ଡିସେମ୍ବର ଜିଏସ୍‌ଟି ଆଦାୟ ରାଶି: ଦେଶରେ ବଢ଼ିଲା‌, ଓଡ଼ିଶାରେ କମିଲା

Advertisment
ଓଡ଼ିଶାରେ ୪,୫୧୯ କୋଟିର ଜିଏସ୍‌ଟି ସଂଗ୍ରହ, ଦେଶରେ ସଂଗ୍ରହ ୧.୪୯ ଲକ୍ଷ କୋଟି

ନୂଆଦିଲ୍ଲୀ: ୨୦୨୨ ଡିସେମ୍ବର ମାସରେ ଦେଶରେ ଜିଏସ୍‌ଟି ଆଦାୟ ରାଶି ବଢ଼ିଛି। କିନ୍ତୁ ଓଡ଼ିଶାରେ ଏହା ହ୍ରାସ ପାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୨୨ ଡିସେମ୍ବର ମାସରେ ଦେଶରେ ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ) ରାଶି ବାବଦରେ ୧,୪୯,୫୦୭ କୋଟି ଟଙ୍କା ଆଦାୟ ହୋଇଛି। ଏଥିରୁ ସିଜିଏସ୍‌ଟି ବାବଦରେ ୨୬,୭୧୧ କୋଟି, ଏସ୍‌ଜିଏସ୍‌ଟି ବାବଦରେ ୩୩,୩୫୭ କୋଟି ଏବଂ ଆଇଜିଏସ୍‌ଟି ବାବଦରେ ୭୮,୪୩୪ କୋଟି ଟଙ୍କା ଆଦାୟ ହୋଇଛି। ଉକ୍ତ ଆଇଜିଏସ୍‌ଟିରେ ସାମଗ୍ରୀ ଆମଦାନିରୁ ୪୦,୨୬୩ କୋଟି ଟଙ୍କା ଆଦାୟ କରାଯାଇଛି। ସେହିଭଳି ସେସ୍‌ ବାବଦରେ ୧୧,୦୦୫ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଏଥି‌ରେ ସାମଗ୍ରୀ ଆମଦାନି ବାବଦରେ ୮୫୦ କୋଟି ଟଙ୍କା ସାମିଲ ରହିଛି। ୨୦୨୧ ଡିସେମ୍ବର ତୁଳନାରେ ୨୦୨୨ ଡିସେମ୍ବରରେ ଦେଶରେ ଜିଏସ୍‌ଟି ଆଦାୟ ରାଶିରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। କ୍ରମାଗତଭାବେ ୧୦ ମାସ ହେଲା ଦେଶରେ ମାସିକ ଜିଏସ୍‌ଟି ଆଦାୟ ରାଶି ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।

ରାଜ୍ୟ ଅନୁଯାୟୀ ଦେଖିଲେ ଓଡ଼ିଶାର ଜିଏସ୍‌ଟି ଆଦାୟ ରାଶି ୨୦୨୧ ଡିସେମ୍ବର ତୁଳନାରେ ୨୦୨୨ ଡିସେମ୍ବରରେ ୬ ପ୍ରତିଶତ ହ୍ରାସ ପାଇଛି। ୨୦୨୧ ଡିସେମ୍ବରରେ ଓଡ଼ିଶାରେ ୪୦୮୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ୨୦୨୨ ଡିସେମ୍ବରରେ ଏହା ୩୮୫୪ କୋଟି ଟଙ୍କାକୁ ହ୍ରାସ ପାଇଛି। ଓଡ଼ିଶା ସମେତ ମଣିପୁର, ଡାମନ ଓ ଡିୟୁ, ଗୋଆ, ଲାକ୍ଷାଦୀପ, ଆଣ୍ଡାମାନ ଓ ନିକୋବର ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜିଏସ୍‌ଟି ଆଦାୟ ରାଶି ଡିସେମ୍ବର ମାସରେ କମିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe