The Economic Times
ନୂଆଦିଲ୍ଲୀ : ଚଳିତ ବର୍ଷ ନଭେମ୍ବର ମାସରେ ଓଡ଼ିଶାରେ ଜିଏସ୍ଟି ସଂଗ୍ରହ ୬୪% ବୃଦ୍ଧି ପାଇଛି। ଏହି ମାସରେ ରାଜ୍ୟରେ ୪,୧୩୬ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି। ଗତବର୍ଷ ନଭେମ୍ବରରେ ରାଜ୍ୟ ୨,୫୨୮ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ଦେଶର ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍ଟି ସଂଗ୍ରହ ଅଭିବୃଦ୍ଧି ସର୍ବାଧିକ ରହିଛି। ମହାରାଷ୍ଟ୍ରରେ ଜିଏସ୍ଟି ସଂଗ୍ରହରେ ୨୪%, ଗୁଜରାଟରେ ୨୬%, କର୍ଣ୍ଣାଟକରେ ୩୧%, ତାମିଲନାଡୁରେ ୧୦%, ଛତିଶଗଡ଼ରେ ୧୩%, ଝାଡ଼ଖଣ୍ଡରେ ୨୩%, ପଶ୍ଚିମବଙ୍ଗରେ ୯%, ବିହାରରେ ୬%, ଉତ୍ତରପ୍ରଦେଶରେ ୧୩% ଓ ରାଜସ୍ଥାନରେ ୧୮% ବୃଦ୍ଧି ଘଟିଥିବା ଜଣାପଡ଼ିଛି।
ସର୍ବଭାରତୀୟ ସ୍ତରରେ ନଭେମ୍ବରରେ ୧,୩୧,୫୨୬ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି। ୨୦୧୭ ଜୁଲାଇରେ ଜିଏସ୍ଟି ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ମାସିକ ସଂଗ୍ରହ। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ୍ରେ ସର୍ବକାଳୀନ ସର୍ବାଧିକ ୧,୩୯,୭୦୮ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଥିଲା। ଆଲୋଚ୍ୟ ମାସରେ ୨୩,୯୭୮ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି, ୩୧,୧୨୭ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି, ୬୬,୮୧୫ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ଏବଂ ୯,୬୦୬ କୋଟି ଟଙ୍କାର ସେସ୍ ସଂଗ୍ରହ କରାଯାଇଛି। ଲଗାତାର ଦ୍ବିତୀୟ ମାସ ଲାଗି ୨୦୨୧ ନଭେମ୍ବରରେ ଜିଏସ୍ଟି ସଂଗ୍ରହ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାରୁ ଅଧିକ ରହିଛି। ଗତବର୍ଷ ତୁଳନାରେ ଏହା ୨୫% ଅଧିକ ହୋଇଥିବା ବେଳେ ୨୦୧୯ ତୁଳନାରେ ଏହା ୨୭% ଅଧିକ। ଆମଦାନି ସାମଗ୍ରୀରୁ ଟିକସ ସଂଗ୍ରହରେ ୪୩% ବୃଦ୍ଧି ଘଟିଥିବା ବେଳେ ଦେଶ ଭିତରେ କାରବାର ହୋଇଥିବା ସାମଗ୍ରୀରୁ ୨୦% ଅଧିକ ଟିକସ ମିଳିଛି।
Follow Us