ପ୍ରଦୂଷଣକାରୀ ଗାଡ଼ିରେ ଲାଗିବ ସବୁଜ ଟିକସ

ଇଲେ‌କ୍ଟ୍ରିକ୍ ଯାନ, ଟ୍ରାକ୍ଟରରୁ ଆଦାୟ ହେବନି, ରାସ୍ତାରୁ ହଟିବ ଅନ୍‌ଫିଟ୍‌ ଗାଡ଼ି

ପ୍ରଦୂଷଣକାରୀ ଗାଡ଼ିରେ ଲାଗିବ ସବୁଜ ଟିକସ

ନୂଆଦିଲ୍ଲୀ: ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ିଗୁଡ଼ିକ ଉପରେ କେନ୍ଦ୍ର ସରକାର ସବୁଜ ଟିକସ ଲଗାଇବେ। ଖୁବ୍‌ଶୀଘ୍ର ପୁରୁଣା ଗାଡ଼ିଗୁଡ଼ିକ ଠାରୁ ଏହି ଟିକସ ଆଦାୟ କରାଯିବ। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ମଞ୍ଜୁରି ପ୍ରଦାନ କରିଛନ୍ତି। ରାଜ୍ୟଗୁଡ଼ିକ ସହ ଆଲୋଚନା କରିବା ପରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବ।

ଆଠ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନବୀକରଣ ସମୟରେ ସଡ଼କ ଟିକସର ୧୦% କିମ୍ବା ୨୫% ରାଶିକୁ ସବୁଜ ଟିକସ ଭାବେ ଆଦାୟ କରାଯିବ। ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ସମୟରେ ଏହି ଟିକସ ଅସୁଲ କରାଯିବ। ସିଟି ବସ୍‌ ଭଳି ଜନ ସାଧାରଣଙ୍କ ଗମନାଗମନରେ ବ୍ୟବହୃତ ହେଉଥିବା ଗାଡ଼ିରୁ କମ୍ ସବୁଜ ଟିକସ ଆଦାୟ କରାଯିବ। ଅତ୍ୟଧିକ ପ୍ରଦୂଷଣ ହେଉଥିବା ସହରରେ ପଞ୍ଜୀକରଣ ହୋଇଥିବା ଗାଡ଼ିଗୁଡ଼ିକ ଠାରୁ ୫୦% ଭଳି ଉଚ୍ଚ ହାରରେ ଟିକସ ଆଦାୟ କରାଯିବ। ଗାଡ଼ି ଓ ‌ସେଥିରେ ବ୍ୟବହାର ହେଉଥିବା ଇନ୍ଧନ ଅନୁସାରେ ଟିକସ କେତେ ରହିବ ତାହା ଧାର୍ଯ୍ୟ କରାଯିବ। ତେବେ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକ୍ଟର, ହାର୍ଭେଷ୍ଟର ଓ ଟିଲର୍‌ଗୁଡ଼ିକରେ ଏହି ଟିକସ ଲାଗୁ ହେବ ନାହିଁ।

ଇଲେକ୍ଟ୍ରିକ୍ ଯାନ, ସିଏନ୍‌ଜିରେ ଚାଲୁଥିବା ଗାଡ଼ି, ହାଇବ୍ରିଡ୍‌ ଗାଡ଼ିଗୁଡ଼ିକ ଉପରେ ମଧ୍ୟ ଏହି ଟିକସ ଲାଗୁ ହେବ ନାହିଁ। ସବୁଜ ‌ଟିକସ ବାବଦରେ ଯେଉଁ ଅର୍ଥ ଆଦାୟ କରାଯିବ ତାହାକୁ ଏକ ସ୍ବତନ୍ତ୍ର ଖାତାରେ ରଖାଯିବ। ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ତାହା ବ୍ୟବହୃତହେବ। ସରକାରୀ ବିଭାଗ ଓ ପିଏସ୍‌ୟୁ ସଂସ୍ଥାଗୁଡ଼ିକରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ପଞ୍ଜୀକରଣ ବାତିଲ କରିବା ଏବଂ ସ୍କ୍ରାପ୍‌ରେ ପରିଣତ କରିବା ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ଶ୍ରୀଯୁକ୍ତ ଗଡ଼କରୀ ମଞ୍ଜୁରି ଦେଇଛନ୍ତି। ଏହି ନିଷ୍ପତ୍ତି ଚଳିତ ବର୍ଷ ଏପ୍ରିଲ୍ ୧ରୁ ଲାଗୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe