ନୂଆଦିଲ୍ଲୀ: ବୀମା ନଥିବା ଗାଡ଼ିଗୁଡ଼ିକ ଯାଞ୍ଚ ବେଳେ ଧରାପଡ଼ିଲେ ଅଧିକ ଜରିମାନା ଗଣିବେ। ମୋଟର ଯାନ ନିୟମରେ କରାଯାଉଥିବା ସଂଶୋଧନରେ ସେଭଳି କିଛି ବ୍ୟବସ୍ଥା କରାଯାଉଛି। ପ୍ରଥମ ଥର ଧରାପଡ଼ିଲେ ସେଭଳି ଗାଡ଼ି ବୀମା ପ୍ରିମିୟମ୍ର ତିନି ଗୁଣା ରାଶି ଜରିମାନା ଆକାରରେ ପ୍ରଦାନ କରିବେ। ଏକାଧିକ ଥର ନିୟମ ଉଲ୍ଲଂଘନ କଲେ ପ୍ରିମିୟମ୍ର ୫ ଗୁଣା ରାଶି ଜରିମାନା ଗଣିବେ। ସମ୍ପ୍ରତି ପ୍ରଚଳନରେ ଥିବା ନିୟମ ଅନୁସାରେ ପ୍ରଥମ ଥର ଉଲ୍ଲଂଘନ ପାଇଁ ଜରିମାନା ୨୦୦୦ ଟଙ୍କା ଓ ଏକାଧିକ ଥର ନିୟମ ଉଲ୍ଲଂଘନ ପାଇଁ ୪୦୦୦ ଟଙ୍କାର ଜରିମାନା ଏବଂ ତିନି ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି।
ଗାଡ଼ିର ବେଗ ସୀମାକୁ ନେଇ ରହିଥିବା ଦ୍ବନ୍ଦ୍ବକୁ ଏହି ନିୟମ ସଂଶୋଧନ ଜରିଆରେ ସମାଧାନ କରିବାକୁ ଉଦ୍ୟମ କରାଯାଉଛି। ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ୱେଗୁଡ଼ିକ ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବେଗର ସୀମା ଧାର୍ଯ୍ୟ କରିବେ। ରାଜ୍ୟ ସଡ଼କଗୁଡ଼ିକ ପାଇଁ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ବର୍ତ୍ତମାନ ସମୟରେ ସମାନ ଜାତୀୟ ରାଜପଥ ପାଇଁ କେନ୍ଦ୍ର ଓ ରାଜ୍ୟର ସର୍ବୋଚ୍ଚ ବେଗ ସୀମା ଅଲଗା ଅଲଗା ରହୁଥିବାରୁ ଚାଳକମାନେ ଦ୍ବନ୍ଦ୍ବରେ ରହୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ବେଗର ସୀମା ଉଲ୍ଲଂଘନ ଅପରାଧରେ ଜରିମାନା ଗଣିବାକୁ ପଡ଼ୁଛି। ମୋଟର ଯାନ ବିଲ୍ରେ ଅଣାଯିବାକୁ ଥିବା ସଂଶୋଧନର ଚିଠା ପ୍ରସ୍ତାବଗୁଡ଼ିକୁ ବିଭିନ୍ନ ବିଭାଗ ନିକଟକୁ ପଠାଇ ସେମାନଙ୍କ ମତାମତ ଲୋଡ଼ାଯାଇଛି।
Follow Us