ଗୁରୁବାର ଜିଏସ୍‌ଟି ପରିଷଦ ବୈଠକ: କେନ୍ଦ୍ର ଦେବ ଜିଏସ୍‌ଟି କ୍ଷତିପୂରଣ, ନିୟମକୁ ସମ୍ମାନ ଜଣାଇବ

Advertisment
୫ହଜାର କୋଟିର ଜିଏସ୍‌ଟି ଫାଙ୍କି

Insights Success

ନୂଆଦିଲ୍ଲୀ: ଆସନ୍ତା ଗୁରୁବାର ଜିଏସ୍‌ଟି ପରିଷଦର ବୈଠକ ହେବାର ଥିବାରୁ ଏହା ପୂର୍ବରୁ ରାଜ୍ୟଗୁଡ଼ିକୁ ଖୁସି କରିବା ଲାଗି ‌‌କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ପ୍ରସଙ୍ଗରେ ଆଉ ମୁହାଁମୁହିଁ ନହେବା ଲାଗି ପ୍ରୟାସ କରାଯିବ। ରାଜ୍ୟଗୁଡ଼ିକୁ ଆମେ ଜିଏସ୍‌ଟି କ୍ଷତିପୂରଣ ବାବଦ ସମସ୍ତ ରାଶି ପ୍ରଦାନ କରିବୁ। ଏନେଇ ରହିଥିବା ନିୟମକୁ ସମ୍ମାନ ଜଣାଇବୁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଥିବା ଜଣାପଡ଼ିଛି।

ଚଳିତ ବର୍ଷ ଜିଏସ୍‌ଟି କ୍ଷତିପୂରଣ ରାଶି ଦେବାକୁ ୨.୩୫ ଲକ୍ଷ କୋଟି ଟଙ୍କାର ଅଭାବ ଦେଖାଦେବ ବୋଲି ଆକଳନ କରାଯାଇଛି। ସେଥି ମଧ୍ୟରୁ ୯୭,୦୦୦ କୋଟି ଟଙ୍କା ଶୀଘ୍ର ରାଜ୍ୟଗୁଡ଼ିକୁ ଦିଆଯିବ। ବଳକା ରାଶିକୁ ଉଭୟ କେନ୍ଦ୍ର ଓ ରାଜ୍ୟର ସହମତି ଅନୁସାରେ ଯେଉଁ ନିଷ୍ପତ୍ତି ହେବ ସେହି ଅନୁସାରେ ଜାରି କରାଯିବ। ବଳକା ରାଶି ସାମାନ୍ୟ ବିଳମ୍ବରେ ଦେବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଜଣେ ଅଧିକାରୀ ଏଭଳି ସୂଚନା ଦେଇଥିବା ଜଣାପଡ଼ିଛି। ଗତ ମେ'ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଜିଏସ୍‌ଟି (ରାଜ୍ୟଗୁଡ଼ିକୁ କ୍ଷତିପୂରଣ) ନିୟମ, ୨୦୧୭ ଲାଗୁ ଥିବା ପର୍ଯ୍ୟନ୍ତ ଆମେ ତାହାକୁ ସମ୍ମାନ ଜଣାଇବୁ। ସେହି କଥାକୁ ଅଧିକାରୀ ଜଣକ ଦୋହରାଇଛନ୍ତି। ଏହି ଅଧିକାରୀ ଜଣଙ୍କ ଗତ ସପ୍ତାହରେ ରାଜ୍ୟଗୁଡ଼ିକର ଅର୍ଥ ସଚିବମାନଙ୍କ ସହ ଦୀର୍ଘ ତିନି ଘଣ୍ଟା ଧରି ଆଲୋଚନା କରିିଥିଲେ। ସେମାନଙ୍କୁ ପ୍ରକୃତ ସ୍ଥିତି ବୁଝାଇବାକୁ ପ୍ରୟାସ କରିଥିଲେ। ସଦ୍ୟତମ ସୂଚନା ଅନୁଯାୟୀ, ରାଜ୍ୟଗୁଡ଼ିକ ନିଜେ ଋଣ କରନ୍ତୁ ବୋଲି କେନ୍ଦ୍ର ସରକାର ଚାହୁଛନ୍ତି। କାରଣ ଯଦି କେନ୍ଦ୍ର ନିଜ ଆଡ଼ୁ ଋଣ କରି ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦେବେ ତେବେ ଋଣ ବଜାରରେ ସମସ୍ତଙ୍କ ପାଇଁ ସୁଧ ବଢ଼ିଯିବ। କରୋନା ସଂକ୍ରମଣ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଅର୍ଥନୀତିରେ ସୁଧାର ଆଣିବା ଲାଗି ଓ ପୁଞ୍ଜିନିବେଶ ବଢ଼ାଇବା ପାଇଁ କଂପାନିଗୁଡ଼ିକୁ ଉତ୍ସାହିତ କରୁଥିବା କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେବାକୁ ଚାହୁନାହାନ୍ତି। ରାଜ୍ୟଗୁଡ଼ିକ ପାଇଁ ଋଣ ହାସଲ କରିବା ପ୍ରକ୍ରିୟାକୁ କେନ୍ଦ୍ର ସରକାର ସହଜ କରିବାକୁ ଚାହୁଛନ୍ତି। ସେମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସେଠାରୁ ରାଜ୍ୟଗୁଡ଼ିକ କମ୍ ସୁଧରେ ଋଣ ନେଇପାରିବେ। ପରିଶୋଧକୁ ସେସ୍‌ ଆଦାୟ ସହ ଯୋଡ଼ାଯିବ। ଯେଉଁ ହାରରେ ସେସ୍‌ ଆଦାୟ ହେବ ରାଜ୍ୟଗୁଡ଼ିକ ସେହି ହାରରେ ଋଣ ପରିଶୋଧ କରିବେ। ଫଳରେ ସେମାନଙ୍କ ବଜେଟ୍‌କୁ ତାହା ପ୍ରଭାବିତ କରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଜିଏସ୍‌ଟି କ୍ଷତିପୂରଣ ରାଶିକୁ ନେଇ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଜିଏସ୍‌ଟି ପରିଷଦର ୪୧ତମ ବୈଠକରେ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ଋଣ ଜରିଆରେ ଜିଏସ୍‌ଟି କ୍ଷତିପୂରଣ ବାବଦ ସମ୍ପୂର୍ଣ୍ଣ ୨.୩୫ ଲକ୍ଷ କୋଟି ଟଙ୍କା ନେବାକୁ ରାଜ୍ୟଗୁଡ଼ିକୁ ଗୋଟିଏ ବିକଳ୍ପ ଦିଆଯାଇଥିଲା। ‌ଏହି ବିକଳ୍ପରେ ରାଜ୍ୟଗୁଡ଼ିକ ନେବାକୁ ଥିବା ଟଙ୍କାକୁ ସେମାନଙ୍କ ଖାତାରେ ଋଣ ଭାବେ ବିଚାର କରାଯିବ। ପରବର୍ତୀ ସମୟରେ ରାଜ୍ୟଗୁଡ଼ିକୁ ଏହି ଟଙ୍କା ଶୁଝିବାକୁ ପଡ଼ିବ। ଦ୍ବିତୀୟ ବିକଳ୍ପଟି ଥିଲା ମୋଟ କ୍ଷତିପୂରଣ ରାଶି ମଧ୍ୟରୁ ୯୭ ହଜାର କୋଟି ଟଙ୍କାକୁ ରାଜ୍ୟଗୁଡ଼ିକ ଋଣ ଆକାରରେ ନେଇପାରିବେ। କିନ୍ତୁ ତାହା ସେମାନଙ୍କ ଖାତାରେ ଋଣ ଭାବେ ବିଚାର କରାଯିବ ନାହିଁ। ଉଭୟ ବିକଳ୍ପକୁ ନେଇ ରାଜ୍ୟଗୁଡ଼ିକ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଶେଷ କରି ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଏହାର କଡ଼ା ବିରୋଧ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ କେନ୍ଦ୍ର ସରକାରଙ୍କ ବିଶ୍ବାସଘାତକତା ବୋଲି କହିଥିଲେ। ମୋଟ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କେନ୍ଦ୍ର ଦେଇଥିବା ଦୁଇ ବିକଳ୍ପକୁ ଦିଲ୍ଲୀ, ପଞ୍ଜାବ, କେରଳ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe