Manufacturing Today India
ଭୁବନେଶ୍ବର: ହିମାଦ୍ରି ସ୍ପେସିଆଲିଟି କେମିକାଲ୍ ଖୁବ୍ଶୀଘ୍ର ଓଡ଼ିଶାରେ ସ୍ଥାପନ ହେବାକୁ ଥିବା କାରଖାନା କାମ ଆରମ୍ଭ କରିବ। କମ୍ପାନିର ସିଇଓ ଅନୁରାଗ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଜାନୁଆରି ସୁଦ୍ଧା କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ହିମାଦ୍ରି ଏହି ପ୍ରକଳ୍ପରେ ୧୧୩୦ କୋଟି ଟଙ୍କା ନିବେଶ କରିବ। ଓଡ଼ିଶା କାରଖାନା ୨୦୨୭ ମଧ୍ୟ ଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।
କମ୍ପାନି ସ୍ଥାପନ କରିବାକୁ ଥିବା କାରଖାନାରେ ଲିଥିୟମ୍ ଆଇରନ୍ ଫସ୍ଫେଟ୍ ଉତ୍ପାଦନ କରିବ। ତାହା ହେଉଛି ଲିଥିୟମ୍-ଆୟ ବ୍ୟାଟେରିରେ ବ୍ୟବହାର ହେଉଥିବା ଏକ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ। ଦେଶରେ ଇଲେକ୍ଟ୍ରିକ୍ ଯାନ (ଇଭି)ର ଗ୍ରହଣୀୟତା ବୃଦ୍ଧି ପାଉଥିବା ବେଳେ ସେହି ଅନୁସାରେ ବ୍ୟାଟେରି ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। କମ୍ପାନିର ଏହି କାରଖାନା ବ୍ୟାଟେରି ନିର୍ମାତାମାନଙ୍କୁ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ଯୋଗାଇ ଗମନାଗମନ କ୍ଷେତ୍ରର ସ୍ଥାୟିତ୍ବ ଆଡ଼କୁ ଯାତ୍ରାରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି। ଗତବର୍ଷ ଡିସେମ୍ବରରେ କମ୍ପାନି ପକ୍ଷରୁ ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଥିଲା। ସେହି ସମୟରେ ଶ୍ରୀ ଚୌଧୁରୀ କହିଥିଲେ ଯେ ଏହା ହେବ ଦେଶର ପ୍ରଥମ ଲିଥିୟମ୍ ଆଇରନ୍ ଫସ୍ଫେଟ୍ କାରଖାନା। କମ୍ପାନିର ବୋର୍ଡ ବୈଠକରେ ଏହି ପୟକଳ୍ପକୁ ମଞ୍ଜୁରି ମିଳିସାରିଛି। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୨ ଲକ୍ଷ ଟନ୍ ରହିବା ଆଶା କରାଯାଉଛି। ପ୍ରକଳ୍ପ ଲାଗି କମ୍ପାନି ନିଜସ୍ବ ଉତ୍ସ ଓ ଋଣ ଜରିଆରେ ପାଣ୍ଠି ଯୋଗାଡ଼ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନିର ଉତ୍ପାଦନ କ୍ଷମତା ବାର୍ଷିକ ୪୦,୦୦୦ ଟନ୍ ରହିବ। ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଇଭି ଓ ଶକ୍ତି ସଂରକ୍ଷଣ କ୍ଷେତ୍ରର ଆବଶ୍ୟକତାକୁ ଏହି କାରଖାନା ପୂରଣ କରିବ।
ଓଡ଼ିଶା କାରଖାନା ବ୍ୟତୀତ କମ୍ପାନି ଆଉ ଦୁଇଟି ନୂଆ ଲିଥିୟମ୍ ଆଇରନ୍ ଫସ୍ଫେଟ୍ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି ବୋଲି କମ୍ପାନିର ସିଇଓ ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟାଟେରିର ପ୍ରଦର୍ଶନରେ ଉନ୍ନତି ଆଣିବାରେ କ୍ୟାଥୋଡ୍ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ବ୍ୟାଟେରିରେ ସାଧାରଣ ଭାବେ ବ୍ୟବହାର ହେଉଥିବା ଏକ କ୍ୟାଥୋଡ୍ ହେଉଛି ଲିଥିୟମ୍ ଆଇରନ୍ ଫସ୍ଫେଟ୍।
Follow Us