ଜିଏସ୍‌ଟି କ୍ଷତିପୂରଣ : କେନ୍ଦ୍ର ଦେଲା ୧୪ ହଜାର କୋଟି

Advertisment

ଓଡ଼ିଶାକୁ ମିଳିଲା ୪୭୨ କୋଟି, ୪ ମାସ ପାଇଁ ମାଗିଲା ୧୬୭୯ କୋଟି

ଓଡ଼ିଶାକୁ ମିଳିଲା ୪୭୨ କୋଟି, ୪ ମାସ ପାଇଁ ମାଗିଲା ୧୬୭୯ କୋଟି

ଜିଏସ୍‌ଟି ସଂଗ୍ରହ ଲକ୍ଷେ କୋଟି ତଳେ

thehindubusinessline.com

ନୂଆଦିଲ୍ଲୀ : କରୋନା ଭୂତାଣୁର ମୁକାବିଲା କରୁଥିବା ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ମଙ୍ଗଳବାର ରାଜ୍ୟଗୁଡ଼ିକୁ ୧୪,୧୦୩ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ଦିଆଯାଇଛି। ଏହାକୁ ମିଶାଇ ଦୁଇଟି କିସ୍ତିରେ ରାଜ୍ୟଗୁଡ଼ିକୁ ୨୦୧୯ର ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ୩୪,୦୫୩ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି। ଚଳିତ ବର୍ଷ ଫେବ୍ରୁଆରି ୧୭ରେ ପ୍ରଥମ କିସ୍ତିରେ ୧୯,୯୫୦ କୋଟି ଟଙ୍କା ଦିଆଯାଇଥିଲା।

ଗତବର୍ଷର ଡିସେମ୍ବର ଓ ଚଳିତ ବର୍ଷର ଜାନୁଆରି ମାସ ବାବଦରେ ଯେଉଁ ବକେୟା ରାଶି ରହିଛି ତାହା ମଧ୍ୟ ରାଜ୍ୟଗୁଡ଼ିକୁ ଶୀଘ୍ର ଦେବା ବିଷୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିଚାର କରୁଥିବା ଜଣାପଡ଼ିଛି। କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧ‌ା ୧.୩୫ ଲକ୍ଷ କୋଟି ଟଙ୍କା ଦେଇସାରିଲେଣି।

ଜିଏସ୍‌ଟି ବ୍ୟବସ୍ଥାକୁ ଦେଶରେ ୨୦୧୭ ଜୁଲାଇ ୧ରୁ ଲାଗୁ କରାଯାଇଥିଲା। ଏହାକୁ ନେଇ ପ୍ରସ୍ତୁତ ହୋଇଥିବା ଜିଏସ୍‌ଟି ନିୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଟିକସକୁ ନେଇ ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିବେ ତାହା ପାଇଁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଭରଣା କରିବେ। ଧାର୍ଯ୍ୟ ନିୟମ ଅନୁସାରେ ରାଜ୍ୟଗୁଡ଼ିକର ରାଜସ୍ବ ଅଭିବୃଦ୍ଧିକୁ ୧୪% ହାରରେ ବିଚାର କରାଯିବ। ସେଥିରେ ଯେଉଁ ହ୍ରାସ ଘଟିବ ତାହାକୁ କେନ୍ଦ୍ର ସରକାର କ୍ଷତିପୂରଣ ଆକାରରେ ପ୍ରଦାନ କରିବେ। କ୍ଷତିପୂରଣ ରାଶି ଯୋଗାଡ଼ କରିବା ଲାଗି ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ସରକାର ସେସ୍‌ ଲଗାଇଛନ୍ତି। ଦେଶରେ ଜିଏସ୍‌ଟି ଲାଗୁ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟଗୁଡ଼ିକୁ ୨.୪୫ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଦିଆଯାଇଛି। ୨୦୧୭ ଜୁଲାଇରୁ ୨୦୧୮ ମାର୍ଚ୍ଚ ଭିତରେ ୪୮,୭୮୫ କୋଟି ଟଙ୍କା, ୨୦୧୮ ଏପ୍ରିଲ୍‌ରୁ ୨୦୧୯ ମାର୍ଚ ଭିତରେ ୮୧,୧୪୧ କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଦିଆଯାଇଛି। ସେହିପରି ଗତ ବର୍ଷ ଏପ୍ରିଲ୍‌ରୁ ଜୁନ୍ ମାସ ପାଇଁ ୧୭,୭୮୯ କୋଟି ଟଙ୍କା ଓ ଜୁନ୍‌-ଜୁଲାଇ ବାବଦରେ ୨୭,୯୫୬ କୋଟି ଟଙ୍କା ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଭାବେ ଦିଆଯାଇଛି। ସେହିପରି, ଅଗଷ୍ଟ-ସେପ୍ଟେମ୍ବର ମାସ ଲାଗି ୩୫,୨୯୮ କୋଟି ଟଙ୍କା ଦିଆଯାଇଥିଲା।

ଦେଶରେ ଜିଏସ୍‌ଟି ଆଦାୟ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ଲକ୍ଷ କୋଟି ଟଙ୍କାରୁ କମ୍ ହୋଇଯାଇଛି। ଏହାର ପୂର୍ବ ଚାରି ମାସରେ ଲକ୍ଷେ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ୨୦୧୯ ନଭେମ୍ବରରେ ୧.୦୩ ଲକ୍ଷ କୋଟି ଟଙ୍କା, ଡିସେମ୍ବରରେ ୧.୦୩ ଲକ୍ଷ କୋଟି ଟଙ୍କା, ୨୦୨୦ ଜାନୁଆରିରେ ୧.୧୦ ଲକ୍ଷ କୋଟି ଟଙ୍କା ଓ ଫେବ୍ରୁଆରିରେ ୧.୦୫ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ମାତ୍ର ମାର୍ଚ୍ଚରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ପାଇବା ଏବଂ ଆମଦାନି କମିଯିବାରୁ ୯୭,୫୯୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ପଞ୍ଜାବ ଓ କେରଳ ଭଳି କେତେକ ରାଜ୍ୟ ଜିଏସ୍‌ଟି କ୍ଷତିପୂରଣ ଓ ଅନ୍ୟାନ୍ୟ ବକେୟା ଶୀଘ୍ର ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। କରୋନା ମୁକାବିଲା ଲାଗି ରାଜ୍ୟରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଥିବା ସେମାନେ ଜଣାଇଥିଲେ।

ଓଡ଼ିଶାକୁ ମିଳିଲା ୪୭୨ କୋଟି, ୪ ମାସ ପାଇଁ ମାଗିଲା ୧୬୭୯ କୋଟି
ଭୁବନେଶ୍ବର : କେନ୍ଦ୍ର ସରକାର ଆଜି ରାଜ୍ୟଗୁଡ଼ିକୁ ଅକ୍ଟୋବର ଏବଂ ନଭେମ୍ବର ମାସର ଜିଏସ୍‌ଟି କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ଏ ବାବଦରେ କେନ୍ଦ୍ର ସରକାର ୧୪,୧୦୩ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଓଡ଼ିଶାକୁ ଏହି ଦୁଇ ମାସ ପାଇଁ ୪୭୨ କୋଟି ଟଙ୍କା ମିଳିଛି ବୋଲି ଏକ ସୂତ୍ରରୁ ଜଣାଯାଇଛି। ଏଥିସହିତ ଓଡ଼ିଶା ସରକାର ମଧ୍ୟ ୨୦୧୯ ଡିସେମ୍ବରରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ୪ ମାସର ବାକିଆ ଜିଏସଟି ରାଶି ବାବଦରେ ୧୬୭୯ କୋଟି ଟଙ୍କା ଦାବି କରିଛି। ଏ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ଆଜି ଚିଠି ଲେଖାଯାଇଛି। କରୋନା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ବ୍ୟବସାୟ ଏବଂ ବାଣିଜ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ରାଜ୍ୟ ସରକାରଙ୍କର ଟିକସ ଆଦାୟ ରାଶି ମଧ୍ୟ ପ୍ରଭାବିତ ହୋଇଛି। କେବଳ ଜିଏସଟି ଆଦାୟ ନୁହେଁ, ପେଟ୍ରୋଲ, ଡିଜେଲ ବିକ୍ରି ହ୍ରାସ ପାଇବା ସହିତ ମଦ ବିକ୍ରି ବନ୍ଦ ଥିବାରୁ ମୂଲ୍ୟଯୁକ୍ତ ଟିକସ ବା ଭାଟ୍ ଆଦାୟ ରାଶି ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିଲେ ରାଜ୍ୟଗୁଡ଼ିକ ସେମାନଙ୍କ ପ୍ରଶାସନିକ ଖର୍ଚ୍ଚ ସହିତ ବିକାଶମୂଳକ କାର୍ଯ୍ୟ ସମ୍ପାଦନ କରିବାରେ ସମର୍ଥ ‌ହେବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe