ଭୁବନେଶ୍ବର: ରାଜ୍ୟରେ ମହିଳା ସଶକ୍ତୀକରଣ ଲାଗି ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି। ସଶକ୍ତ ହେବା ଲାଗି ପ୍ରେରଣାର ମହତ୍ବ ସମ୍ପର୍କରେ ଆଲୋକପାତ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ପଡ଼ିଶାର ଜଣେ ମହିଳାଙ୍କୁ ଦେଖି ଗାଡ଼ି ଚଳାଇବା ଶିଖିବାକୁ ମୁଁ ପ୍ରେରଣା ପାଇଥିଲି। ସେହି ପଡ଼ୋଶୀ ମହିଳା ଜଣକ ନିଜ ସ୍କୁଟିରେ ତାଙ୍କ ସନ୍ତାନକୁ ସ୍କୁଲ୍ ଛାଡ଼ିବାକୁ ନେଉଥିଲେ। ତାଙ୍କୁ ଦେଖିବା ପରେ ମୁଁ ମଧ୍ୟ ଗାଡ଼ି ଚଳାଇପାରିବି ବୋଲି ସାହସ ଜୁଟାଇପାରିଥିଲି ବୋଲି ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା ୨୦୨୪ରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଅରୁନ୍ଧତୀ ଜୁଏଲର୍ସ ସହଯୋଗିତାରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ଆଇକନ୍ମାନଙ୍କୁ ସମ୍ମାନିତ କରାଯାଇଥିଲା।
ବିଭିନ୍ନ କ୍ଷେତ୍ରର ପ୍ରାୟ ୩୨ ଆଇକନ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବାଦ, ଅରୁନ୍ଧତୀ ଜୁଏଲର୍ସ, ଏମ୍ସିଏଲ୍, ଓକେସିଏଲ୍, ପାରାଦୀପ ବନ୍ଦର, ୩ଏସ୍ ସାଇ ଶ୍ରଦ୍ଧା ସ୍ମାଇଲ୍ ଡେଣ୍ଟାଲ କ୍ଲିନିକ୍, ବିଭବ ଡେଭେଲପର୍ସ, ଦଧିଚି ପବ୍ଲିକ୍ ସ୍କୁଲ ଆଦିକୁ ଟାଇମ୍ସ ଆଇକନ୍ ଅଫ୍ ଓଡ଼ିଶା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ଟାଇମ୍ସ ଅଫ୍ ଇଣ୍ଡିଆ ଭୁବନେଶ୍ବରର ରେସ୍ପନ୍ସ ହେଡ୍ ପ୍ରଜ୍ଞାବ୍ରତ ବ୍ରହ୍ମା, ବ୍ୟୁରୋ ଚିଫ୍ ଅଶୋକ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।
Follow Us