ଏଆଇରେ ବିପୁଳ ସମ୍ଭାବନା: ମୋଦୀ

Advertisment

ମଣିଷଠାରୁ ୧୦୦ ଗୁଣା ଅଧିକ କାମ କରିବ: ଅଲ୍ଟମ୍ୟାନ୍

ମଣିଷଠାରୁ ୧୦୦ ଗୁଣା ଅଧିକ କାମ କରିବ: ଅଲ୍ଟମ୍ୟାନ୍

ଏଆଇରେ ବିପୁଳ ସମ୍ଭାବନା: ମୋଦୀ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍‌ଜିପିଟିର ଜନକ ତଥା‌ ଓ‌ପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ବାର୍ତ୍ତାଳପକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରଯୁକ୍ତି ଦୃଶ୍ୟପଟ୍ଟରେ ଉନ୍ନତି ଆଣିବାରେ ଏଆଇ ପାଖରେ ବିପୁଳ ସମ୍ଭାବନା ରହିଛି। ବିଶେ‌ଷ କରି ଯୁବପିଢ଼ିଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ। ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ଡିଜିଟାଲ ରୂପାନ୍ତରୀତ କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ସବୁ ପ୍ରକାର ସହଯୋଗିତାକୁ ଆମେ ସ୍ବାଗତ କରୁଛୁ ବୋଲି ମୋଦୀ କହିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଆଇଆଇଆଇଟି ଦିଲ୍ଲୀରେ ଆୟୋଜିତ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଅଲ୍ଟମ୍ୟାନ୍ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ସହ ଏଆଇକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ବବ୍ୟାପୀ ହେଉଥିବା ଉଦ୍ୟମ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କହିଥିଲେ।

ଏହି ସହିତ ସେ ଛାତ୍ରଛାତ୍ରୀ ଓ ଫାକଲ୍‌ଟିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ବି ଦେଇଥିଲେ। ଅଲ୍ଟମ୍ୟାନ୍ କହିଛନ୍ତି ଯେ ଏଆଇ ମଣିଷଠାରୁ ୧୦୦ ଗୁଣା ଅଧିକ କାମ କରିପାରିବ। କିନ୍ତୁ ଏହା କେବେବି ମଣିଷଠାରୁ ଅଧିକ ବୁଦ୍ଧିମାନ ହୋଇପାରିବନି। ଚାଟ୍‌ଜିପିଟି ବିଷୟରେ ସେ କହିଛନ୍ତି ଯେ ଏହା ବର୍ତ୍ତମାନ ଯେଉଁ ସବୁ ଉତ୍ତର ଦେଉଛି ତାହା ଭରସାଯୋଗ୍ୟ ନୁହେଁ। ମଣିଷ ଦେଉଥିବା ଜବାବ ଉପରେ ମୋର ଅଧିକ ଭରସା ଅଛି ବୋଲି ଅଲ୍ଟମ୍ୟାନ୍ କହିଛନ୍ତି। ଏଆଇ ଲୋକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏଆଇ ଦ୍ବାରା ମାନବ ସମାଜର ବିନାଶ ହେବ ବୋଲି ଯାହା କୁହାଯାଉଛି ତାହା ହେଉଛି ଅତ୍ୟଧିକ ଭାବନା। ଏହା ହେଉଛି ଏକ ଟୁଲ, କୌଣସି ପ୍ରାଣୀ ନୁହେଁ ବୋଲି ଅଲ୍ଟମ୍ୟାନ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe