Mercom India
କୋଲକାତା: ଶିଳ୍ପପତି ନବୀନ ଜିନ୍ଦଲଙ୍କ ସଂସ୍ଥା ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସ୍ପି) ଏହାର ଓଡ଼ିଶାର ଅନୁଗୁଳରେ ଥିବା ଇସ୍ପାତ କାରଖାନାର ଡାଇରେକ୍ଟ ରିଡ୍ୟୁସ୍ଡ ଆଇରନ୍ (ଡିଆର୍ଆଇ) ୟୁନିଟ୍ରେ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବହାର କରିବ। ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ ଲାଗି କମ୍ପାନି ପକ୍ଷରୁ ଜିନ୍ଦଲ ରିନୁଏବଲ୍ ପାୱାର ପ୍ରାଇଭେଟ୍ ଲିମିଟେଡ୍ (ଜେଆର୍ପିଏଲ୍) ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। କୌଣସି ଇସ୍ପାତ କମ୍ପାନି ତରଫରୁ ଗ୍ରିନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଏହା ହେଉଛି ସର୍ବବୃହତ ପୁଞ୍ଜିନିବେଶ। ଏହି ପ୍ରକଳ୍ପର ପ୍ରାରମ୍ଭିକ ପର୍ଯ୍ୟାୟରେ ଜିନ୍ଦଲ ରିନୁଏବଲ୍ ୨୦୨୫ ଡିସେମ୍ବର ସୁଦ୍ଧା ୪୫୦୦ ଟନ୍ ପର୍ଯ୍ୟନ୍ତ ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷମତା ସ୍ଥାପନ କରିବ।
ଏଥି ସହିତ ଏହି ପ୍ରକଳ୍ପ ବାର୍ଷିକ ୩୬୦୦୦ ଟନ୍ ଅକ୍ସିଜେନ୍ ଯୋଗାଇବ ଯାହାକୁ ଅନୁଗୁଳ କାରଖାନାରେ ବ୍ୟବହାର କରାଯିବ। କମ୍ପାନି ଜେଏସ୍ପି କାରଖାନାକୁ ତିନି ଗିଗାୱାଟ୍ର ଅକ୍ଷୟ ଶକ୍ତି ମଧ୍ୟ ପ୍ରଦାନ କରିବ ଯାହା ଫଳରେ ୨-୩ ବର୍ଷରେ କୋଇଲାକୁ ଜାଳେଣି ରୂପେ ବ୍ୟବହାର କରି ଉତ୍ପାଦନ ହେଉଥିବା ଶକ୍ତି ଉପରେ କମ୍ପାନିର ନିର୍ଭରଶୀଳତା ୫୦ ପ୍ରତିଶତ କମ୍ ହୋଇପାରିବ।
ଜେଏସ୍ପିର କର୍ପୋରେଟ୍ ବ୍ୟାପାର ନିର୍ଦ୍ଦେଶକ ସଞ୍ଜୟ ସିଂହ କହିଛନ୍ତି ଯେ ଆମ ଉତ୍ପାଦନ ପ୍ରକ୍ରିୟାରେ ଗ୍ରିନ୍ ହାଇଡ୍ରୋଜେନ୍ ଓ ସବୁଜ ଶକ୍ତି ବ୍ୟବହାର କରିବା ଦ୍ବାରା ଆମର କାର୍ବନ ଫୁଟ୍ପ୍ରିଣ୍ଟ କମ୍ ହେବ ଏବଂ ଭାରତୀୟ ଇସ୍ପାତ ଶିଳ୍ପରେ ଏହା ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ। ସ୍ଥାୟୀ ବିକାଶ ଓ ନବସୃଜନ ପ୍ରତି ଆମର ରହିଥିବା ଅତୁଟ ପ୍ରତିବଦ୍ଧତାର ଏହା ପ୍ରମାଣ ବୋଲି ସେ କହିଛନ୍ତି।
Follow Us