ପିଆଜ ଚିନ୍ତାରେ ସରକାର, ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

Advertisment

ମହଜୁଦକାରୀଙ୍କ ବିରୋଧରେ କଠୋର ହୁଅ

ମହଜୁଦକାରୀଙ୍କ ବିରୋଧରେ କଠୋର ହୁଅ

ଏମଏମଟିସି ପକ୍ଷରୁ ଅର୍ଡର: ଇଜିପ୍ଟରୁ ଆସିବ ୬୦୯୦ ଟନ୍ ପିଆଜ

www.alibaba.com

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ପିଆଜ ଦର ବଢ଼ିଚାଲିଛି। କେତେକ ସ୍ଥାନରେ ଏହା ୧୦୦ ଟଙ୍କା ଟପିଲାଣି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଆଜି ପିଆଜର ଦର ନିୟନ୍ତ୍ରଣ ପାଇଁ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ପିଆଜ ମହଜୁଦ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାବିନେଟ ସଚିବ ରାଜୀବ ଗୌବା ଅନ୍ୟ ବିଭାଗର ସଚିବମାନଙ୍କୁ ନେଇ କରିଥିବା ସମୀକ୍ଷା ବୈଠକ ପରେ ଏଭଳି ନିର୍ଦ୍ଦେଶ ରାଜ୍ୟ ସରକାରମାନଙ୍କୁ ଦିଆଯାଇଛି।

ଦେଶର ପିଆଜ ଉତ୍ପାଦନ କରୁଥିବା ୧୧ଟି ପ୍ରମୁଖ ରାଜ୍ୟର ମୁଖ୍ୟ ସଚିବଙ୍କ ସହିତ କ୍ୟାବିନେଟ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଥିଲେ। ପିଆଜ ମୂଲ୍ୟ ନିୟନ୍ତ୍ରଣ ପାଇଁ ସେସବୁ ରାଜ୍ୟ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇଥିଲେ। ଏଥିରେ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ହରିୟାନାର ମୁଖ୍ୟ ସଚିବ ସାମିଲ ଥିଲେ। ବୈଠକବେଳେ କ୍ୟାବିନେଟ ସଚିବ ରାଜ୍ୟଗୁଡ଼ିକୁ ପିଆଜର ଉପଲବ୍ଧତା ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପିଆଜ ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ପୂର୍ବରୁ କେନ୍ଦ୍ର ସରକାର ଦେଶକୁ ୧.୨ ଲକ୍ଷ ଟନ୍ ପିଆଜ ଆମଦାନି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ପିଆଜ ମହଜୁଦ ସୀମା ମଧ୍ୟ ବ୍ୟବସାୟୀଙ୍କ ପାଇଁ ଧାର୍ଯ୍ୟ କରିଛନ୍ତି। ଏହା ସତ୍ତ୍ବେ ରାଜ୍ୟଗୁଡ଼ିକୁ ବଫର ଷ୍ଟକ୍ ରଖିବା ସହିତ ବ୍ୟବସାୟୀଙ୍କ ପାଇଁ ମହଜୁଦ କଟକଣା ଲଗାଇବା ଏବଂ ମହଜୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ‌କ୍ୟାବିନେଟ ସଚିବ ସୂଚନା ଦେଇ କହିଥିଲେ, କେନ୍ଦ୍ର ସରକାର ୧୧ ହଜାର ଟନ୍ ପିଆଜ ଆମଦାନି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ତୁର୍କୀ ଏବଂ ଇଜିପ୍ଟରୁ ପିଆଜ ଆମଦାନି କରିବାକୁ ଯାଉଛନ୍ତି। ଇଜିପ୍ଟରୁ ଆମଦାନି ହେବାକୁ ଥିବା ପିଆଜ ଚଳିତମାସ ଦ୍ବିତୀୟ ସପ୍ତାହରେ ଆସି ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ରାଜ୍ୟଗୁଡ଼ିକ ସେମାନଙ୍କ ଖାଦ୍ୟ ଯୋଗାଣ ବିଭାଗ ମାଧ୍ୟମରେ ଲୋକଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେବାକୁ କ୍ୟାବିନେଟ ସଚିବ କହିଛନ୍ତି। ଆଜିର ବୈଠକରେ ଖାଉଟି ବ୍ୟାପାର ମନ୍ତ୍ରାଳୟ, କୃଷି ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe