନିଜେ କିଛି କରିବାର ସଂକଳ୍ପ ନେଇ ସେ ୫ ବର୍ଷ ତଳେ ଘରେ ଆରମ୍ଭ କରିଥିଲେ ଏକ ଧାନକଳ। ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି। ବଡ଼ଚଣା ବ୍ଲକ୍‌ ବାଲିଚନ୍ଦ୍ରପୁର ପଞ୍ଚାୟତ ନାନପୁରପଟଣା ଗାଁର ଶୁଚିସ୍ମିତା ମିଶ୍ରଙ୍କ ଉଦ୍ୟୋଗୀ ଜୀବନରେ ପରେପରେ ସାମିଲ ହୋଇଛି ଅଟାକଳ ଓ ବିରିବଟା ମେସିନ। ପରେ ଛତୁଚାଷ ମଧ୍ୟ ଆରମ୍ଭ କରିଥିଲେ। ଏବେ ସେ ପେପର ପ୍ଲେଟ୍‌​ ବା ଖାଇବା ଦନା ତିଆରି କରିବା ସହ ବାସନ ମଜା ଜାଲି ପ୍ରସ୍ତୁତ କରୁଛନ୍ତି। ଏହି କାମରେ ସେ କେବଳ ନିଜେ ଆତ୍ମନିର୍ଭର ହୋଇନାହାନ୍ତି, ଆଖପାଖ ୨୦ ମହିଳାଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି।

ଶୁଚିସ୍ମିତାଙ୍କ କହିବା କଥା, ଏମ୍‌ବିଏ (ଫାଇନାନ୍ସ) ଡିଗ୍ରି ହାସଲ କରିବା ପରେ ସେ ଚାକିରି ପଛରେ ନଗୋଡ଼ାଇ ନିଜେ କିଛି କରିବାକୁ ଉଦ୍ୟମ କରିଥିଲେ। ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ଗରିବ ମହିଳାଙ୍କୁ ରୋଜଗାର ଦେବାକୁ ଲକ୍ଷ୍ୟ ରଖି କାମ ଆରମ୍ଭ କରିଥିଲେ। ଧୀରେଧୀରେ ଏଥିରେ ସଫଳତା ମିଳିଥିଲା। ୨୦୧୮ରୁ ନିଜ ଘରୁ ଆରମ୍ଭ କରିଥିବା ଉଦ୍ୟୋଗ ଖୁବ୍‌ଶୀଘ୍ର ସଂପ୍ରସାରଣ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। କାରଣ ଘରେ ଏତେସବୁ କାମ କରିବା ଲାଗି ଜାଗା ଅଭାବ ଥିବାରୁ ଅନ୍ୟ ସ୍ଥାନରେ ବଡ଼ଆକାରରେ କରିବାକୁ ଯୋଜନା କରୁଛନ୍ତି। ଆଗକୁ ବାୟୋଫ୍ଲକ୍‌ ମାଛଚାଷ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିସହ ଗତ ଦୁଇବର୍ଷ ହେବ ଷ୍ଟେଟବ୍ୟାଙ୍କ ବାଲିଚନ୍ଦ୍ରପୁର ଶାଖା ପକ୍ଷରୁ ସିଏସ୍‌ପି ବା କଷ୍ଟମର ସର୍ଭିସ ପଏଣ୍ଟର ପରିଚାଳିକା ଭାବେ ସେ କାର୍ଯ୍ୟ କରୁଛନ୍ତି। ନିଜ ଘର ସମ୍ମୁଖରେ ଏହାର କାର୍ଯ୍ୟାଳୟ ଖୋଲି ଷ୍ଟେଟବ୍ୟାଙ୍କ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛନ୍ତି। ସେ ସତ୍ୟସାଇ ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଭାପତି ଦାୟିତ୍ୱ ମଧ୍ୟ ତୁଲାଇ ଆସୁଛନ୍ତି।

ଏତେଗୁଡ଼ିଏ ଦାୟିତ୍ୱ ଏକାକୀ ତୁଲାଇବା କଷ୍ଟକର ହେଉଥିଲେ ବି ସେ ନିଜେ ଆତ୍ମନିର୍ଭର ହୋଇ ଅନ୍ୟକୁ ରୋଜଗାର ଯୋଗାଇଥିବାରୁ ଆନନ୍ଦିତ ବୋଲି ଶୁଚିସ୍ମିତା କୁହନ୍ତି। ତାଙ୍କ ପାଖରେ କାମ କରୁଥିବା ମହିଳାଙ୍କ ଆର୍ଥିକ ଅବସ୍ଥା ବଦଳିଛି। ତା ସହ ନିଜେ ମଧ୍ୟ ଏହି ସବୁ କାମରୁ ମାସିକ ହାରାହାରି ୫୦ ହଜାର ଟଙ୍କା ରୋଜଗାର କରୁଥିବା ସୂଚନା ଦେଇଛନ୍ତି। ଆଜି ଜଣେ ସଫଳ ମହିଳା ଉଦ୍ୟୋଗୀ ହୋଇ ଅନ୍ୟ ମହିଳାମାନଙ୍କ ପାଇଁ ସେ ଉଦାହରଣ ସାଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe