The Daily Guardian
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମିଡିଆ ବ୍ୟବସାୟ ଓ ୱାଲ୍ଡ ଡିଜ୍ନିର ଭାରତ କାରବାର ମଧ୍ୟରେ ଘୋଷଣା ହୋଇଥିବା ୮୫୦ କୋଟି ଡଲାର (୭୦,୩୫୦ କୋଟି ଟଙ୍କା) ମିଶ୍ରଣକୁ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ମଞ୍ଜୁର କରିଛନ୍ତି। ଏହି ମିଶ୍ରଣ ଘଟିଲେ କ୍ରିକେଟ୍ ପ୍ରସାରଣରେ ଏକଚାଟିଆ ଭାବ ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏହି ଦୁଇ ସଂସ୍ଥାର ମିଶ୍ରଣରେ ଯେଉଁ ବିଶାଳ କମ୍ପାନି ଗଠନ ହେବ ତାହା ସୋନି, ନେଟ୍ଫ୍ଲିକ୍ସ ଓ ଆମାଜନ୍ ସହ ପ୍ରତିଦ୍ବନ୍ଦ୍ବିତା କରିବ। ଏହି ମିଶ୍ରଣ ପୂର୍ବରୁ ପ୍ରତିଯୋଗିତା କମିସନ ଉଭୟ ସଂସ୍ଥାକୁ ପାଖାପାଖି ୧୦୦ ପ୍ରଶ୍ନ କରିଥିଲେ। ମିଶ୍ରଣ ପରେ ଗଠନ ହେବାକୁ ଥିବା କମ୍ପାନିର ମାଲିକାନା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ପାଖରେ ରହିବ। ଏହା ଅଧୀନରେ ୧୨୦ରୁ ଅଧିକ ଚ୍ୟାନେଲ୍ ଓ ଦୁଇଟି ଷ୍ଟ୍ରିମିଂ ସେବା ରହିବ। ଡିଜ୍ନି-ଷ୍ଟାର୍ ପାଖରେ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକର ପ୍ରସାରଣ ଅଧିକାର ଓ ୨୦୨୩ରୁ ୨୦୨୮ ପର୍ଯ୍ୟନ୍ତ ହେବାକୁ ଥିବା ଆଇପିଏଲ୍ର ପ୍ରସାରଣ ଅଧିକାର ଥିବା ବେଳେ ରିଲାଏନ୍ସର ଜିଓ ପାଖରେ ଆଇପିଏଲ୍ ଷ୍ଟ୍ରିମିଂ ଅଧିକାର ରହିଛି।
ଚଳିତ ବର୍ଷ ଫେବ୍ରୁଆରିରେ ରିଲାଏନ୍ସର ଭାୟାକମ୍ ୧୮ ଓ ଡିଜ୍ନିର ଷ୍ଟାର୍ ଇଣ୍ଡିଆ ମଧ୍ୟରେ ମିଶ୍ରଣ ହୋଇଥିଲା। ଏହାର ପ୍ରଭାବରେ ଭାରତର ସର୍ବବୃହତ ଟିଭି ଓ ଡିଜିଟାଲ୍ କମ୍ପାନି ଗଠନ ହେବାକୁ ଯାଉଛି। କମ୍ପାନିର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲାଗି ରିଲାଏନ୍ସ ୧୧,୫୦୦ କୋଟି ଟଙ୍କା ନିବେଶ କରିବ। ୨୦୨୫ ପ୍ରଥମ ତ୍ରୈମାସିକ ସୁଦ୍ଧା ଏହି ମିଶ୍ରଣ ଶେଷ ହେବ।
Follow Us