୨୫ କେଜିରୁ ଅଧିକ ଓଜନ ଉପରେ ଜିଏସ୍‌ଟି: କେନ୍ଦ୍ର ସଂଶୋଧନ ପ୍ରସ୍ତାବକୁ ଓଡ଼ିଶା ବ୍ୟବସାୟୀ ମହାସଂଘର ବିରୋଧ

Advertisment
୨୫ କେଜିରୁ ଅଧିକ ଓଜନ ଉପରେ ଜିଏସ୍‌ଟି: କେନ୍ଦ୍ର ସଂଶୋଧନ ପ୍ରସ୍ତାବକୁ ଓଡ଼ିଶା ବ୍ୟବସାୟୀ ମହାସଂଘର ବିରୋଧ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବୈଧିକ ମାପ (ପ୍ୟାକେଜଡ ସାମଗ୍ରୀ) ନିୟମ ୨୦୧୧ରେ ସଂଶୋଧନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଅଫଲାଇନ ଓ ଅନଲାଇନରେ ପ୍ୟାକେଜ୍‌ ଜରିଆରେ ବିକ୍ରି ହେଉଥିବା ୨୫ କିଗ୍ରାରୁ ଅଧିକ ଓଜନର ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବା ପାଇଁ ସରକାର ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଅଂଶୀଦାରଙ୍କ ଠାରୁ ଚଳିତମାସ ୨୯ ତାରିଖ ପର୍ଯ୍ୟନ୍ତ ମତାମତ ଆହ୍ବାନ କରାଯାଇଛି। ଏହାକୁ ଭାରତୀୟ ବ୍ୟବସାୟୀ ମହାସଂଘ ତୀବ୍ର ବିରୋଧ କରିଛି।

ବର୍ତ୍ତମାନର ନିୟମ ଅନୁଯାୟୀ, ୨୫ କେଜି ବା ୨୫ ଲିଟରରୁ ଅଧିକ ଓଜନର ସାମଗ୍ରୀ ଉପରେ ପ୍ୟାକେଜ୍‌ରେ ବିକ୍ରି ହେଉଥିଲେ ଜିଏସ୍‌ଟି ଲାଗୁ ହେଉନାହିଁ। କିନ୍ତୁ ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ସରକାର ଖଚୁରା ବଜାରରେ ପ୍ୟାକେଜ୍‌ରେ ବିକ୍ରି ହେଉଥିବା ଏହି ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବେ। କିନ୍ତୁ ଶିଳ୍ପାନୁଷ୍ଠାନ କିମ୍ବା ପ୍ରତି‌ଷ୍ଠାନର ଗ୍ରାହକଙ୍କ ପାଇଁ ଏହି ଟିକସ ଲାଗୁ ହେବ ନାହିଁ ବୋଲି ସଂଶୋଧିତ ହେବାକୁ ପ୍ରସ୍ତାବରେ କୁହାଯାଇଛି।
ଏଭଳି ଜନବିରୋଧୀ ପ୍ରସ୍ତାବକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ ସରକାର ଏପ୍ରକାର ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ୨୫ କିଗ୍ରାରୁ ଅଧିକ ଓଜନର ସାମଗ୍ରୀ ଉପରେ ଜିଏସ୍‌ଟି ଲଗାଇବା ପରିବର୍ତ୍ତେ ଛୋଟ ଛୋଟ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ୨୫ କିଗ୍ରାରୁ କମ୍‌ ଓଜନର ସାମଗ୍ରୀ ଉପରୁ ମଧ୍ୟ ଜିଏସ୍‌ଟି ହଟାନ୍ତୁ।

ଖୁଚୁରା ବଜାରରେ ‌ଏଭଳି ଟିକସ ଲାଗୁ କରାଗଲେ ଦେଶରେ ଖାଦ୍ୟସାମଗ୍ରୀର ଦରଦାମ ଆହୁରି ବଢ଼ିଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏଥିସହିତ ସାଧାରଣ ଖାଉଟି ଉପରେ ଟିକସ ଲଗାଉଥିବା‌ବେଳେ ଶିଳ୍ପାନୁଷ୍ଠାନ ଏବଂ ପ୍ରତି‌ଷ୍ଠାନଗୁଡ଼ିକୁ ବିକ୍ରି କ୍ଷେତ୍ରରେ ଟିକସ ଛାଡ଼ ନେଇ ରଖାଯାଇଥିବା ପ୍ରସ୍ତାବକୁ ସେ ସମାଲୋଚନା କରିଛନ୍ତି। ସରକାର ନିୟମରେ ଏହି ପରିବର୍ତ୍ତନ ଆଣିବା ପୂର୍ବରୁ ବାଣିଜ୍ୟ ଏବଂ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ସହିତ ବିସ୍ତୃତ ଆଲୋଚନା କରନ୍ତୁ ବୋଲି ସେ କହିଛନ୍ତି। ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ଅର୍ଥ ମନ୍ତ୍ରାଳୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରାଳୟକୁ ପ୍ରତିବାଦ ଜଣାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe