ଭୁବନେଶ୍ବର: ଆଦିତ୍ୟ ବିର୍ଲା ଗ୍ରୁପ୍ର କମ୍ପାନି ହିଣ୍ଡାଲ୍କୋ ରାଜ୍ୟରେ ୨୫ ହଜାର କୋଟି ଟଙ୍କା ନିବେଶ କରିବ। ବୁଧବାର ବିଧାନସଭା କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ସାକ୍ଷାତ କରି ହିଣ୍ଡାଲ୍କୋର ଓଡ଼ିଶା ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର ଏହି ସୂଚନା ଦେଇଛନ୍ତି। କମ୍ପାନିର ପ୍ରକଳ୍ପଗୁଡ଼ିକ ଲାଗି ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରତିଶ୍ରୁତି ଦେଇଛନ୍ତି। କମ୍ପାନିର ବର୍ତ୍ତମାନ ଓ ଭବିଷ୍ୟତ ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
ଏହି ଅବସରରେ ଶ୍ରୀ ମହାପାତ୍ରଙ୍କ କହିଛନ୍ତି ଯେ ହିଣ୍ଡାଲ୍କୋ ୮୦୦୦ କୋଟି ଟଙ୍କା ବିନିଯୋଗରେ ରାୟଗଡ଼ାର କଂଶାରୀଗୁଡ଼ାରେ ଆଦିତ୍ୟ ଆଲୁମିନା ରିଫାଇନାରି ନାମରେ ବାର୍ଷିକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ବିଶୋଧନାଗାର ସ୍ଥାପନ କରୁଛି।
ହୀରାକୁଦଠାରେ ୬୦୦୦ କୋଟି ଟଙ୍କା ନିବେଶରେ ୧୦୦୦ ମେଗାୱାଟ୍ର ଭାସମାନ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ହେବାକୁ ଥିବା ବେଳେ ସମ୍ବଲପୁର ଜିଲ୍ଲାର ଲପାଙ୍ଗାଠାରେ ଥିବା ଆଦିତ୍ୟ ଆଲୁମିନିୟମ୍ ସ୍ମେଲ୍ଟର ପ୍ଲାଣ୍ଟର ସମ୍ପ୍ରସାରଣରେ କମ୍ପାନି ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଞ୍ଚଳଗୁଡ଼ିକରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶ୍ରୀ ମହାପାତ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ହିଣ୍ଡାଲ୍କୋ ରାଜ୍ୟରେ ୩୩ ହଜାର କୋଟି ଟଙ୍କା ନିବେଶ କରିସାରିଛି। ଏହାର ପ୍ରଭାବରେ ରାଜଞର ୨୧ ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।
Follow Us