କଥାବାର୍ତ୍ତା ପାଇଁ ଆମେରିକା ଯିବେ ଗୋୟଲ: ଆଗେଇବ ବାଣିଜ୍ୟ ଆଲୋଚନା

ଆମେରିକା ସହ ବାଣିଜ୍ୟ ରାଜିନାମା ସମ୍ପର୍କରେ ଆଲୋଚନା କରିବା ପାଇଁ ଆସନ୍ତାକାଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆମେରିକା ଗସ୍ତ କରିବେ। ତାଙ୍କ ସହ ଏକ ପ୍ରତିନିଧି ଦଳ ଯିବ। ସେମାନେ ଆମେରିକା ପ୍ରତିନିଧିମାନଙ୍କ ସହ ଆଲୋଚନାକୁ ଆଗକୁ ବଢ଼ାଇବା....

goyal

Photograph: (The Economic Times)

ନୂଆଦିଲ୍ଲୀ: ଆମେରିକା ସହ ବାଣିଜ୍ୟ ରାଜିନାମା ସମ୍ପର୍କରେ ଆଲୋଚନା କରିବା ପାଇଁ ଆସନ୍ତାକାଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆମେରିକା ଗସ୍ତ କରିବେ। ତାଙ୍କ ସହ ଏକ ପ୍ରତିନିଧି ଦଳ ଯିବ। ସେମାନେ ଆମେରିକା ପ୍ରତିନିଧିମାନଙ୍କ ସହ ଆଲୋଚନାକୁ ଆଗକୁ ବଢ଼ାଇବା ଲାଗି କଥାବାର୍ତ୍ତା କରିବେ। ଗୋୟଲ ନ୍ୟୁୟର୍କ ଯିବେ ଓ ତାଙ୍କ ସହ ଭାରତ ତରଫରୁ ମୁଲଚାଲ କରୁଥିବା ମୁଖ୍ୟ ବ୍ୟକ୍ତି ବାଣିଜ୍ୟ ବିଭାଗର ସ୍ବତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ ରହିବେ।

ଚଳିତ ମାସ ୧୬ରେ ଆମେରିକାର ଏକ ପ୍ରତିନିଧି ଦଳ ଭାରତ ଆସି କଥାବାର୍ତ୍ତା କରିଥିଲେ। ସେହି ଧାରାକୁ ଆଗକୁ ବଢ଼ାଇବା ଲାଗି ଗୋୟଲ ଆମେରିକା ଯାଉଛନ୍ତି। ଭାରତ ଉପରେ ଆମେରିକା ଦୁଇଟି ପର୍ଯ୍ୟାୟ‌ରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି। ଏଥି ସହିତ ନିକଟରେ ଏଚ୍‌-୧ବି ଭିସା ଆବେଦନ ଫି’କୁ ହଠାତ୍‌ ୧,୦୦,୦୦୦ ଡଲାରକୁ ବୃଦ୍ଧି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଦୁଇ ନିଷ୍ପତ୍ତି ଭାରତକୁ ଗୁରୁତର ପ୍ରଭାବିତ କରିଛି। ତେଣୁ ଆଲୋଚନା ଜରିଆରେ ଚାପ କୋହଳ କରିବାକୁ ଭାରତୀୟ ପ୍ରତିନିଧିମାନେ ଉଦ୍ୟମ କରିବେ। ଚଳିତ ବର୍ଷ ଫେବ୍ରୁଆରିରେ ଦୁଇ ଦେଶ ଏକ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା କରିବା ଲାଗି ଆଲୋଚନା କରିବାକୁ ସହମତ ହୋଇଥିଲେ। ସେହି ଆଲୋଚନାକୁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଗତ ଏପ୍ରିଲ୍ ୨ରେ ଟ୍ରମ୍ପ ଭାରତ ସମେତ ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇଥିଲେ। ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗିଥିଲା। ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ୍‌ ଠାରୁ ତେଲ କିଣୁଥିବାରୁ ଭାରତ ଉପରେ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଫଳରେ ଗତ ଅଗଷ୍ଟ ୨୭ଠାରୁ ଭାରତ ଉପରେ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ପୂର୍ବରୁ ହୋଇଥିବା ଆଲୋଚନା‌ ସମୟ‌ରେ ଭାରତର କୃଷିଜାତ ଓ ଦୁଗ୍ଧଜାତ ବଜାରରେ ପ୍ରବେଶ କରିବାକୁ ଆମେରିକା ଜିଦ୍‌ ଧରିଥିଲା। ଭାରତ କିନ୍ତୁ ସେଥିରେ ରାଜି ହୋଇନଥିଲା। ତେଣୁ ଅଧା ବାଟରେ ଆଲୋଚନା ଅଟକିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe