ଏତେ ରାଜସ୍ବ ଆସିବ କେଉଁଠୁ? ଜିଏସ୍‌ଟି ଆଦାୟ କମିପାରେ

Advertisment
ଏତେ ରାଜସ୍ବ ଆସିବ କେଉଁଠୁ? ଜିଏସ୍‌ଟି ଆଦାୟ କମିପାରେ

ନୂଆଦିଲ୍ଲୀ: ନିବେଶ ଉପରେ ଗୁରୁତ୍ବ ଦେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌ରେ ରାଜସ୍ବ ଆୟକୁ ନେଇ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ସେହି ଆୟ ‌କିଭଳି ହେବ ତାହାର କୌଣସି ରୂପରେଖ ପ୍ରଦାନ କରାଯାଇନାହିଁ। ପୁଞ୍ଜି ପ୍ରତ୍ୟାହାରକୁ ନେଇ ଯେଉଁ ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ମଧ୍ୟ ସହଜରେ ହାସଲ ହୋଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୧୮-୧୯ରେ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ କମ୍ ରାଜସ୍ବ ଆଦାୟ ହୋଇଥିବାରୁ ୨୦୧୯-୨୦ରେ ବଡ଼ ଲକ୍ଷ୍ୟ କିଭଳି ହାସଲ ହେବ ତାହାକୁ ନେଇ ସେମାନେ ସନ୍ଦେହ ପ୍ରକଟ କରିଛନ୍ତି।

ରିଲାଏନ୍ସ ସିକ୍ୟୁରିଟିଜ୍‌ର କହିବାନୁଯାୟୀ, ମାସିକ ୧,୧୫,୦୦୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ, ବାସ୍ତବରେ ମାସକୁ ୧,୦୫,୦୦୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହେଉଛି। ଜିଏସ୍‌ଟିର ୨୮% ସ୍ଲାବ୍‌ରେ ଥିବା ସାମଗ୍ରୀଗୁଡ଼ିକର ସଂଖ୍ୟା କମ୍ କରାଯାଇଥିବା ବେଳେ ବିଦ୍ୟୁତ ଯାନ ଉପରେ ଲଗାଯାଇଥିବା ୧୨% ଜିଏସ୍‌ଟିକୁ କମାଇ ୫% କରାଯାଇଛି। ଫଳରେ ଜିଏସ୍‌ଟି ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ୍ ହେଉଛି। ଅଧିକରୁ ଅଧିକ ଟିକସଦାତା ଯେଭଳି ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିବେ ତାହାକୁ ନିଶ୍ଚିତ କରିବା ପାଇଁ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାରେ ଆହୁରି ସରଳୀକରଣ କରାଯିବ ବୋଲି ବଜେଟ୍‌ରେ ଘୋଷଣା କରାଯାଇଛି। ୨୦୧୯-୨୦ରେ ଜିଏସ୍‌ଟି ଆଦାୟରେ ୪% ବୃଦ୍ଧି ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଯାହା ୨୦୧୮-୧୯ର ୧୪.୧% ଅଭିବୃଦ୍ଧି ହାର ଠାରୁ ବହୁତ କମ୍। ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୨୦ କିମ୍ବା ୩୦ ହଜାର କୋଟି ଟଙ୍କା କମ୍ ଜିଏସ୍‌ଟି ଆଦାୟ ହେବ ବୋଲି ଆକଳନ କରାଯାଇଛି।

ସୀମା ଶୁଳ୍କ ଆଦାୟରେ ୨୦% ଅଭିବୃଦ୍ଧି ହୋଇଥିବା ସରକାର ବଜେଟ୍‌ରେ ଆକଳନ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଏହାର କାରଣ ହେଉଛି ସରକାର ଚଳନ୍ତି ଜମା ନିଅଣ୍ଟକୁ କମ୍ କରିବାକୁ ବଜେଟ୍‌ରେ ଘୋଷଣା କରିଛନ୍ତି। ଏହା ହେଲେ ଆମଦାନି କମିବ। ଯଦି ଆମଦାନି କମ୍ ହେବ ତେବେ ସୀମା ଶୁଳ୍କ ଆଦାୟ କିଭଳି ବଢ଼ିବ ତାହା ବୁଝାପଡ଼ୁନାହିଁ। ଆନ୍ତର୍ଜାତିକ ସ୍ତରରେ ଜାରି ରହିଥିବା ବାଣିଜ୍ୟ ଲଢ଼େଇ ମଧ୍ୟ ଭାରତର କାରବାରକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି। ଚଳିତ ବର୍ଷ ୧୫.୬% ବୃଦ୍ଧି ସହ ୪୦,୦୦୦ କୋଟି ଟଙ୍କାର ଉତ୍ପାଦନ ଶୁଳ୍କ ଆଦାୟ ହେବ ବୋଲି ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେଶରେ ଉତ୍ପାଦିତ ହେବାକୁ ଥିବା ସାମଗ୍ରୀ ଉପରେ ଏହା ନିର୍ଭର କରୁଛି। ଅର୍ଥନୀତିରେ ଗ୍ରାହକ ଚାହିଦା ଆଶାନୁରୂପ ନଥିବାରୁ ଏହି ଲକ୍ଷ୍ୟ ପ୍ରତି ମଧ୍ୟ ବିପଦ ରହିଥିବା କୁହାଯାଉଛି। ଚଳିତ ବର୍ଷ ପୁଞ୍ଜି ପ୍ରତ୍ୟାହାରରୁ ସରକାର ୧,୦୫,୦୦୦ କୋଟି ଟଙ୍କା ହାସଲ କରିବାକୁ ଚାହୁଛନ୍ତି। ୨୦୧୮-୧୯ର ଲକ୍ଷ୍ୟ ସରକାର ହାସଲ କରିପାରିଥିଲେ। କିନ୍ତୁ ଲକ୍ଷେ କୋଟି ଟଙ୍କାରୁ ଅଧିକ ରାଜସ୍ବ ପୁଞ୍ଜି ପ୍ରତ୍ୟାହାରରୁ ହାସଲ କରିବା ସହଜ ହେବନି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe